କେନ୍ଦୁଝର,୩୦ା୩(ଆପ୍ର): କେନ୍ଦୁଝର ଏକ ବଣପାହାଡ଼ ଘେରା ଜିଲ୍ଲା । କେନ୍ଦୁଝର ଜିଲ୍ଲାର ଜଳବାୟୁ ଓ ମାଟି ଯୋଗୁଁ ଏଠାରେ ପଣସ ଭଲ ଉତ୍ପାଦନ ହୁଏ । ପାଚିଲା ପଣସ ଅପେକ୍ଷା ଗ୍ରୀଷ୍ମଋତୁ ପ୍ରାରମ୍ଭରେ କସି ପଣସ ବା ପଣସ କଠା ତରକାରୀ ଖାଇବାକୁ ଲୋକଙ୍କ ଆଗ୍ରହ ରହିଥାଏ । ପଣସ କଠାରୁ ପ୍ରସ୍ତୁତ ତରକାରୀ ଅମିଷଠାରୁ ମଧ୍ୟ ସୁଆଦିଆ । ଜଙ୍ଗଲିଆ ଅଞ୍ଚଳରେ ବହୁଳ ଭାବେ ପଣସ ଉତ୍ପାଦନ ହେଉଥିବାରୁ ଗଛ ଉପରେ ଓ ଗଛ ତଳେ ପଡି ପଣସ ନଷ୍ଟ ହୋଇଥାଏ । ଗଛ ଗୁଡିକରେ ପ୍ରଚୁର ପଣସ ଫଳୁଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥାନ୍ତି ଚାଷୀ । ଏହାକୁ ଦୃଷ୍ଟିରେ ରଖି ବାଂଶପାଳ ବ୍ଲକର କୁଆଁରଠାରେ ପଣସ ମିଶନ କାର୍ଯ୍ୟକାରୀ ହେବାକୁ ଯାଉଛି । ରାଜ୍ୟ ସରକାର ଏହି ପଣସ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ୩ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି ।
ପୁରୀ ଜିଲ୍ଲାର ବ୍ରହ୍ମପୁର ହିଙ୍ଗୁଳା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଜିଲ୍ଲା ପ୍ରଶାସନ ସହିତ ଚୁକ୍ତି କରି ପଣସ ମିଶନକୁ କାର୍ଯ୍ୟକ୍ଷମ କରିବାକୁ ଯାଉଛି । ଏହିଠାରୁ ପଣସ ଓ ଆମ୍ବରୁ ବିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଫଳରେ ପଣସ ଓ ଆମ୍ବର ଅଭାବୀ ବିକ୍ରିକୁ ରୋକିବାରେ ସରକାର ସଫଳ ହେବେ ବୋଲି ଉଦ୍ୟାନ୍କୃଷି ବିଭାଗ ପକ୍ଷରୁ କୁହାଯାଇଛି । ପଣସ କଠାରୁ ଚିପ୍ସ, ଜୁସ୍, ଆଚାର, ମଞ୍ଜିରୁ ଅଟା ଏବଂ ଆଚାର ପ୍ରସ୍ତୁତ ହେବ । ସେହିପରି ଆମ୍ବରୁ ମଧ୍ୟ ଆଚାର, ଜୁସ୍, ସଢ଼ା ସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ତିଆରି ହେବ । କେନ୍ଦୁଝର ଜିଲ୍ଲାର ବାଂଶପାଳ, ହରିଚନ୍ଦନପୁର, ତେଲକୋଇ, ଘଟଗାଁ ଏବଂ ସଦର ବ୍ଲକରେ ପ୍ରଚୁର ପଣସ ସହିତ ଆମ୍ବ ଉତ୍ପାଦନ ପ୍ରତିବର୍ଷ ହୋଇଥାଏ । ଏହାସହିତ ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ମୟୁରଞ୍ଜ, ଦେବଗଡ଼ ଭଳି ଜିଲ୍ଲମାନଙ୍କରୁ ପଣସ ସଂଗ୍ରହ କରି ପଣସ ପ୍ରକ୍ର ିୟା କରଣ ୟୁନିଟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇ ବଜାରକୁ ଛଡାଯିବ । ଯାହାଦ୍ୱାରା ଚାଷୀମାନେ ପଣସର ଅଭାବୀ ବିକ୍ର ିର ସମ୍ମୁଖୀନ ହେବେ ନାହି ଁ ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଛି । ପଣସ ମିଶନ ପାଇଁ ରାଜ୍ୟ ସରକାର ସମସ୍ତ ଅନୁଦାନ ଯୋଗାଇ ଦେବା ପରେ ରାୟପୁରର ଲକ୍ଷ୍ୟ ଟେକ୍ନୋକ୍ରାଫ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ସହିତ ଚୁକ୍ତିନାମା କରିବା ପରେ ସେ କୁଆଁର କୃଷି ଫାର୍ମଠାରେ ଏହି ପଣସ ପ୍ରକଳ୍ପ ପାଇଁ ଯନ୍ତ୍ରପାତି ସ୍ଥାପନ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉକ୍ତ ପ୍ରକଳ୍ପକୁ ଉଦ୍ଘାଟନ କରିବା ପରେ ଉଦ୍ୟାନ୍କୃଷି ବିଭାଗ ପକ୍ଷରୁ ସ୍ଥାନୟ ଅଞ୍ଚଳର ଚାଷୀଙ୍କୁ ନେଇ ଏକ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କେନ୍ଦୁଝର ଜିଲ୍ଲାରେ ପ୍ରଚୁର ପଣସ ହେଉଥିବା ବେଳେ ପଣସ କଠାକୁ ଛାଡି ଦେଲେ ପାଚିଲା ପଣସର ଚାହିଦା ଆଗଭଳି ନାହିଁ । ପଣସ କଠାର ଚାହିଦା ବାହାର ରାଜ୍ୟରେ ଅଧିକ ରହୁଥିବାରୁ ବେପାରୀମାନେ ଆଦିବାସୀ ଚାଷୀଙ୍କୁ ପ୍ରଲୋଭିତ କରି ଗଛ ଗୁଡିକ ଲିଜ୍ରେ ନେଇ ଯାଇଥାନ୍ତି । କେନ୍ଦୁଝରରୁ ପଣସ କଠା ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ଼କୁ ଚାଲାଣ ହେଉଥିବା ବେଳେ ଚାଷୀମାନେ ଏହାର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ରହିଥାନ୍ତି । କଠା ପଣସ ତରକାରୀ ମାଛ, ମାଂସଠାରୁ ମଧ୍ୟ ସ୍ୱାଦିଷ୍ଟ ହୋଇଥାଏ । ପଣସ କଠା ଶାକାହାରୀଙ୍କ ପ୍ରଥମ ପସନ୍ଦ । ତେଣୁ ପଣସ କଠାରୁ ଚାହିଦା ଅନେକ ରହିଛି । ପାକଳ ହୋଇ ପାଚିବା ପରେ ଗାଁ ଗହଳିର ଲୋକେ ପଣସରୁ ପିଠା କରି ଖାଇଥାନ୍ତି । ସେହିପରି ପାଚିଲା ପଣସର ମଞ୍ଜିକୁ ମଧ୍ୟ ତରକାରୀ କରି ଲୋକେ ବ୍ୟବହାର କରିଥାନ୍ତି । ଶାଗମାଛ ଦରରେ ପଣସ ଓ ଜଙ୍ଗଲର ସୁଢ଼ି ଆମ୍ବ ବିକ୍ରି ହୋଇଥାଏ । ପଣସ ମିଶନ ପାଇଁ ସ୍ଥାପନ କରାଯାଇଥିବା ମେସିନ୍ରେ ଆମ୍ବରୁ ମଧ୍ୟ ବିଭିନ୍ନ ଖାଦ୍ୟପଦାର୍ଥ ପ୍ରସ୍ତୁତ ହେବ ବୋଲି ଉଦ୍ୟାନ୍ କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଏହାସହିତ କଞ୍ଚା ପଣସକୁ ଛୋଟ ଛୋଟ କାଟି ଉପଯୁକ୍ତ ପ୍ରକ୍ରିୟାକରଣ ମାଧ୍ୟମରେ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖାଯାଇ ବର୍ଷସାରା ବ୍ୟବହାର ପାଇଁ କରାଯାଇପାରିବ । ଫଳରେ ବର୍ଷସାରା ଏହି ୟୁନିଟ୍ ଚାଲିବାର ସମ୍ଭାବନା ରହିଛି । ଏଥିନେଇ ଟେଣ୍ଡର ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଥିଲା । ଦକ୍ଷ ଉତ୍ପାଦିକା ସଂଘ ଆବେଦନ କରିବା ପରେ ବ୍ରହ୍ମଗିରି ହିଙ୍ଗୁଳା ଉତ୍ପାଦକ ସଂଘ ପଣସ ମିଶନକୁ ପୂର୍ଣ୍ଣକ୍ଷମ କରିବାକୁ ଚୟନ ହୋଇଛି । ପାଚିଲା ପଣସରୁ ପାନୀୟ, ପଣସ କୋଲା, ପଣସ ସଢ଼ା ମଧ୍ୟ ପ୍ରସ୍ତୁତ କରାଯାଇପାରିବ ବୋଲି ଉଦ୍ୟନ କୃଷି ଉପ ନିର୍ଦ୍ଦେଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।