ଆନନ୍ଦପୁର/ଘସିପୁରା,୨୯/୩(ଆପ୍ର): ଘରୋଇ ସଂସ୍ଥାରେ ଋଣ କରିବା ନାମରେ ଠକାମିର ଶିକାର ହୋଇଛନ୍ତି ୯ ଜଣ ମହିଳା। ଏହି ୯ ଜଣ ମହିଳାଙ୍କ ଠାରୁ ଋଣ ସୁଝିବା ଆଳରେ ଅନ୍ୟଜଣେ ବାହାର ଅଞ୍ଚଳର ମହିଳା ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାକୁ ଆସିଛି। ଠକାମିର ଶିକାର ହୋଇଥିବା ମହିଳାମାନେ ଘସିପୁରା ଥାନାରେ ହାଜର ହେଇ ଫେରାଦ ହୋଇଛନ୍ତି।
ଏଭଳି ଏକ ଘଟଣା ଆନନ୍ଦପୁର ପୌରପରିଷଦ ୧୬ ନଂ ୱାର୍ଡ଼ ଶୈଲଙ୍ଗ ଗ୍ରାମରେ ହୋଇଥିବା ନଜରକୁ ଆସିଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, କଇନିପୁରା ଗ୍ରାମର ନାରାୟଣ ବେହେରା ନାମକ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଧରି ଶୈଲଙ୍ଗରେ ପହଞ୍ଚିଥିଲେ। ସେଠାରେ ମହିଳା ଜଣକ ସ୍ଥାନୀୟ ମହିଳାଙ୍କର ଲେବର କାର୍ଡ଼ କରାଇବାର ଲୋଭ ଦେଖାଇବା ସହିତ ୧ ଲକ୍ଷ ଟଙ୍କା ଋଣ କରାଇଦେବା ଏବଂ ୨୫ ପ୍ରତିଶତ ସବସିଡିରେ ୭୫ ପ୍ରତିଶତ ଋଣ ବିନା ସୁଧରେ ସୁଝିବାକୁ ଲୋଭ ଦେଖାଇଥିଲେ। ଏଥିରେ ମହିଳାମାନେ ରାଜି ହୋଇଥିଲେ। ଏପରିକି ଗୋଟିଏ ଘରୋଇ ଫାଇନାନ୍ସ କମ୍ପାନୀରୁ ପ୍ରଥମେ ଋଣ ଆଣିବାର ବ୍ୟବସ୍ଥା କରାଯାଇଥିଲା।
ଘସିପୁରା ବ୍ଲକ ଗଡବାନ୍ଧଗୋଡା ଅଞ୍ଚଳରେ କାର୍ଯ୍ୟରତ ଧର୍ମା ଫାଇନାନ୍ସ ନାମକ ଏକ ଘରୋଇ ସଂସ୍ଥାରୁ ୯ ଜଣ ମହିଳାଙ୍କର ୩୫ ହଜାର ଟଙ୍କା ଲେଖାଏଁ ଋଣ ମଞ୍ଜୁର ହୋଇଥିଲା। ଇନସ୍ୟୁରାନ୍ସ ବାବଦକୁ ୨୫୦୦ ଟଙ୍କା କଟାଯାଇ କମ୍ପାନୀ ପକ୍ଷରୁ ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା। ପରେ ଋଣ ସୁଝି ଖାତା ବନ୍ଦ କରିବା ପରେ ଅଧିକ ଋଣ ମିଳିବାର ଆଶା ଦେଖାଯାଇଥିଲା। ମହିଳାମାନେ ୩୫ ହଜାର ଟଙ୍କା ଲେଖାଏଁ ଋଣ ସୁଝିବାକୁ ସମ୍ପୃକ୍ତ ଫାଇନାନ୍ସ କମ୍ପନୀ ନିକଟକୁ ଆସିଥିଲେ। ମହିଳାଙ୍କୁ ରଣ ସୁବିଧା କରାଇଥିବା ମହିଳା ଜଣଙ୍କ ସମସ୍ତ ମହିଳାଙ୍କ ଠାରୁ ଋଣ ଅର୍ଥ ଆଦାୟ କରି ସମସ୍ତଙ୍କୁ ବାହାରେ ଅପେକ୍ଷା କରାଇ ଋଣ ସୁଝିବାକୁ କମ୍ପାନୀ କାର୍ଯ୍ୟାଳୟକୁ ଆସିଥିଲେ ମାତ୍ର ଆଉ ଫେରିନଥିଲେ। ପରେ ଘଟଣା ବୁଝିବା ବେଳକୁ ମହିଳା ଜଣଙ୍କ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧରି ଚମ୍ପଟ ମାରିଥିବା ଘଟଣା ନଜରକୁ ଆସିଥିଲା।
ଘଟଣାକୁ ନେଇ ଶନିବାର ଶୈଲଙ୍ଗ ଗ୍ରାମର ଠକାମିର ଶିକାର ହୋଇଥିବା ୯ ଜଣ ମହିଳା ଘସିପୁରା ଥାନାରେ ହାଜର ହୋଇ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।