ଭୁବନେଶ୍ୱର, ୨୧/୦୩: ପାଇପ୍ରେ ଆସୁନାହିଁ ପାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁଲୋକେ । ଏହାକୁ ପ୍ରତିବାଦ କରି ନାରଙ୍ଗପୁର ଗାଁର ମହିଳାମାନେ ରାସ୍ତାରୋକ କରିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ନାରଙ୍ଗପୁର ଗାଁର ମହିଳାମାନେ ଆଜି ନାରଙ୍ଗପୁର ଛକ ଠାରେ ରାସ୍ତା ରୋକ କରିଛନ୍ତି ।
ସୂଚନା ମୁତାବକ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ପାଇପ୍ ଯୋଗେ ଗାଁକୁ ଯୋଗାଯାଇଛି ପିଇବା ପାଣି । ହେଲେ ଦୀର୍ଘ ୮ ଦିନ ହେବ ନିୟମିତ ଭାବେ ଦିନକୁ ୨ଥର ପାଇପ୍ରେ ପାଣି ଆସୁନାହିଁ । ଫଳରେ ଲୋକେ ପିଇବା ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ଶୁକ୍ରବାର ନାରଙ୍ଗପୁର ଛକଠାରେ ରାସ୍ତାରୋକ କରିଛନ୍ତି ଗାଁର ମହିଳାମାନେ । ରାସ୍ତାରୋକ ଯୋଗୁଁ ସେହି ରାସ୍ତା ଦେଇ ଯାତାୟାତରେ ସମସ୍ୟା ଦେଖା ଦେଇଛି । ଯେ ପର୍ଯ୍ୟନ୍ତ ପାଣି ସମସ୍ୟାର ସମାଧାନ ନହୋଇଛି, ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ମହିଳା । ତେବେ ଦୀର୍ଘ ସମୟ ଧରି ରାସ୍ତାରୋକ ହୋଇଥିଲେ ମଧ୍ୟ ବିଭାଗ କିମ୍ବା ପ୍ରଶାସନ ତରଫରୁ କାହାରି ଦେଖା ଦର୍ଶନ ମିଳିନଥିବା ଅଭିଯୋଗ ହୋଇଛି ।