ମୁମ୍ବାଇ, ୨୭/୪ : ଆଇପିଏଲ୍ ୨୦୨୫ର ୪୫ତମ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସର ଟକ୍କର ଲକ୍ଷ୍ନୌ ସୁପର ଜାୟଣ୍ଟ୍ସ ସହ ଅଛି । ମ୍ୟାଚ୍ ସମୟରେ ସମସ୍ତଙ୍କ ନଜର ମୁମ୍ବାଇ ଇଣ୍ଡିଆନ୍ସର ଅନୁଭବି ବ୍ୟାଟର ରୋହିତ ଶର୍ମାଙ୍କ ଉପରେ ରହିଛି । ଆଜିର ମ୍ୟାଚରେ ତାଙ୍କ ବ୍ୟାଟରୁ ଯଦି ୫ଛକ୍କା ବାହାରିବ ତେବେ ସେ ଆଇପିଏଲରେ ୩୦୦ଛକ୍କା ଲଗାଇବାରେ ପ୍ରଥମ ଭାରତୀୟ ବ୍ୟାଟର ହୋଇଯିବେ ।
ଆଇପିଏଲରେ ୩୦୦ରୁ ଅଧିକ ଛକ୍କା ଲଗାଇବାର ରେକର୍ଡ଼ କେବଳ ଜଣଙ୍କ ନାଁରେ ଅଛି । ସେ ଆଉ କେହି ନୁହେ ବରଂ ଓ୍ବେଷ୍ଟଇଣ୍ଡିଜର କ୍ରିକେଟ ଟିମର ପୂର୍ବତନ ବିସ୍ଫୋଟକ ସଲାମୀ ବ୍ୟାଟର କ୍ରିସ ଗେଲ୍ ଅଟନ୍ତି । ଗେଲ୍ ଆଇପିଏଲରେ ୨୦୦୯ରୁ ୨୦୨୧ ମଧ୍ୟରେ ପ୍ରାୟ ୧୪୨ମ୍ୟାଚରେ ଭାଗିଦାରୀ ନେଇଛନ୍ତି । ଏହା ମଧ୍ୟରେ ୧୪୧ପାଳିରେ ୩୯.୭୨ର ପ୍ରତିଶତରେ ସେ ୪୯୬୫ରନ୍ କରିବାରେ ସଫଳ ରହିଛନ୍ତି । କାରବିୟନ ବ୍ୟାଟରଙ୍କ ବ୍ୟାଟରୁ ଏହି ସମୟରେ ପ୍ରାୟ ୪୦୪ ଚୌକା ଏବଂ ୩୫୭ଛକ୍କା ବାହାରିଛି । ଖବର ଲେଖା ହେବା ସୁଦ୍ଧା ସେ ଆଇପିଏଲରେ ସର୍ବାଧିକ ଛକ୍କା ଲଗାଇବାରେ ପ୍ରଥମ ବ୍ୟାଟର ହୋଇଛନ୍ତି ।
ଆଇପିଏଲରେ ସର୍ବାଧିକ ଛକ୍କା ଲଗାଇବା ମାମଲାରେ ଦ୍ବିତୀୟ ସ୍ଥାନରେ ରୋହିତ ଶର୍ମା ଅଛନ୍ତି । ‘ହିଟମ୍ୟାନ’ ଶର୍ମା ଆଇପିଏଲରେ ୨୦୦୮ରୁ ଖେଳୁଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ୨୬୦ପାଳିରେ ୨୯୫ଛକ୍କା ବାହାରିଛି । ସେହିଭଳି ଆଇପିଏଲ୍ ଇତିହାସରେ ସର୍ବାଧିକ ଛକ୍କା ଲଗାଇଥିବା ତୃତୀୟ ଖେଳାଳୀ ଆଉ କେହି ନୁହନ୍ତି ବରଂ ଆରସିବିର ବ୍ୟାଟର ବିରାଟ କୋହଲୀ ଅଟନ୍ତି । କୋହଲୀ ୨୫୩ମ୍ୟାଚରେ ୨୮୫ଛକ୍କା ଲଗାଇଛନ୍ତି ।