ମୁମ୍ବାଇ,୨୭/୦୪: ଚଳିତ ଆଇପିଏଲ୍ର ୪୫ତମ ଲିଗ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଭେଟିବ । ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ଉଭୟ ଦଳର ତାରକା ଭାରତୀୟ ଖେଳାଳିଙ୍କ ଉପରେ ରହିବ । ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ମାତ୍ର ସୁପରଜାଏଣ୍ଟ୍ସ ଯଥା ସମ୍ଭବ ସହଳ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।
ଗତ ୪ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ମୁମ୍ବାଇ ଇଣ୍ଡିଆନ୍ସ ୧୨ ରନ୍ରେ ଉକ୍ତ ମ୍ୟାଚ୍ ହାରିଥିଲା । ମାତ୍ର ବିଳମ୍ବରେ ହେଉ ପଛେ ମୁମ୍ବାଇ ଇଣ୍ଡିଆନ୍ସ ଫର୍ମକୁ ଫେରିଛି । କ୍ରମାନ୍ୱୟରେ ୪ଟି ମ୍ୟାଚ୍ ଜିତି ଦଳ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛି ।
ସୁପରଜାଏଣ୍ଟ୍ସ ୧୦ ପଏଣ୍ଟ ଅର୍ଜନ କରିସାରିଥିଲେ ହେଁ ପ୍ରଦର୍ଶନରେ ଉତ୍ଥାନ ପତନ ଜାରି ରହିଛି । ଗତ ୨୨ ତାରିଖରେ ଅନୁଷ୍ଠିତ ମ୍ୟାଚ୍ରେ ସୁପରଜାଏଣ୍ଟ୍ସ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲା । ଉକ୍ତ ମ୍ୟାଚ୍ରେ ସପରଜାଏଣ୍ଟ୍ସ ଦୁଇ ଓପନର ମିଚେଲ ମାର୍ଶ ଓ ଆଡେନ ମାରକ୍ରମ ୮୭ ରନ୍ ସଂଗ୍ରହ କରିବା ପରେ ଟିମ ମ୍ୟାନେଜମେଣ୍ଟ ଅଧିନାୟକ ରିଷଭ ପନ୍ତଙ୍କୁ ବ୍ୟାଟିଂ ପଠାଇ ନଥିଲା । ଡଗ୍ ଆଉଟ୍ରେ ପ୍ୟାଡ୍ ପିନ୍ଧି ରିଷଭ ପନ୍ତ ଅପେକ୍ଷା କରି ରହି ଯାଇଥିଲେ । ଶେଷରେ ମାତ୍ର ୨ଟି ବଲ୍ ବାକି ଥିବାବେଳେ ପନ୍ତ ବ୍ୟାଟିଂ କରିବାକୁ ଗ୍ରାଉଣ୍ଡ୍କୁ ଓହ୍ଲାଇଥିଲେ ଓ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । ତାଙ୍କ ପୂର୍ବରୁ ଅବଦୁଲ ସମଦ, ଡେଭିଡ୍ ମିଲର ଓ ଆୟୂଷ ବାଦୋନି ବ୍ୟାଟିଂ କରିଥିଲେ । ପନ୍ତଙ୍କ ବ୍ୟାଟିଂ ଉପରେ ଟିମ ମ୍ୟାନେଜମେଣ୍ଟ ଭରସା କରୁନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ଯାହା କ୍ରିକେଟ ପ୍ରେମୀଙ୍କ ନିରାଶ କରିଥିଲା । ପରେ ସୁପରଜାଏଣ୍ଟ୍ସ ୮ ୱିକେଟ୍ରେ ଉକ୍ତ ମ୍ୟାଚ ହାରିଥିଲା ।
ଆଜି ପନ୍ତଙ୍କ ପ୍ରତି ଏଭଳି ଅନ୍ୟାୟ ନହେଉ ବୋଲି ଦର୍ଶକ ଆଶା ରଖିବେ । ଏହି ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । କାରଣ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଘରୋଇ ଗ୍ରାଉଣ୍ଡ୍ରେ ଖେଳୁଛି ଓ ଫର୍ମ ଫେରିପାଇଛି । ପୂର୍ବ ରେକର୍ଡ ସୁପରଜାଏଣ୍ଟ୍ସ ପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ମୋଟ୍ ୭ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ସୁପରଜାଏଣ୍ଟ୍ସ ୬ଟି ମ୍ୟାଚ୍ରେ ବିଜୟୀ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଖାତାରେ ରହିଛି ମାତ୍ର ଗୋଟିଏ ବିଜୟ ।
ଉଭୟ ଦଳର ପେସ୍ ବୋଲିଂ ବିଭାଗ ସୁଦୃଢ । ୱାଙ୍ଖଡ଼େ ଷ୍ଟାଡ଼ିୟମ୍ର ନାଲି ମାଟି ପିଚ ମଧ୍ୟ ପେସ୍ ବୋଲରଙ୍କୁ ସହାୟତା କରିବ । ତଥାପି ବ୍ୟାଟରଙ୍କ ଉପରେ ମ୍ୟାଚ ଫଳାଫଳ ନିର୍ଭର କରିବ । ରୋହିତ ଶର୍ମା ଫର୍ମକୁ ଫେରିଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣା ହୋଇଛି । ସେ ଲଗାତର ୨ଟି ମ୍ୟାଚ୍ରେ ମ୍ୟାଚ୍ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।
ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅରେଞ୍ଜ କ୍ୟାପ୍ ଦୌଡରେ ସାମିଲ ହେଇସାରିଛନ୍ତି । ତିଳକ ବର୍ମା ସୁଯୋଗର ସଦୁପଯୋଗ କରୁଛନ୍ତି । କେବଳ ର୍ୟାନ୍ ରିକେଲଟନ ଦକ୍ଷତା ମୁତାବକ ପ୍ରଦର୍ଶନ କରି ନାହାନ୍ତି । ଗତ ଏସ୍ଏ ଟି-ଟ୍ୱେଣ୍ଟି (ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ଲିଗ୍)ର ପ୍ରଦର୍ଶନକୁ ସେ ଆଜି ଦୋହରାଇବେ ବୋଲି ଆଶା କରାଯାଉଛି ।
ସୁପରଜାଏଣ୍ଟସ ଦଳରେ ବିସ୍ଫୋରକ ବ୍ୟାଟର ଭରପୁର ରହିଥିଲେ ହେଁ ମାର୍ଶ, ଆଡେନ ମାରକ୍ରମ ଓ ନିକୋଲାସ ପୂରନଙ୍କ ପ୍ରଦର୍ଶନ ଉପରେ ଦଳ ନିର୍ଭର କରିବ । ବାକି ସ୍ପିନ୍ ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ । ଆଜି ପେସ୍ ବୋଲର ମୟଙ୍କ ମାର୍କଣ୍ଡେ ଖେଳିବା ସମ୍ଭାବନା ରହିଛି ।
ୱାଙ୍ଖଡ଼େ ଷ୍ଟାଡ଼ିୟମ ପିଚ୍ରେ ସମସ୍ତଙ୍କୁ କିଛି ନା କିଛି ସହାୟତା କରିବ । ଦିନରେ ମ୍ୟାଚ୍ ହେବ । ତେଣୁ ଟସ୍ ସେଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଇପାରେ।
ସମ୍ଭାବ୍ୟ ଦ୍ବାଦଶ
ମୁମ୍ବାଇ ଇଣ୍ଡିଆନ୍ସ :- ରୋହିତ ଶର୍ମା, ର୍ୟାନ ରିକେଲଟନ, ୱିଲ ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ନମନ ଧିର, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, ବିଘ୍ନେଶ ପୁଥୁର, ।
ସୁପରଜାଏଣ୍ଟ୍ସ:- ଆଡେନ ମାରକ୍ରମ, ମିଚଲ ମାର୍ଶ, ନିକୋଲାସ ପୂରନ, ରିଷଭ ପନ୍ତ(ଅଧିନାୟକ), ଆୟୂଷ ବାଦୋନି, ଡେଭିଡ୍ ମିଲର, ଅବଦୁଲ ସମଦ, ସର୍ଦୁଲ ଠାକୁର, ଦିଗବେଶ ରାଠି, ରବି ବିଷ୍ଣୋଇ,ଅଭେଶ ଖାନ,ପ୍ରିନ୍ସ ଯାଦବ/ମୟଙ୍କ ଯାଦବ ।