ଭୁବନେଶ୍ୱର, ୨୪/୦୪: ବିଚ୍ ରାସ୍ତାରେ ବାଇକ୍ ଅଟକାଇ ମୁଣ୍ଡରେ ଲଗାଇଲେ ବନ୍ଧୁକ । ଆଉ ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ଉଦଳା-ବାରିପଦା ରାଜ୍ୟ ରାଜପଥର ଖୁଣ୍ଟା ଥାନା ବାଲିମୁଣ୍ଡଳୀ ଛକ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ବାସିପିଠା ଅଞ୍ଚଳରେ ମହାଲକ୍ଷ୍ମୀ ଅଳଙ୍କାର ନାମକ ଗହଣା ଦୋକାନ କରିଥିବା ସୁନ୍ଦର ନାରାୟଣ ସାହୁ । ବୁଧବାର ରାତିରେ ଦୋକାନ ବନ୍ଦ କରି ନିଜ ଘର ଖୁଣ୍ଟାକୁ ବାଇକ୍ ଯୋଗେ ଫେରୁଥିଲେ । ଦୋକାନର ସୁନା ଅଳଙ୍କାର ବ୍ୟାଗ୍ରେ ନେଇ ଆସୁଥିବା ବେଳେ ୨ ଗୋଟି ବାଇକ୍ରେ ୪ ଜଣ ଲୁଟେରା ତାଙ୍କୁ ଫଲୋ କରି ଆସିଥିଲେ । ବାଲିମୁଣ୍ଡଳୀ ଛକ ନିକଟରେ ଗାଡିକୁ ଗୋଇଠା ମାରି ସୁନା ଦୋକାନୀଙ୍କୁ ତଳେ ପକାଇ ଦେଇଥିଲେ ଦୁର୍ବୃତ୍ତ। ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ବ୍ୟାଗ୍ ମାଗିଥିଲେ । ଗହଣା ଦୋକାନୀ ସୁନ୍ଦର ସେଠାରୁ ଖସି ଗହଣା ଭର୍ତ୍ତି ବ୍ୟାଗ୍ ଧରି ଦୌଡ଼ି ପଳାଉଥିବା ସମୟରେ ୨ ଜଣ ମୁଖାପିନ୍ଧା ଲୁଟେରା ତାଙ୍କୁ ଧକ୍କା ମାରି ତାଙ୍କ ନିକଟରୁ ବ୍ୟାଗ୍ ଛଡାଇ ନେଇ ଚମ୍ପଟ ମାରିଥିଲେ । ଉକ୍ତ ଗହଣା ବ୍ୟାଗ୍ରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ରହିଥିବା ବେଳେ ଲୁଟେରାଙ୍କ ଆକ୍ରମଣରେ ଗହଣା ଦୋକାନୀଙ୍କ ଶରୀରରେ କ୍ଷତ ମଧ୍ୟ ଲାଗିଛି । ଏ ନେଇ ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ନିଛାଟିଆ ସ୍ଥାନ ଦେଖି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ବେଳେ ପୂର୍ବରୁ ମଧ୍ୟ ଗହଣା ବ୍ୟବସାୟୀଙ୍କ ଉପରେ ନଜର ରଖିଥିବା କୁହାଯାଉଛି ।