କରଞ୍ଜିଆ, ୧୯।୪ : ପୁଣି ଗୋଟିଏ ଛୁଆ ଚୋରି ର ଘଟଣା ସାମ୍ନାକୁ ଆସିଛି। ଏଥର ଛୁଅ ଚୋରି କରି ଫେରାର ହୋଇଛି ଏକ କିନ୍ନର। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ।
ଠାକୁରମୁଣ୍ଡା ଥାନା ର ମଲ୍ହାରପଦା ଗାଁ ର ସିପି ପାତ୍ର ଗତ ୧୭ ତାରିଖ ସନ୍ଧ୍ୟାରେ ତାଙ୍କ ୪ ବର୍ଷ ର ଝିଅ ଆଦ୍ୟାସାକୁ ନେଇ ଠାକୁରମୁଣ୍ଡା ଯାତରା ଦେଖିବାକୁ ଆସିଥିଲେ । ରାତି ପ୍ରାୟ ୧୦ ଟା ବେଳକୁ ତାଙ୍କୁ ଶୌଚ ଲାଗିବାରୁ ସେ ପାଖରେ ଥିବା ଜଣେ ଅଜଣା କିନ୍ନର ପାଖରେ ଛୁଆକୁ ଛାଡି ନିକଟସ୍ଥ ପୋଖରୀ କୁ ଯାଇଥିଲେ। ମାତ୍ର ୧୫ ମିନିଟ୍ ପରେ ଆସିଲା ବେଳକୁ ସେଠାରେ ନା କିନ୍ନର ଥିଲା ନା ତାଙ୍କ ଛୁଆ। ଆଖପାଖ ରେ ପଚାରିବାରୁ କେହି କିଛି କହି ପାରି ନଥିଲେ। ତେବେ ବଜାରର କିଛି ଦୋକାନରେ ଲାଗିଥିବା ସିସି କ୍ୟାମେରାରେ ଦେଖିବା ପରେ ଛୁଆଟି ସେହି କିନ୍ନର ପଛେ ପଛେ ଯାଉଥିବାର ଦେଖିବାକୁ ମିଳିଥିଲା।
ସେହି କିନ୍ନର ଏକ ଗୋଲାପି ଶାଢ଼ୀ ପିନ୍ଧିଥିବା ବେଳେ ତାଙ୍କ ବାମ ପଟ ବେକ ରେ ଏକ ତାରର ଟାଟୁ ଥିବା କଥା କହିଛନ୍ତି ଶିଶୁ କନ୍ୟାର ମାଆ। ଏ ବାବଦରେ ଠାକୁରମୁଣ୍ଡା ଥାନାରେ ମହିଳା ସିପି ପାତ୍ର ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।