ଭୁବନେଶ୍ୱର, ୧୩/୦୪: ରାତିରେ ଶୋଇଥିବା ଅବସ୍ଥାରେ ତାଣ୍ଡବ ରଚିଲା କାଳବୈଶାଖୀ। ଘର ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ । ଘର ଭିତରେ ଶୋଇଥିବା ନାବାଳକ ଗୁରୁତର ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ। କପ୍ତିପଦା ଥାନା କୁଲାସାହି ଅଞ୍ଚଳରେ ଏବଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ଦୁର୍ଗା ହାଁସଦାଙ୍କ ଘର ସମ୍ମୁଖରେ ଥିବା ବିରାଟ ଗଛ ଅଚାନକ ଉପୁଡି ପଡିଥିଲା। ଗଛଟି ଉପୁଡ଼ି ଆଜବେଷ୍ଟସ ଘର ଉପରେ ଗଛ ପଡ଼ିଥିବା ବେଳେ ଘର ଭିତରେ ଶୋଇଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଦୁର୍ଗାଙ୍କ ୩ ବର୍ଷର ନାବାଳକର ମୁଣ୍ଡ ଏବଂ ଆଖିରେ ଗଭୀର ଆଘାତ ଲାଗିଛି। ଯେଉଁଥିରେ ନାବାଳକ ଗୁରୁତର ହୋଇଛି। ଏହା ସହିତ ଘର ଭାଙ୍ଗିଯିବା ସହିତ ସାଇକେଲ ଏବଂ ସ୍କୁଟି ମଧ୍ୟ ଭାଙ୍ଗିଯାଇଛି। ଖବର ପାଇ କପ୍ତିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ହଟାଉଛି।