ଭୁବନେଶ୍ଵର, ୧୪/୦୪ : ବିଜେଡିର ପିଛା ଛାଡ଼ୁନି ବିବାଦ। ସାଙ୍ଗଠନିକ ନିର୍ବାଚନ ଭିତ୍ତିରେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସଙ୍ଗଠନରେ ସଂରକ୍ଷଣ କରିବାକୁ ନବୀନଙ୍କୁ ପ୍ରସ୍ତାବ ଦେଲେ ରାଜା। ସେ ଲେଖିଛନ୍ତି ଯେ,ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଙ୍ଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ ।
ୱାକଫ୍ ବିଲ୍ ନେଇ ମଧ୍ୟ ରାଜା ସ୍ଵାଇଁ ସତର୍କ କରାଇଛନ୍ତି। ସେ ଲେଖିଛନ୍ତି ଯେ, ୱାକପ୍ ବିଲ୍ ବିବାଦ ଆମର ଧର୍ମ ନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ତେଣୁ ଧର୍ମ ନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ। ତେବେ ରାଜା ସ୍ଵାଇଁଙ୍କ ଚିଠି ପରେ ବିଜେଡିରେ ହଲଚଲ୍ ବଢିଛି।
ଏହି ଖବରଟିକୁ ପଢନ୍ତୁ-ବିଜେଡି ସାଂଗଠନିକ ନିର୍ବାଚନ: ୧୯ରେ ରାଜ୍ୟ ସଭାପତି ଘୋଷଣା, ୧୨ ଜିଲ୍ଲା ସଭାପତି ନେଇ କେଁ
ସୂତ୍ର ଅନୁସାରେ, ଆସନ୍ତା ୧୯ ତାରିଖରେ ବିଜେଡି ସାଂଗଠନିକ ନିର୍ବାଚନର ଚୂଡ଼ାନ୍ତ ଦିନ । ସେଦିନ ସଭାପତିଙ୍କ ନାମ ଘୋଷଣା ହେବ । ନବୀନ ପୁଣି ଥରେ ଏହି ପଦରେ ବସିବେ, ଏଥିରେ ସନ୍ଦେହ ନାହିଁ । ଇତିମଧ୍ୟରେ ପ୍ରାୟ ୧୬ଟି ଜିଲ୍ଲାର ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ବିଜେଡିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏତେବେଳକୁ ପଞ୍ଚାୟତରୁ ରାଜ୍ୟସ୍ତର ଯାଏ ଦଳ ଉଠୁଥାନ୍ତା ପଡ଼ୁଥାନ୍ତା । ବଳ କଷାକଷି, ଲବିରେ କମ୍ପାଉଥାନ୍ତେ ତୃଣମୂଳରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତାମାନେ । ମାତ୍ର ସେମିତି କିଛି ବାତାବରଣ ଦେଖିବାକୁ ମିଳୁନି ଏଥର । ଗଣମାଧ୍ୟମରେ ଯେତିକି ଚର୍ଚ୍ଚା ହେଉଛି, ପଦପଦବି ପାଇଁ ନେତା, କର୍ମୀଙ୍କ ଭିତରେ ସେତିକି ଉତ୍ସାହ ଦେଖିବାକୁ ମିଳୁନି ।