ଭୁବନେଶ୍ୱର, ୧୫/୦୪ : ପ୍ରକୃତି ଓ ପରିବେଶ ପ୍ରତି ମନରେ ଥିଲା ଢେର ଭଲପାଇବା। ଚିରାଚରିତ ଧାରାରୁ ବାହାରି ପ୍ରକୃତି ସହିତ ସମୟ ବିତାଇବା ସହ ରୋଜଗାର ବି ହୋଇପାରିବ। ଏଭଳି କିଛି ନୂଆ ଚିନ୍ତାଧାରାକୁ ନେଇ ସେନାରୁ ଅବସର ନେବା ପରେ ଚାଷକୁ ଆପଣାଇନେଲେ। ଆରମ୍ଭ କଲେ ଅର୍କିଡ ଚାଷ । ସହିଦ ନଗରରେ ରହୁଥିବା ଏମିତି ଜଣେ ବ୍ୟକ୍ତି ହେଲେ ୫୮ ବର୍ଷୀୟ କର୍ନେଲ ସୁଜନ ମହାନ୍ତି । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା କଣ୍ଟାପଡ଼ା ଅଞ୍ଚଳରେ ନିଜ ବନ୍ଧୁଙ୍କଠାରୁ ୨୫୦୦ ସ୍କୋୟାର ମିଟର ଜମି ଲିଜରେ ଆଣି ୨ଟି ଅର୍କିଡ ପଲ୍ଲୀ ହାଉସ କରିଛନ୍ତି ସୁଜନ। ସେ ଓ ପତ୍ନୀ ମୋନାଲିସା ମିଶି ଏହି ଚାଷକୁ ଆଗକୁ ନେଇଛନ୍ତି । ‘ଅର୍କିଡ ଆଣ୍ଡ ମୋର୍’ ଫାର୍ମ ନାମକ କମ୍ପାନୀ ପ୍ରତିଷ୍ଠା କରି ଅର୍କିଡ ଫୁଲ ସହ ମହୁ ଚାଷ ବି କରୁଛନ୍ତି । ବିଶେଷକରି ତାଙ୍କ ଅର୍କିଡର ଚାହିଦା ଅଧିକ ।
ସୁଜନ କହନ୍ତି, ୨୦୧୨ ମସିହାରେ ଚାକିରିରୁ ଅବସର ନେବା ପରେ କିଛି ଭିନ୍ନ କରିବା ଲକ୍ଷ୍ୟରେ ଅର୍କିଡ ଚାଷକୁ ଆପଣାଇଥିଲେ । ଏହି ଚାଷ ବାବଦରେ ଇଣ୍ଟରନେଟରୁ ବିଭିନ୍ନ ଜ୍ଞାନ ଆହରଣ କରିବା ସହ ଗଞ୍ଜାମର ହୁମା ଏବଂ ରାଜ୍ୟ ବାହାରେ ସିଲିଗୁଡ଼ି, ମେଘାଳୟ, ପୁନେ ଯାଇ ଅର୍କିଡ ଚାଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଏଥିସହ ଓୟୁଏଟିରୁ ମଧ୍ୟ ସ୍ୱତନ୍ତ୍ର ତାଲିମ ନେଇଥିଲେ । ଯାହାକୁ ଆଧାର କରି ୨୦୧୮ ମସିହାରୁ ସେ ଏହି ଚାଷ ଆରମ୍ଭ କରିଥିଲେ । ପ୍ରଥମ ପଲ୍ଲୀ ହାଉସରେ ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୨୩ରେ ସେ ୫୮ ଲକ୍ଷ ଖର୍ଚ୍ଚରେ ଦ୍ୱିତୀୟ ପଲ୍ଲୀ ତିଆରି କରିଛନ୍ତି । ଦୁଇଟି ପଲ୍ଲୀ ହାଉସରେ ପାଖାପାଖି ୫୦ ହଜାର ଗଛ ଲାଗିଛି । ତେବେ ଚନ୍ଦକା ଜଙ୍ଗଲ ଅଞ୍ଚଳରେ ତାଙ୍କର ଏହି ଚାଷ ହେଉଥିବାରୁ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ଡର ରହିଛି, ସେଥିଲାଗି ସେ ସୋଲାର ଫେନସିଂ କରିଛନ୍ତି । ତାଙ୍କର ଏହି ଫୁଲ କଟକ, ଭୁବନେଶ୍ୱର ସମେତ ରାୟପୁର, ଜାମସେଦପୁର, ମୁମ୍ବାଇ, ପୁନେ କୋଲକତା ଆଦି ସ୍ଥାନକୁ ପଠା ଯାଉଛି । ବର୍ଷକୁ ୧୫ ଲକ୍ଷ ଟଙ୍କାର କାରବାରରୁ ପ୍ରାୟ ୮ ଲକ୍ଷ ଟଙ୍କା ଲାଭ ହେଉଥିବା ସେ କହିଛନ୍ତି ।
ସେ କୁହନ୍ତି ଅର୍କିଡ ଏକ ବ୍ୟୟବହୁଳ ଚାଷ ହୋଇଥିବା ବେଳେ ଏଥିପାଇଁ ଚାଷୀକୁ ଧୈର୍ଯ୍ୟର ଆବଶ୍ୟକତା ରହିଛି । ଲାଭ ପାଇବା ପାଇଁ ଅତି କମରେ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ସେ କହନ୍ତି । ଏହି ଚାଷୀ ଦମ୍ପତି ଅର୍କିଡ ଚାଷରେ ଉଦାହରଣ ସୃଷ୍ଟି କରିବା ସହ ବହୁ ସଂଖ୍ୟାରେ ଲୋକଙ୍କୁ ଏ ସମ୍ପର୍କିତ ଜ୍ଞାନ ଓ ତାଲିମ ମଧ୍ୟ ଦେଉଛନ୍ତି । ଏବେ ସୁଦ୍ଧା ସେମାନେ ପାଖାପାଖି ୧୨୦୦ଜଣଙ୍କୁ ତାଲିମ ଦେଇ ସାରିଲେଣି । ଏଥିପାଇଁ ସେମାନେ ବିଭନ୍ନ ଅନୁଷ୍ଠାନ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛନ୍ତି । ସେ କହନ୍ତି, ବର୍ଷା ଦିନେ ଅର୍କିଡି ଚାଷ ପରିଚାଳନାରେ ଅଧିକ ସତର୍କ ରହିବାକୁ ପଡ଼ିଥାଏ । ୨୦ ରୁ ୨୫ ଡିଗ୍ରୀ ତାପମାତ୍ରା ୪୦ ରୁ ୭୦ପ୍ରତିଶତ ଆର୍ଦ୍ରତା ଅର୍କିଡ ପାଇଁ ବେଶ ଉପଯୋଗୀ ହେଉଥିବା ସେ କହିଛନ୍ତି । ଏହି ଚାଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଗଛର ଖାଦ୍ୟ ପରିଚାଳନା । ସେ ବିଷୟରେ ଚାଷୀ ଯଥେଷ୍ଟ ଭାବେ ଜ୍ଞାନ ଆହରଣ କରିବା ଜରୁରୀ । ସବୁଠୁ ବଡ଼ କଥା ହେଲା ଏହି ଚାଷ ପ୍ରତି ଧୀରେ ଧୀରେ ଆଗ୍ରହ ବଢୁଥିବା ବେଳେ ଅନେକଙ୍କର ଜମି ସମସ୍ୟା ରହୁଛି । ଏଥିପ୍ରତି ସରକାର ଧ୍ୟାନ ଦେଇ ଲିଜ ବ୍ୟବସ୍ଥା ସହ ପିପିପି ମୋଡ୍ରେ ପଦକ୍ଷେପ ନେଲେ ଏ ଚାଷ ଆହୁରି ବ୍ୟାପକ ହୋଇପାରନ୍ତା ।