ଭୁବନେଶ୍ୱର,୧୫/୦୪ : ରାଜ୍ୟରେ ହୃଦ୍ରୋଗୀଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ରୋଗୀ ଠିକ ସମୟରେ ଚିକିତ୍ସା ନପାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଗୋଟିଏ ହସ୍ପିଟାଲ୍ରୁ ଆଉ ଗୋଟିଏ ହସ୍ପିଟାଲ୍ ଜୀବନ ବିକଳରେ ଧାଉଁଛନ୍ତି । ହେଲେ ସବୁଠି ନିରାଶ ହେଉଛନ୍ତି । କାରଣ ୨୫ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ହୃଦ୍ରୋଗ ବିଶେଷଜ୍ଞ ନାହାନ୍ତି । ରାଜ୍ୟରେ ୩୫ଟି ହୃଦ୍ରୋଗ ବିଶେଷଜ୍ଞ ପଦବି ରହିଥିଲେ ହେଁ ଅଛନ୍ତି ୧୦ଜଣ । ସେଥିରେ ବି ଖାଲି ପଡ଼ିଛି ୨୫ ପଦବି । କଥାଟି ବିଶ୍ୱାସ ନହେଲେ ବି ସତ୍ୟ । ରାଜ୍ୟରେ ୭୨% ପଦବିରେ ବିଶେଷଜ୍ଞ ନାହାନ୍ତି । ବାଲେଶ୍ୱର, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର ଆଦି ୫ ଜିଲ୍ଲାରେ ଡାକ୍ତର ଅଛନ୍ତି । ଆଉ ୨୫ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ରେ ବିଶେଷଜ୍ଞ ନାହାନ୍ତି ।
ଚିକିତ୍ସାରେ କ୍ଷଣିକ ବିଳମ୍ବ ହୃଦ୍ରୋଗୀଙ୍କ ଜୀବନ ନେଇଥାଏ । ଜିଲ୍ଲାସ୍ତରରୁ ହୃଦରୋଗୀ ରେଫର୍ ହୋଇ କଟକ କିମ୍ବା ଭୁବନେଶ୍ୱର ଆସିଲା ବେଳକୁ ବାଟରେ ପ୍ରାଣ ଯାଉଛି । ଏଥିରୁ ସ୍ପଷ୍ଟ ଅନୁମେୟ ତୃଣମୂଳସ୍ତରରେ ହୃଦ୍ରୋଗ ଚିକିତ୍ସା ଲାଗି ରୋଗୀ କିଭଳି ଅବସ୍ଥାର ସମ୍ମୁଖୀନ ହେଉଥିବ । ସରକାର ଡାକ୍ତର ପଦବି ପୂରଣ ଦିଗରେ ଉଦ୍ୟମ କରୁଥିବା ଥିବାବେଳେ ହୃଦରୋଗ ଡାକ୍ତରଙ୍କ ଅଭାବ ଏ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ପାଲଟିଛି ।
୨୦୧୫ରୁ ୨୦୨୨ ଭିତରେ ଏନ୍ସିଡି ପ୍ରୋଗ୍ରାମ ମାଧ୍ୟମରେ ରାଜ୍ୟରେ ୬୩,୯୬୭ ଜଣ ହୃଦ୍ରୋଗୀ ଚିହ୍ନଟ ହୋଇଛନ୍ତି । ଏସ୍ସିବିରେ ୨୦୨୧- ୨୨ରେ ୭୯,୫୩୭ ଓପିଡିରେ ଚିକିତ୍ସିତ ହୋଇଥିଲା ବେଳେ ଆଇପିଡିରେ ୩,୨୨୭ ଜଣ ଭର୍ତ୍ତି ହୋଇଥିଲେ । ଏହାବ୍ୟତୀତ ଅନ୍ୟ ମେଡିକାଲ କଲେଜରେ ହୃଦ୍ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ହେଲେ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ରେ ବିଶେଷଜ୍ଞ ନଥିବାରୁ ସ୍ଥିତି ସଙ୍ଗିନ ରହିଛି । ରାଜ୍ୟରେ ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହେଲେ ବିଶେଷଜ୍ଞ ଅଭାବ ରୋଗୀଙ୍କ ଚିନ୍ତା ବଢ଼ାଉଛି ।