ଉଦଳା,୧୩।୪ : ମାତ୍ର ୩ ଫୁଟ ଉଚ୍ଚରେ ଥିବା ବାଉଁଶରୁ ଝୁଲନ୍ତା ଅବସ୍ଥାରେ ଦ୍ଵିତୀୟ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଉଦଳା ଥାନା ଅଧୀନ ଏକ ଆଶ୍ରମ ବିଦ୍ୟାଳୟରେ। ମୃତ ଛାତ୍ରୀ ଜଣକ ହେଲେ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କାନ୍ଦରୀ ମଢେଇ।
ରବିବାର ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇବା ପାଇଁ ଯିବା ସମୟରେ କାନ୍ଦରୀଙ୍କ ସାଙ୍ଗ ବାହାରକୁ ପରିସ୍ରା କରିବା ନିମନ୍ତେ ଆସିଥିଲେ। ଏହି ସମୟରେ ସେ ବିଦ୍ୟାଳୟ ପଛରେ ୩ ଫୁଟ ଉଚ୍ଚରେ ଥିବା ବାଉଁଶରେ କାନ୍ଦରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହା ଅନ୍ୟ ଛାତ୍ରୀମାନେ ଦେଖି ମେଟ୍ରୋନ ଏବଂ ଅନ୍ୟ ମାନଙ୍କୁ ଜଣାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଉଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା। ସେଠାରେ କାନ୍ଦରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମାତ୍ର ୩ ଫୁଟ ଉଚ୍ଚରେ ଛାତ୍ରୀଙ୍କ ମୃତଦେହ ଝୁଲିବା ପୁରା ଘଟଣା କୁ ଅଧିକ ସନ୍ଦେହ ଭିତରକୁ ନେଇଛି। ତେବେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କରିବ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି।