ବାଲେଶ୍ୱର/ରେମୁଣା ୧୩/୦୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ। କୋର୍ଟରେ ହାଜର ପରେ ଜେଲ ପଠାଯିବ ବୋଲି ସୂଚନା ମିଳିଛି। ତହସିଲାଦରରଙ୍କ ଘରେ ଚଢ଼ାଉ ବେଳେ ପୋଷ୍ଟାଲ୍ ଆକାଉଣ୍ଟରେ ୧ କୋଟି ଟଙ୍କା ଭୁବନେଶ୍ବର ଏବଂ ବାଲେଶ୍ବରରେ ୩ଟି ଦାମୀ ଫ୍ଲାଟ, ଦୁଇଟି ପ୍ଲଟ ଏବଂ ପାଖାପାଖି କେଜିଏ ସୁନା ଜବତ କରିଥିଲା ଭିଜିଳାନ୍ସ ଟିମ୍।
ମଙ୍ଗଳବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘର ସମେତ ୭ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଭଲାନ୍ସ ।ଏହି ସମୟରେ ୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା ।ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରୁଦ୍ରପୁର ଆସୋଟେକ୍ ପ୍ରାଇଡ୍ରେ ୩ ବିଏଚ୍କେ ଫ୍ଲାଟ୍ । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୨ କୋଟି ଟଙ୍କା । ଭୁବନେଶ୍ୱର ଶୈଳେଶ୍ରୀ ବିହାରରେ ଥିବା ଟିଟି ଆପାର୍ଟମେଣ୍ଟରେ ୩ ବିଏଚ୍କେ ଫ୍ଲାଟ୍, ବାଲେଶ୍ୱରରେ ୩ ବିଏଚ୍କେ ଫ୍ଲାଟ୍, ବାଲେଶ୍ୱର ଓ ଭୁବନେଶ୍ୱରରେ ୨ଟି ଦାମୀ ପ୍ଲଟ୍ । ସବୁଠାରୁ ବଡ଼ କଥା ହେଲା ତାଙ୍କ ପୋଷ୍ଟାଲ୍ ଆକାଉଣ୍ଟରେ ୧ କୋଟି ଟଙ୍କା ଥିବା ଜଣାପଡ଼ିଛି । ଉକ୍ତ ଟଙ୍କା ବିଭିନ୍ନ ରାଜ୍ୟରୁ ଜମା ହୋଇଛି । ତା’ଛଡ଼ା କିଛି ଦିନ ତଳେ ଭୁବନେଶ୍ୱରରୁ ନଗଦ ୨୦ ଲକ୍ଷ ଟଙ୍କା ଉକ୍ତ ପୋଷ୍ଟାଲ୍ ଆକାଉଣ୍ଟରେ ଜମା ହୋଇଛି । ଅନ୍ୟ ବ୍ୟାଙ୍କ୍ ଜମା ୨୨ ଲକ୍ଷ ଟଙ୍କା, ୧ କେଜି ସୁନା ଅଳଙ୍କାର, ଗୋଟିଏ ଦାମୀ କାର୍ ଓ ୨ଟି ବାଇକ୍ ଠାବ ହୋଇଛି । ଭୁବନେଶ୍ୱର ଡୁମୁଡୁମାରେ ବିଦ୍ୟାଧରଙ୍କ ସମ୍ପର୍କୀୟଙ୍କ ଘର (ଫ୍ଲାଟ ନଂ ୬୨୫ ମାର୍ସ ଭିଲ୍ଲା, ଏଚ୍ଏନ୍-୭)ରେ ଚଢ଼ଉ କରାଯାଇ କିଛି କାଗଜପତ୍ର ଠାବ ହୋଇଥିଲା । ଚଢ଼ଉରେ ଭିଜିଲାନ୍ସର ୬ ଡିଏସ୍ପି, ୩ ଇନ୍ସପେକ୍ଟର ଏବଂ ୧୦ ଏଏସ୍ଆଇ ସାମିଲ ହୋଇଥିଲେ।
ଶ୍ରୀ ପତି କନିଷ୍ଠ କିରାଣିରୁ ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ବରିଷ୍ଠ କିରାଣିକୁ ପଦୋନ୍ନତି ହୋଇଥିଲା । ଏହି ସମୟ ଭିତରେ ସେ ଓଆର୍ଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ରେମୁଣାରେ କିଛି ବର୍ଷ ପାଇଁ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ । ସେଠାରୁ ଅନ୍ୟତ୍ର ବଦଳି ହୋଇଥିଲା । ନିକଟରେ ସେ ତହସିଲଦାର ଭାବେ ରେମୁଣାରେ ଯୋଗ ଦେଇଥିଲେ ।