ରାଉରକେଲା,୧୪/୫ : ବଳାତ୍କାରୀକୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଉରକେଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ପି. ସୂର୍ୟା ରାଓ । ୨୦୨୦ଜୁଲାଇ ୬ତାରିଖ ରାତିରେ ପୀଡ଼ିତା ଲାଠିକଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବିଶ୍ରା ଥାନା ଅନ୍ତର୍ଗତ ରତକଣି ଗ୍ରାମର ଶୁକରାମ ନାଗ ସହ ତାଙ୍କର ୨ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇ ଶୁକରାମ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଫଳରେ ସେ ୭ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ବର୍ତ୍ତମାନ ଶୁକରାମ ବିବାହ କରିବାକୁ ମନା କରୁଛନ୍ତି।
ପୁଲିସ ଏକ ମାମଲା ରୁଜୁ କରି ଶୁକରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ପ୍ରମାଣ ଓ ତଥ୍ୟକୁ ଭିତ୍ତି କରି ଆସାମୀ ଶୁକରାମକୁ ୧୦ବର୍ଷ କାରାଦଣ୍ଡ ଓ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ରାଶି ନ ଦେଲେ ଅଧିକ ୨ବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ ଚନ୍ଦ୍ର ଦାଶ ପରିଚାଳନା କରିଥିଲେ।