ଶୁଳିଆପଦା,୧୪/୫: ବରଯାତ୍ରୀ ଗାଡ଼ି ଧକ୍କାରେ ସାଇକେଲରେ ଯାଉଥିବା ବୃଦ୍ଧ –ବୃଦ୍ଧା ମୃତ । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ଶାଳବଣି ଗ୍ରାମର ପ୍ରତାପ ତୁଙ୍ଗ ଓ ତାଙ୍କ ପତ୍ନୀ ବାସମଣି । ଏ ନେଇ ଶୁଳିଆପଦା ଥାନାରେ ଏକ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ, ଶାଳବଣି ଗ୍ରାମର ପ୍ରତାପ ତୁଙ୍ଗ ଓ ତାଙ୍କ ପତ୍ନୀ ବାସମଣି ସାଇକେଲରେ ବାଘଡ଼ା ଆସୁଥିଲେ। ଏହି ସମୟରେ ଏକ ବାହାଘରିଆ ଗାଡ଼ି ଆସବାବପତ୍ର ଓ ବିଭିନ୍ନ ସାମଗ୍ରିକ ଲୋଡ଼ କରି ବାଘଡ଼ାରୁ ମୋରଡ଼ା ପଟକୁ ବହୁ ଦୃତ ଗତିରେ ଯାଉଥିଲା । ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଡାହାଣ ପଟକୁ ଯାଇ ସାଇକେଲରେ ଆସୁଥିବା ବୃଦ୍ଧ- ବୃଦ୍ଧାଙ୍କୁ ବହୁ ଜୋରରେ ଧକ୍କା ଦେଇଥିଲା । । ଫଳରେ ଉଭୟେ ବହୁ ଜୋରରେ ଛିଟିକି ହୋଇ ରାସ୍ତା କଡ଼ରେ ଥିବା ବିଲ ମଝିରେ ପଡ଼ି ଯାଇଥିଲେ ।
ଟାଟା ଏସିଟି ମଧ୍ୟ ରାସ୍ତା ତଳକୁ ଯାଇ ବିଲ ମଝିରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ଦେଖି ଆଖପାଖ ଲୋକ ଦୌଡ଼ି ଆସି ବୃଦ୍ଧ ଓ ବୃଦ୍ଧାଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ତିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ । ମେଡ଼ିକାଲ ଯିବା ରାସ୍ତାରେ ପ୍ରତାପ ତୁଙ୍ଗଙ୍କ ମୃତ୍ୟୁ ଘଟିଛି ଓ ପ୍ରତାପଙ୍କ ପତ୍ନୀ ବାସମଣିଙ୍କ ଗୁରୁତର ଭାବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଘଟଣା ଟି ଶୁଳିଆପଦା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ଶୁଳିଆପଦା ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି ।