ଆଠଗଡ଼, ୧୪/୫ : ଆଠଗଡ଼ ଥାନା ଅନ୍ତର୍ଗତ ହରିଡାଗହିର ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି। ଆହତ ଯୁବକ ଜଣଙ୍କ ଉକ୍ତ ଗାଁର ଶୁରେଷ ମଲ୍ଲିକଙ୍କ ପୁଅ ମଧୁସୂଦନ (୨୬)। ତେବେ ଟଙ୍କା ଦିଆନିଆକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଆଠଗଡ଼ ଥାନା ଅନ୍ତର୍ଗତ ହରିଡାଗହିର ଗାଁର ଶୁରେଷ ମଲ୍ଲିକଙ୍କ ପୁଅ ମଧୁସୂଦନ ଲୋନ କରାଇ ଦେବା ପାଇଁ ସେହି ଗାଁର ଜଣେ ଯୁବକକୁ ଟଙ୍କା ଦେଇଥିଲେ। ତେବେ ଲୋନ ନ ହେବାରୁ ମଧୁସୂଦନ ତାଙ୍କ ଟଙ୍କା ଫେରାଇ ଦେବା ପାଇଁ କହିବାରୁ ଦୁଇ ଯୁବକଙ୍କ ମଧ୍ଯରେ କଥା କଟା କଟି ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଟଙ୍କା ନେଇଥିବା ସେହି ଗାଁର ଦାମୋଦର ମହାନ୍ତିଙ୍କ ପୁଅ ଦାଶରଥି ଏକ ଛୁରିରେ ମଧୁସୂଦନଙ୍କୁ ତିନି ଥର ଆକ୍ରମଣ କରିଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ମଧୂସୁଦନଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ଼ ମେଡ଼ିକାଲ ରେଫର କରାଯାଇଛି। ଖବରପାଇ ଆଠଗଡ଼ ମେଡ଼ିକାଲରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।