ଖୋର୍ଦ୍ଧା,୧୪/୫ : ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ବିଧାନସଭା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ଶ୍ରୀ ଜଗଦେବ ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଥିବା ବିଭିନ୍ନ ଯୋଜନା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସେହିପରି ସମସ୍ତ ଯୋଜନା ସୁଫଳ ତୃଣମୂଳସ୍ତରର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସରକାରୀ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
ବିଭିନ୍ନ ଯୋଜନାରେ ଖର୍ଚ୍ଚ ହୋଇଥିବା ବିନିଯୋଗପତ୍ର ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ୟାମଳେନ୍ଦୁ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରାଜ୍ୟଶ୍ରୀ ପଟ୍ଟନାୟକ, ଜିଲ୍ଲା କୃଷି ମୁଖ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ସେନାପତି ପ୍ରମୁଖ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।