ନୂଆଦିଲ୍ଲୀ: ରନ୍ୟା ରାଓ ୨୦୧୪ରେ କନ୍ନଡ ଚଳଚ୍ଚିତ୍ର "ମାଣିକ୍ୟ" ମାଧ୍ୟମରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ତାମିଲ ଚଳଚ୍ଚିତ୍ର "ୱାଗା" (୨୦୧୬) ଏବଂ କନ୍ନଡ ଚଳଚ୍ଚିତ୍ର "ପଟାକି" (୨୦୧୭) ରେ ତାଙ୍କର ଭୂମିକା ପାଇଁ ଲୋକପ୍ରିୟତା ପାଇଥିଲେ । ତାଙ୍କ ଅଭିନୟ ତାଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଏକ ଉଲ୍ଲେଖନୀୟ ସ୍ଥାନ ପ୍ରଦାନ କରିଛି। କିନ୍ତୁ ଆଗଧାଡ଼ିର ଏହି ନାୟିକା ଏବେ ଜେଲ୍କୁ ଯାଇଛନ୍ତି ।
ସୁନା ଚୋରାଚାଲାଣ ଅଭିଯୋଗରେ ତାଙ୍କୁ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ କରିଛି ପୋଲିସ । ରନ୍ୟା ରାଓ ବେଙ୍ଗାଲୁରୁର ଦୟାନନ୍ଦ ସାଗର କଲେଜ ଅଫ୍ ଇଞ୍ଜିନିୟରିଂରେ ତାଙ୍କର ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରିଥିଲେ । ପରେ ସେ ଅଭିନୟ ଶିଖିବାକୁ କିଶୋର ନମିତ କପୁର ଅଭିନୟ ପ୍ରତିଷ୍ଠାନରେ ଯୋଗ ଦେଇଥିଲେ । ସବୁଠାରୁ ବଡ଼ କଥା ହେଉଛି, ରନ୍ୟାଙ୍କ ସାବତ ବାପା କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଛନ୍ତି । ରନ୍ୟାଙ୍କ ମା’ ଆଇପିଏସ୍ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ରାମଚନ୍ଦ୍ର ରାଓଙ୍କ ମଧ୍ୟ ଏହା ଦ୍ବିତୀୟ ବିବାହ ।
ମିଳିଥିବା ସୂଚନା ଅନୁସାରେ, ରନ୍ୟା ଅନେକ ସମୟରେ ଦୁବାଇରୁ ଭାରତକୁ ସୁନା ଚୋରା ଚାଲାଣ କରୁଥିଲେ । କିନ୍ତୁ ଏଥର ତାଙ୍କ ସମୟ ଖରାପ ଥିଲା ଏବଂ ସେ ଡିଆରଇ ଅଧିକାରୀଙ୍କ ହାତରେ ସେ ଧରା ପଡ଼ିଯାଇଥିଲେ । ଡିଆରଆଇ ଅଧିକାରୀମାନେ ବିମାନ ଆସିବାର ଦୁଇ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚି ଦୁବାଇରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ । ଏହି ସମୟରେ ଟିମ୍ ରାନ୍ୟାଙ୍କୁ ଯାଞ୍ଚ ପାଇଁ ଚେଷ୍ଟା କରିବାରୁ ସେ ପ୍ରଥମେ ତାଙ୍କ ବାପାଙ୍କ ନାଁ ନେଇ ସେମାନଙ୍କୁ ଭୟଭୀତ କରିଥିଲେ ।
ଏହା ସତ୍ତ୍ୱେ ଡିଆରଆଇ ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ ଏବଂ ରନ୍ୟା ପିନ୍ଧିଥିବା ପୋଷାକ ଭିତରେ ବହୁ ପରିମାଣରେ ସୁନା ପାଇଥିଲେ । ରନ୍ୟା ତାଙ୍କ ପୋଷାକର ଭିତର ଭାଗରେ ୧୪.୮ କିଲୋଗ୍ରାମ ସୁନାକୁ ଏକ ଆସ୍ତରଣ ଭାବରେ ସଜାଇ ରଖିଥିଲେ । ଡିଆରଆଇ ଅଧିକାରୀଙ୍କ ଅନୁଯାୟୀ, ଅଭିନେତ୍ରୀ ରାନ୍ୟା ରାଓଙ୍କଠାରୁ ଉଦ୍ଧାର ହୋଇଥିବା ସୁନାର ମୂଲ୍ୟ ୧୨ କୋଟି ଟଙ୍କାରୁ ଅଧିକ ହେବ । ଏବେ ଡିଆରଆଇ ଏହି ରାକେଟ୍ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।