ଉତ୍ତରପ୍ରଦେଶ, ୬।୩: ବ୍ୟାନ ହେଲା ଗୁଟଖା-ପାନ ମସଲା । ଏବେ ଗୁଟଖା ଖାଇଲେ କିମ୍ୱା ଛେପ ପକାଇଲେ ଦେବାକୁ ପଡ଼ିବ ଜୋରିମାନା । ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ନିୟମ ନ ମାନିଲେ ଲାଗୁ ହେବ ୧୦୦୦ ଟଙ୍କା ଜୋରିମାନା । ଏହାସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କେଉଁ ରାଜ୍ୟରେ ଲାଗୁ ହୋଇଛି ଆସନ୍ତୁ ଜାଣିବା ।
ତେବେ ଏହି ନିୟମ ଓଡ଼ିଶାରେ ଲାଗୁ ହୋଇନାହିଁ ବରଂ ଉତ୍ତରପ୍ରଦେଶ ସରକାର ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଏହି ନିୟମ ପାଳନ କରିବାକୁ ବାଧ୍ୟ । ଯିଏ ଏହି ନିୟମକୁ ନ ମାନିବ ତା’ ଉପରେ ଜୋରିମାନା ଲଗାଯିବ । କହିରଖୁ କି, ଏହି ବ୍ୟାନ୍ ପୁରା ଉତ୍ତରପ୍ରଦେଶରେ ଲଗାଯାଇନାହିଁ । ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି । ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଯାହା ପରେ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ୟୁପି ବିଧାନସଭାର ବାଚସ୍ପତି କହିଥିଲେ ଯେ, ‘ମୁଁ ସକାଳେ ଏଠାକୁ ଆସିବା ପରେ ଜାଣିବାକୁ ପାଇଲି ଯେ, କିଛି ସଦସ୍ୟ ବିଧାନସଭା ଭିତରେ ପାନ ମସଲା ଖାଇ ମଇଳା କରୁଛନ୍ତି । ମୁଁ ସେମାନଙ୍କୁ ସିସିଟିଭିରେ ଦେଖିଛି । ଯିଏ ଏହା କରିଛନ୍ତି ସେ ନିଶ୍ଚିତ ଭାବେ ଭୁଲ୍ କରିଛନ୍ତି ।‘ ଏହି ଘଟଣାକୁ ନେଇ ବାଚସ୍ପତି ବିଧାନସଭାରେ ଆଲୋଚନା ମଧ୍ୟ କରିଥିଲେ । ଏହି ଘଟଣାପରେ ବିଧାନସଭା ପରିସରରେ ପାନ ମସଲା ଏବଂ ଗୁଟକାକୁ ବ୍ୟାନ୍ କରାଯାଇଛି । ଏଥିସହିତ ବିଧାନସଭା ପରିସରରେ ଗୁଟଖା ଖାଉଥିବା ସମୟରେ ଯଦି କେହି ଧରାପଡ଼ନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।