ଭୁବନେଶ୍ବର ୦୪/୦୩: ରାଜଧାନୀରେ ଖଣ୍ଡାଧାରୀଙ୍କ ଗୁଣ୍ଡାରାଜ। ପଥରବନ୍ଧ ବସ୍ତିରେ ବୁଲାଇଲେ ଖଣ୍ଡ। ଯାହାକୁ ପାରିଲେ ତାକୁ ମାଡ଼ ମାରିଲେ, ଆଉ ଭୁଜାଲି ଚୋଟ୍ ଦେଲେ । ରାତି ତମାମ ଏପରି ପତିଆରା ଦେଖାଇଲେ ୩ ଯୁବକ। ପୁରା ଅଞ୍ଚଳରେ ଆତଙ୍କ ଖେଳାଇ ଫେରାର ହୋଇଗଲେ । ୨ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲ ଚିକିତ୍ସା କରାଯାଇଛି। ସହିଦନଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ତନାଘନା।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ହାତରେ ଖଣ୍ଡା, ଭୁଜାଲି ଧରି ପଥରବନ୍ଧ ବସ୍ତିରେ ପଶିଥିଲେ। ରାତି ତମାମ ସେଠାରେ ଆତଙ୍କ ଖେଳାଇଥିଲେ। ଯାହାକୁ ପାରିଲେ ତାକୁ ମାଡ଼ ମାରିବା ସହ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ। ଏପରିକି ଗୋଟିଏ ଅଟୋକୁ ଭାଙ୍ଗି ଚୁର୍ମାର କରିଦେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଜଣ ବାମ ପେଟରେ ଖଣ୍ଡା ଚୋଟ ଲାଗିଛି। ଏନେଇ ବସ୍ତିଲୋକ ପିସିଆରକୁ ସୂଚନା ଦେଇଥିଲେ। ହେଲେ ପୁଲିସ ପହଞ୍ଚିବା ଆଗରୁ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ପରେ ବସ୍ତିଲୋକ ସହିଦନଗର ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ଏଥି ସହିତ ସ୍ଥାନୀୟ କର୍ପୋରେଟରଙ୍କ ସହ ପଥରବନ୍ଧ ବସ୍ତି ଲୋକଙ୍କ ସଭା ବସିଥିବା ଜଣାପଡ଼ିଛି। ତିନି ଯୁବକଙ୍କୁ ତଡ଼ିପାର୍ ପାଇଁ ସ୍ଥାନୀୟ ଲୋକେ ଯୋଜନା କରିଥିବା ସୂଚନା ମିଳିଛି।