- ରେଳବାଇ ପେପର ଲିକ୍ ମାମଲାରେ ୨୬ ଜଣ ଅଧିକାରୀଙ୍କୁ ଗିରଫ କଲା ସିବିଆଇ
- ପେପର ଲିକ୍ ସୂଚନା ପାଇବା ପରେ DDU ଡିଭିଜନରେ ଚଢାଉ କରାଯାଇଥିଲା
- ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଲୋକୋ ପାଇଲଟ ଏବଂ ଅନ୍ୟାନ୍ୟ ରେଳ କର୍ମଚାରୀ ଅଛନ୍ତି
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପ୍ରଶ୍ନପତ୍ର ଲିକ୍ ନେଇ ମାମଲା ସାମ୍ନାକୁ ଆସିଛି। ଏହି ପେପର ଲିକ୍ ମାମଲା ପୂର୍ବ-କେନ୍ଦ୍ରୀୟ ଜୋନ୍ ରେଳବାଇର ଡିଡିୟୁ ରେଳ ଡିଭିଜନ ସହିତ ଜଡିତ । ମୁଖ୍ୟ ଲୋକୋ ଇନ୍ସପେକ୍ଟର ପଦବୀ ପାଇଁ ଆଭ୍ୟନ୍ତରୀଣ ବିଭାଗୀୟ ପରୀକ୍ଷା ମାର୍ଚ୍ଚ ୪ରେ ହେବାର ଥିଲା । କିନ୍ତୁ ପରୀକ୍ଷା ହେବା ପୂର୍ବରୁ ପେପର ଲିକ୍ ହୋଇଥିଲା । ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ଏପର୍ଯ୍ୟନ୍ତ ୧୬ ଜଣ ଲୋକୋ ପାଇଲଟଙ୍କ ସମେତ ୨୬ ଜଣ ରେଳ ଅଧିକାରୀଙ୍କୁ ଗିରଫ କରାଯାଇଛି । ଏପରିକି ବହୁ ରେଳ ଅଧିକାରୀ ସିବିଆଇ ରାଡାରରେ ଅଛନ୍ତି ।
ଏହି ମାମଲାରେ CBI, ଡିଡିୟୁ ଡିଭିଜନର ୮ଟି ସ୍ଥାନରେ ଚଢାଉ କରିଥିଲା । ଯେଉଁଠାରୁ ପେପର ଲିକ୍ ସହ ଜଡିତ ଅନ୍ୟାନ୍ୟ ଜିନିଷ ସହିତ ୧ କୋଟି ୧୭ ଲକ୍ଷ ଟଙ୍କା ଜବତ କରାଯାଇଛି । ପେପର ଲିକ୍ ହେବାରୁ ପରୀକ୍ଷା ହୋଇପାରି ନାହିଁ । ସିବିଆଇ ଅଧିକାରୀମାନେ କହିଛନ୍ତି ଯେ, ଲିକ୍ ହୋଇଥିବା ପେପରଟି ମାର୍ଚ୍ଚ ୩ ଏବଂ ୪ ତାରିଖ ମଧ୍ୟରାତ୍ରିରେ ମୁଗଲସରାଇରେ ଛାତ୍ରମାନଙ୍କୁ ଦିଆଯାଇଥିଲା । ଏହି ଗମ୍ଭୀର ମାମଲାରେ ସିବିଆଇ ଜଣେ ବରିଷ୍ଠ ବିଭାଗୀୟ ବୈଦ୍ୟୁତିକ ଇଞ୍ଜିନିୟର ଅର୍ଥାତ୍ DEE (ଅପରେସନ୍), ଅନ୍ୟ ଆଠ ଜଣ ରେଳ ଅଧିକାରୀ, ଅଜଣା ପ୍ରାର୍ଥୀ ଏବଂ ଅନ୍ୟାନ୍ୟ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସିବିଆଇ ପ୍ରାପ୍ତ ସୂଚନା ଆଧାରରେ, ପ୍ରଥମେ ତିନୋଟି ପୃଥକ ଦଳ ଗଠନ କରାଯାଇଥିଲା । ଏହି ଦଳଗୁଡ଼ିକ ମାର୍ଚ୍ଚ ୩ ଓ ୪ ରାତିରେ ମୁଗଲସରାଇର ତିନୋଟି ସ୍ଥାନରେ ଚଢାଉ କରିଥିଲେ । ଏହି ସମୟରେ ପ୍ରଶ୍ନପତ୍ରର ଫଟୋକପି ରଖିଥିବା ୧୭ ଜଣ ପ୍ରାର୍ଥୀଙ୍କୁ ପାଇଥିଲା ସିବିଆଇ ଟିମ୍ ଏବଂ ସେମାନଙ୍କୁ ଗିରଫ କରିଥିଲା । ସେପଟେ ପେପର ପ୍ରସ୍ତୁତ କରିବାର ଦାୟିତ୍ୱ ଅଭିଯୁକ୍ତ ବରିଷ୍ଠ ଡିଇଇ (ଅପ୍ସ) ଏବଂ ଅନ୍ୟମାନଙ୍କୁ ଦିଆଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ସିବିଆଇ । ତେବେ ପ୍ରଶ୍ନପତ୍ରକୁ ହିନ୍ଦୀରେ ଅନୁବାଦ କରିଥିବା ଅଧିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।