ପ୍ରମୂଖ ଖବର
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଆଜି ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ହେବ ପୁଷ୍ୟାଭିଷେକ ନୀତି

Published By : Harapriya Sethi | January 13, 2025 10:16 AM

ପୁରୀ,୧୩/୦୧ : ସୋମବାର ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି । ପୁଷ ପୂର୍ଣ୍ଣିମା ନାମରେ ଏହା ପରିଚିତ ଅଟେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ଯାତ୍ରା ଅଟେ । ଆଜିର ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି । ଆଜି ରତ୍ନସିଂହାସନରେ ଶ୍ରୀଜୀଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେବେ। 

"ସର୍ବଣାମ ସର୍ବ ଦେବାନାମ

ରାଜା ଶ୍ରୀ ପୁରୁଷୋତ୍ତମଃ"

ପବିତ୍ର ପୌଷ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସୁନାବେଶ ତାହା ସହ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ପୂରାଣ ଅନୁଯାୟୀ ଆଜିର ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣ କରି ପ୍ରତି ବର୍ଷ ଏହି ଦିନ ଦେବ ମନ୍ଦିର ମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଶାସ୍ତ୍ରରେ ଏ ଉତ୍ସବ ନେଇ ଉଲ୍ଲେଖ ଅଛି:

"ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ । 

ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥ ସିଦ୍ଧୟେ ॥

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ । ନୀଳାଦ୍ରୀ ମହୋତ୍ସବରେ ଲେଖାଅଛି:

“ଏବଂଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ ।

 ଅଭିଷେକୋତ୍ସଙ୍କ ଯେ ବୈ ପଶ୍ୟନ୍ତି ଭୂବିମାନବାଃ ॥

 ସର୍ବପାପର୍ବିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ । 

ସର୍ବାନକାମାନ ପରଂଲବ୍‌ଧ୍ୱା ବିଷ୍ଣଲୋକଂ ବ୍ରଜନ୍ତିତେ ॥”

‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ଏହାକୁ ‘ପୁଷ୍ୟ ସ୍ନାନୋତ୍ସବ’ ବୋଲି କୁହାଯାଇଛି । ମୁନିଗଣଙ୍କର ପ୍ରଶ୍ନର ଉତ୍ତରରେ ଜୈମିନୀ ଋଷି କହିଛନ୍ତି-  “ହେ ମୁନିଗଣ ! ଯେଉଁ ବର୍ଷ ପୌଷମାସ ପୂର୍ଣ୍ଣିମାରେ ପୁଷ୍ୟା ନକ୍ଷତ୍ର ଯୋଗ ହେବ, ସେହି ବର୍ଷ ଭଗବାନ ହରିଙ୍କ ପୁଷ୍ୟସ୍ନାନ ମହୋତ୍ସବ କରିବା ବିଧେୟ । ” ‘ବାମଦେବ ସଂହିତା’ ଓ ‘ନୀଳାଦ୍ରି ମହୋଦୟ’ ଆଦି ଗ୍ରନ୍ଥରେ ଏହାକୁ ‘ପୁଷ୍ୟୋତ୍ସବ’, ‘ପୁଷ୍ୟଯାତ୍ରା’, ‘ଅଭିଷେକୋତ୍ସବ’ କୁହାଯାଇଛି ।

‘ବ୍ରହ୍ମପୁରାଣ’ ଅନୁସାରେ, ପୂର୍ବକାଳରେ ଏହି ଜଗତ ଲକ୍ଷ୍ମୀ ପରିତ୍ୟକ୍ତ ହେବାରୁ ଶ୍ରୀହୀନ ହୋଇଯାଇଥିଲା। କିନ୍ତୁ, ଇନ୍ଦ୍ର, ସୋମ, ଶୁକ୍ର ଓ ବୃହସ୍ପତି ଆଦି ତପସ୍ୟା କରିବାରୁ, ପୌଷପୂର୍ଣ୍ଣମୀ ତିଥିରେ ପୁନଶ୍ଚ ଲକ୍ଷ୍ମୀଙ୍କଦ୍ୱାରା ଏହି ଜଗତକୁ ଶ୍ରୀ ଫେରିଥିଲା । ଏଣୁ ଏହି ତିଥିରେ ସୌଭାଗ୍ୟ ପ୍ରଦାୟକ ଓ ଉତ୍ସାହବ୍ୟଞ୍ଜକ ପୁଷ୍ୟୋତ୍ସବ ଅନୁଷ୍ଠିତ ହୁଏ । ବରାହମିହିର ପ୍ରଣୀତ ‘ବୃହତ୍ ସଂହିତା’ରେ ଥିବା ଉଲ୍ଲେଖ ଅନୁସାରେ- ଦେବତା ଓ ଅସୁରଙ୍କ ଯୁଦ୍ଧରେ ଦେବତାମାନେ ପରାସ୍ତ ହେଲେ । ଫଳରେ ସେମାନଙ୍କର ଗୁରୁ ବୃହସ୍ପତି ଏହି ତିଥି ଓ ନକ୍ଷତ୍ରରେ ଦେବରାଜ ଇନ୍ଦ୍ରଙ୍କୁ ଧ୍ୟାନଯୋଗେ ଅଭିଷିକ୍ତ କରାଇଥିଲେ । ଫଳରେ ଦେବରାଜ ଇନ୍ଦ୍ରଙ୍କ ସମେତ ଅନ୍ୟ ଦେବଗଣ ଶକ୍ତିଶାଳୀ ହୋଇ ଅସୁରଙ୍କୁ ପରାସ୍ତ କରିଥିଲେ । ଏଣୁ ଏହି ତିଥିରେ ରାଜାମାନଙ୍କର ମଧ୍ୟ ଅଭିଷେକ ଉତ୍ସବ ଆୟୋଜିତ ହୋଇଥାଏ । 

ଶ୍ରୀଜଗନ୍ନାଥ ଚେତନାରେ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ସେ ଦେବା ଧିଦେବ। ତେଣୁ ପୌଷପୂର୍ଣ୍ଣିମାରେ, ଶ୍ରୀମନ୍ଦିରର ରତ୍ନସିଂହାସନରେ ତାଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ପୁଷ୍ପବେଶ ଅନୁଷ୍ଠିତ ହୁଏ । ସେଥିରେ ଶ୍ରୀଜଗନ୍ନାଥ, ବାଉଁଶ ପାତିଆ, କୁନ୍ଦ ଓ ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପଧନୁ ଓ ପୁଷ୍ପତୀର ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍‌ଗ, ଢାଲ ଏବଂ ହଳ ଓ ମୂଷଳ ଧାରଣ କରିଥାନ୍ତି । ଏହା ତାଙ୍କର ଏକ ଐଶ୍ୱର୍ଯ୍ୟ ବେଶ । ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ। 

ପୌଷପୂର୍ଣ୍ଣିମା ପୂର୍ବଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେ ରଖାଯାଇଥାଏ। ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ ରଖାଯାଏ। ଏହି ଗରାମାନଙ୍କୁ ଦେଉଳ ପୁରୋହିତ ଚେମେଡ଼ି ପତନି ଘୋଡ଼ାଇ ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି। ପରେ ଭୋଗମଣ୍ଡପ ଦ୍ୱାର ବନ୍ଦହୋଇ ତଡ଼ଉକରଣ ମୁଦ ଦିଅନ୍ତି। ପରେ ପରେ ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୁତ ପୁଷ୍ପ ଓ ଚନ୍ଦନାଦି ଦ୍ୱାରା ଅଧିବାସ ହୁଏ। ଏକାଦଶୀ ଦିନ ଦେଉଳ ପୁରୋହିତ ସ୍ନାନବେଦୀ ପାଖରେ ଅଙ୍କୁରାରୋପଣ ପୂଜା କରିଥିବେ। 

ଶ୍ରୀମନ୍ଦିର ଭିତରବେଢାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠସୁଆଁସିଆଙ୍କ ଦ୍ୱାରା ଏକ ଯଜ୍ଞଶାଳା ନିର୍ମିତ ହୋଇଥାଏ। ପୂର୍ଣ୍ଣିମା ଦିନ ସକାଳଧୂପ ପୂଜା ବସିଥିବା ବେଳେ ଏଠାରେ ହୋମ କରାଯାଏ। ଭିତରେ ସକାଳଧୂପ ଶେଷ ପରେ ପାଣିପଡ଼ିବା ପରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୈଲମ ହୋଇ ତଡ଼ପ ଉତ୍ତରୀ ଲାଗି କରାଯାଏ। ପରେ ମହାସ୍ନାନ ପୂଜା ଠା' ହୁଏ। ଗତଦିନରେ ଅଧିବାସ ହୋଇଥିବା ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷଘରୁ ନିଆଁ ଅଣାଯାଏ ଓ ସେଥିରେ ଘିଅକୁ ତରଳାଯାଇ କୁମ୍ଭମାନଙ୍କରେ ଥିବା ପାଣିରେ ମିଶାଯାଏ। ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ଗରାବଡୁମାନେ ବାଘମୁହାଁ ବାନ୍ଧି ଘଣ୍ଟ ଛତା କାହାଳୀ ସହ ତଳିଛ ପ୍ରଧାନୀ ପଟୁଆରରେ ଆସି ଚାରିଥରେ ଚାରିଟି ପନ୍ତିରେ ରଖନ୍ତି   ଏହା ପରେ ଶୀତଳ ଭୋଗ ଛେକ ଆସେ। ତା'ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି। ପୂଜାପଣ୍ଡା ଓ ଦେଉଳ ପୁରୋହିତ ପାତ୍ରି, ଅଧିବାସ ଦର୍ପଣ ପାଖରେ ଧରିଥାନ୍ତି। ଗରାବଡୁମାନେ ଘିଅ ଓ ଜଳ ଉକ୍ତ ପାତ୍ରିରେ ଦେଇ ଦର୍ପଣ ଉପରେ ଲାଗି କରାନ୍ତି (କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ)। ପାଣି ପଡ଼ିବା ପରେ ପୁଷ୍ପାଳକମାନେ ମଇଲମ କରି ନୂଆ ଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାନ୍ତି। ଏହା ପରେ ଲକ୍ଷ୍ମୀ ଆଜ୍ଞାମାଳ ପାଇ ପାଲିଙ୍କିରେ ଯାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ ହୁଅନ୍ତି। ସେଠାରେ ତାଙ୍କର ମାଜଣା, ଚନ୍ଦନଲାଗି ବେଶ ହୁଏ ।ଏହା ପରେ ଭିତରେ ମହାପ୍ରଭୁଙ୍କର ଅଭିଷେକ ବେଶ, ସ୍ୱର୍ଣ୍ଣ ଅଳଙ୍କାର ଲାଗି, ମାଳଫୁଲ କର୍ପୂର ଲାଗି ପରେ ରୋଷଘରୁ ଘଣ୍ଟ ,ଛତା, କାହାଳୀ, ପଟୁଆରରେ ପୁଷ୍ୟାଭିଷେକ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ। ଏହା ପରେ ଲକ୍ଷ୍ମୀ ବାହୁଡ଼ାବିଜେ ହୋଇ ଭିତର ସିଂହାସନକୁ ବିଜେ କରନ୍ତି। ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ଓ ଦଣ୍ଡଛତ୍ର ସଂସ୍କାର କରି ଭିତରଚ୍ଛ ମହାପାତ୍ର ସିଂହାସନ ଉପରକୁ ଉଠିଲେ ତାଙ୍କୁ ଦିଅନ୍ତି। ଭିତରଚ୍ଛ ସିଂହାସନ ଉପରେ ଲକ୍ଷ୍ମଣଙ୍କ ସ୍ୱରୂପ ଠିଆହୋଇ ଦଣ୍ଡଛତ୍ର ଧରନ୍ତି। ପାଳିଆ ଭଣ୍ଡାରମେକାପ ହନୁମାନ ସ୍ୱରୂପ ଦଣ୍ଡଛତ୍ର ମୂଳକୁ ଧରନ୍ତି। ପୂଜାପଣ୍ଡା ଆସି ଷୋଡ଼ଶ ଉପଚାରରେ ପୂଜା କରନ୍ତି। ଭୋଗସରି ପାଣି ପଡ଼ିଲେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ମୁଦିରସ୍ତ ଫୁଲ ଶର ଆୟୁଧ ଲାଗି କରନ୍ତି। ପରେ ସେ ସିଂହାସନ ଉପରେ ଚାମର ଆଲଟ କରନ୍ତି। ତା'ପରେ ସିଂହାସନ ତଳେ ମଧ୍ୟ ଆଲଟ ଲାଗି ଓ ଘଷା ବିଡ଼ିଆ ଦହି ମଣୋହି କରନ୍ତି। ଅଖଣ୍ଡ ମେକାପ ବଇଠା ହାତରେ ଧରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥାନ୍ତି। ରାଜନୀତି ଓ ବନ୍ଦାପନା ସରିବା ପରେ ମୁଦିରସ୍ତ ସିଂହାସନ ଉପରକୁ ଫୁଲ ଧନୁଶର ଓ ଗଦି ପ୍ରସାଦ ମଇଲମ କରନ୍ତି। ଭିତରଚ୍ଛ ଦଣ୍ଡଛତ୍ର ମଇଲମ କରି ତଳକୁ ଦିଅନ୍ତି। ଏ ଉତ୍ତାରୁ ଦକ୍ଷିଣଘର ଭୋଗ ଶେଷ ପରେ ରଘୁନାଥ ଠାକୁର ରତ୍ନସିଂହାସନକୁ ବିଜେ କରନ୍ତି। ସେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବାପରେ ଲକ୍ଷ୍ମୀମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ କରନ୍ତି। ସେଠାରେ କାଠ ଭଦ୍ରାସନରେ ଵିଜେ ହେବା ପରେ ମହାସ୍ନାନ ହୁଏ। ଭୋଗ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡା ବିଜେ କରନ୍ତି।

‘ସ୍କନ୍ଦପୁରାଣ’ ଅନୁସାରେ, ଶ୍ରୀଜଗନ୍ନାଥଙ୍କର ଏହି ଉତ୍ସବ ଅବଲୋକନ କଲେ ମନର ସମସ୍ତ ଅଭୀଷ୍ଟ ପୂରଣ ହୁଏ ଏବଂ ଅନ୍ତିମ କାଳରେ ବିଷ୍ଣୁପଦ ଲାଭ ହୋଇଥାଏ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.