ନୂଆଦିଲ୍ଲୀ: ତାମିଲ ଭାଷାକୁ ନେଇ ଏବେ ବାଦବିବାଦ ଜାରି ରହିଛି, ଆଉ ଏହାରି ଭିତରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ ଆଜି (ମଙ୍ଗଳବାର) କହିଛନ୍ତି ଯେ, ସରକାର ସମସ୍ତ ଦୋକାନ ଏବଂ ପ୍ରତିଷ୍ଠାନକୁ ଏକ ସର୍କୁଲାର ଜାରି କରିବେ,ଯେଉଁଥିରେ ସେମାନଙ୍କର ନାମ ଗୁଡିକୁ ତାମିଲରେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେବେ।
ବିଧାନସଭାରେ ଶୂନ୍ୟ କାଳରେ ସ୍ୱାଧୀନ ବିଧାୟକ ଜି ନେହେରୁ ଓରଫ କୁପ୍ପୁସାମିଙ୍କ ପ୍ରଶ୍ନର ଉତ୍ତରରେ ରଙ୍ଗାସାମି କହିଛନ୍ତି ଯେ,"ଦୋକାନ ମାଲିକ ମାନେ ସାଇନବୋର୍ଡରେ ସେମାନଙ୍କ ପ୍ରତିଷ୍ଠାନର ନାମ ତାମିଲ ଭାଷାରେ ପ୍ରଦର୍ଶନ କରିବେ।ଏଥିପାଇଁ ଏକ ସର୍କୁଲାର ମାଧ୍ୟମରେ କଡା ନିର୍ଦ୍ଦେଶନାମା ଜାରି କରାଯିବ।"
କୁପ୍ପୁସାମୀ ଏହା ଉପରେ ଜୋର୍ ଦେଇ କହିଛନ୍ତି ଯେ ଏହି ମାମଲାରେ କୌଣସି ପ୍ରକାରର ଅନୁକମ୍ପା ହେବା ଉଚିତ୍ ନୁହେଁ ଏବଂ ତାମିଲ ଭାଷାକୁ ସମ୍ମାନ ଦେବା ପାଇଁ କଡା ନିର୍ଦ୍ଦେଶାବଳୀ ସହିତ ଏକ ସର୍କୁଲାର ଜାରି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ସରକାରୀ ବିଭାଗର ସମସ୍ତ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ମଧ୍ୟ ତାମିଲ ଭାଷାରେ ଲେଖାଯିବା ଉଚିତ। ସେ କହିଛନ୍ତି ଯେ,"ଏହା ତାମିଲ ଭାଷା ପ୍ରତି ପ୍ରେମ ଏବଂ ସମ୍ମାନ କାରଣରୁ କରାଯାଉଛି।"
ଆପଣଙ୍କୁ ଜଣାଇ ଦେଉଛୁ ଯେ ପୁଡୁଚେରୀର ଏହି ପଦକ୍ଷେପ କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶର କିଛି ମାସ ପରେ ଆସିଛି, ଯେଉଁଥିରେ କୁହାଯାଇଥିଲା ଯେ ସମସ୍ତ ବାଣିଜ୍ୟିକ ସାଇନବୋର୍ଡରେ ଅତି କମରେ ୬୦% କନ୍ନଡ ଭାଷାରେ ରହିବା ଉଚିତ। ଏହା ବ୍ୟତୀତ, ତିନୋଟି ଭାଷାକୁ ନେଇ ତାମିଲନାଡୁରେ ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଲଢ଼େଇ ଚାଲିଛି।