ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତର ୨୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ଥିବା ୪୦୯୨ ଜଣ ବିଧାୟକଙ୍କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଥରେ ଜଣାପଡିଛି ଯେ ପ୍ରାୟ ୪୫ ପ୍ରତିଶତ (୧,୮୬୧ ଜଣ) ବିଧାୟକଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧,୨୦୫ ବା ୨୯ ପ୍ରତିଶତ ବିଧାୟକଙ୍କ ବିରୁଦ୍ଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ କିମ୍ୱା ମହିଳା ବିରୋଧୀ ଅପରାଧ ଭଳି ଗମ୍ଭୀର ଅପରାଧିକ ଅଭିଯୋଗ ରହିଥିବା ଜଣାପଡିଛି।
ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ନାମକ ଏକ ସଂସ୍ଥା ମୋଟ୍ ୪,୧୨୩ ବିଧାୟକଙ୍କ ମଧ୍ୟରୁ ୪୦୯୨ ଜଣଙ୍କ ଶପଥପତ୍ର ବିଶ୍ଳେଷଣ କରିଛି। ଯେଉଁଥିରେ ଆନ୍ଧ୍ରପ୍ରଦେଶରେ ବିଧାୟକଙ୍କ ନାମରେ ସର୍ବାଧିକ ୭୯ ପ୍ରତିଶତ (୧୭୪ ରୁ ୧୩୮) ଅପରାଧିକ ମାମଲା ଥିବା ଜଣାପଡିଛି। ଏହା ପରେ କେରଳ ଏବଂ ତେଲେଙ୍ଗାନାରେ ୬୯ପ୍ରତିଶତ ବିଧାୟକ, ବିହାରର ୬୬ ପ୍ରତିଶତ, ମହାରାଷ୍ଟ୍ରର ୬୫ ପ୍ରତିଶତ ଏବଂ ତାମିଲନାଡୁ ୫୯ ପ୍ରତିଶତ ବିଧାୟକଙ୍କ ନାମରେ ବିଭିନ୍ନ ଆପରାଧିକ ମାମଲା ରହିଥିବା ଜଣାପଡିଛି।
କେବଳ ବିଧାୟକ ନୁହେଁ ଆନ୍ଧ୍ରପ୍ରଦେଶରେ ଥିବା ସାଂସଦ ମାନଙ୍କ ମଧ୍ୟରୁ ପ୍ରାୟ ୫୬ ପ୍ରତିଶତ (୯୮ ଜଣ) ସାଂସଦଙ୍କ ନାମରେ ଆପରାଧିକ ମାମଲା ରହିଛି। ଏହା ପଛକୁ ତେଲେଙ୍ଗାନାର ୫୦ ପ୍ରତିଶତ ଓ ବିହାରର ୪୯ ପ୍ରତିଶତ ସାଂସଦଙ୍କ ନାମରେ ଅଭିଯୋଗ ରହିଛି।
ଦଳଗତ ବିଶ୍ଳେଷଣରୁ ଜଣାପଡ଼େ ଯେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ସର୍ବାଧିକ ୮୬ ପ୍ରତିଶତ (୧୩୪ ବିଧାୟକଙ୍କ ମଧ୍ୟରୁ ୧୧୫) ଫୌଜଦାରୀ ମାମଲା ସାମ୍ନା କରୁଥିବା ବିଧାୟକ ଅଛନ୍ତି। ଏହା ବ୍ୟତୀତ, ୬୧ପ୍ରତିଶତ ଅର୍ଥାତ୍ ୮୨ ବିଧାୟକ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛନ୍ତି ବୋଲି ଜଣାପଡିଛି।
ପ୍ରାୟ ୩୯ ପ୍ରତିଶତ(୧୬୫୩ ଜଣଙ୍କ ମଧ୍ୟରୁ ୬୩୮) ବିଜେପି ବିଧାୟକ ତାଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ଥିବାନେଇ ଘୋଷଣା କରିଛନ୍ତି। ଯେଉଁଥିରେ ୪୩୬ ଜଣଙ୍କ ନାମରେ ଗୁରୁତର ଅଭିଯୋଗ ରହିଛି। ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୬୪୬ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୩୩୯ଜଣ (୫୨%)ଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି, ଯେଉଁଥିରେ ୧୯୪ ଜଣଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ରହିଛି।
ତାମିଲନାଡୁରେ ଶାସନଭାର ସମ୍ଭାଳିଥିବା ଡିଏମକେର ୭୪ ପ୍ରତିଶତ (୧୩୨ ଜଣଙ୍କ ମଧ୍ୟରୁ ୯୮) ବିଧାୟକଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି, ଯେଉଁଥିରେ ୪୨ ଜଣଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ରହିଛି। ତୃଣମୂଳ କଂଗ୍ରେସର ପ୍ରାୟ ୪୧ ପ୍ରତିଶତ (୨୩୦ ଜଣଙ୍କ ମଧ୍ୟରୁ ୯୫) ବିଧାୟକ ଫୌଜଦାରୀ ମାମଲାର ସାମ୍ନା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୮ ଜଣଙ୍କ ନାମରେ ଗୁରୁତର ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ କ୍ଷମତାରୁ ସଦ୍ୟ ବହିଷ୍କୃତ ହୋଇଥିବା ଆପର ୧୨୩ ବିଧାୟକଙ୍କ ମଧ୍ୟରୁ ୬୯ ଜଣ (୫୬%) ଫୌଜଦାରୀ ଅଭିଯୋଗର ସାମ୍ନା କରୁଛନ୍ତି। ଏଥିରେ ୩୫ ଜଣ (୨୮%) ଗୁରୁତର ଅଭିଯୋଗର ସମ୍ମୁଖୀନ ହେଉଛନ୍ତି ବୋଲି ଜଣାପଡିଛି।
ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ୫୪ ଜଣ ବିଧାୟକ ହତ୍ୟା ଅଭିଯୋଗରେ ବିଭିନ୍ନ ମାମଲାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ୨୨୬ ଜଣ ବିଧାୟକଙ୍କ ବିରୁଦ୍ଧରେ ବିଭିନ୍ନ ଜାଗାରେ ହତ୍ୟା ଉଦ୍ୟମ ମାମଲା ରହିଛି। ଏହା ସହିତ ୧୨୭ ଜଣ ବିଧାୟକଙ୍କ ନାମରେ ମହିଳା ବିରୋଧି ଅପରାଧ ସହିତ ଜଡିତ ମାମଲା ସାମ୍ନା କରୁଛନ୍ତି। ଯେଉଁଥିରେ ୧୩ ଜଣ ବଳାତ୍କାରର ଅଭିଯୁକ୍ତ ବିଧାୟକ ମଧ୍ୟ ସାମିଲ ଅଛନ୍ତି।
ରିପୋର୍ଟରେ ବିଭିନ୍ନ ବିଧାୟକଙ୍କ ଆର୍ଥିକ ପୃଷ୍ଠଭୂମି ଉପରେ ଆଲୋକପାତ କରାଯାଇଛି। ଭାରତରେ ଥିବା ସମସ୍ତ ବିଧାୟକଙ୍କ ମଧ୍ୟରୁ ୧୧୯ ଜଣ ବିଧାୟକ (୩%) କୋଟିପତି ବୋଲି ଜଣାପଡିଛି। ସମସ୍ତ ରାଜ୍ୟ ବିଧାନସଭାର ବିଧାୟକମାନଙ୍କର ସମ୍ପତ୍ତି ହାରାହାରି ୧୭.୯୨ କୋଟି ଟଙ୍କା ରହିଛି। ତଥାପି, ଅପରାଧିକ ଅଭିଯୋଗର ସମ୍ମୁଖୀନ ହେଉଥିବା ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୦.୯୭ କୋଟି ଟଙ୍କା ଅଧିକ ରହିଛି ବୋଲି ଜଣାପଡିଛି।