ନୂଆଦିଲ୍ଲୀ,୧୮/୦୩: ଭୋଟର ଆଇଡିକୁ ଆଧାର କାର୍ଡ ସହ ଲିଙ୍କ୍ କରାଯିବା ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା, ତାହା ବର୍ତ୍ତମାନ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ କେନ୍ଦ୍ର ଗୃହ ସଚିବଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହା ଉପରେ ଚର୍ଚ୍ଚା ହୋଇଛି । ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସମ୍ୱିଧାନ ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅଧିନରେ ହେବ ।
ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଭୋଟର ଆଇଡିକୁ ଆଧାର ସହ ଯୋଡ଼ିବ ପ୍ରକ୍ରିୟା ସମ୍ୱିଧାନର ଅନୁଚ୍ଛେଦ ୩୨୬ ଓ ଜନ ପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୨୩(୪),୨୩(୫) ଓ ୨୩ (୬) ଅଧିନରେ ହେବ । ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ରାୟ କଥା ଉଲ୍ଲେଖ କରି କହିଛନ୍ତି ଯେ ଆଧାର କାର୍ଡ କେବଳ ଏକ ପରିଚୟର ପ୍ରମାଣ, ନାଗରିତାର ନୁହେଁ । ଭାରତୀୟ ନାଗରିକ ହିଁ ମତଦାନ ସୂଚୀରେ ଯେପରି ସାମିଲ ହେବେ ତାହା ଆଧାର ଲିଙ୍କ୍ ପ୍ରକ୍ରିୟାରେ ସୁନିଶ୍ଚିତ କରାଯିବ ।
ଦେଶରେ ନିରପେକ୍ଷ ଓ ପାରଦର୍ଶୀ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ମତଦାନ ସୂଚୀରେ ତ୍ରୁଟି ଅଭିଯୋଗର ସ୍ଥାୟୀ ଓ ବୈଜ୍ଞାନିକ ସମାଧାନ ବାହାର କରିବା ଦିଗରେ ବଢୁଛନ୍ତି । ୟୁଆଇଡିଏଆଇ ଓ ଇସିଆଇର ବୈଷୟିକ ଟିମଙ୍କ ଖୁବଶୀଘ୍ର ଏହା ଉପରେ ଆଲୋଚନା ଆରମ୍ଭ କରିପାରନ୍ତି । ଏହି ପୂରା ପ୍ରକ୍ରିୟାକୁ ସାଇବର ସୁରକ୍ଷା ଓ ଗୋପନୀୟତାକୁ ଧ୍ୟାନରେ ରଖି କରାଯିବ ।