ନୂଆଦିଲ୍ଲୀ: ନାଗପୁରରେ ହିଂସା ହେବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଏହି କଥାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି। ଏହି ହିଂସାକୁ ବିରୋଧିମାନେ ଯୋଜନା ବଦ୍ଧ ଭାବେ କରେଇଛନ୍ତି। ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡିବ ବୋଲି ବିରୋଧିଙ୍କର ଏହା ଏକ ଫନ୍ଦି ବୋଲି ଫଡନାଭିସ କହିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାକୁ କଡା ନିନ୍ଦା କରିବା ସହ ଏହି ଦୁର୍ଘଟମା ପାଇଁ ଡବଲ ଇଞ୍ଜିନ ସରକାରକୁ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି।
ସୂଚନା ମୁତାବକ, ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ଜିଲ୍ଲାରେ ଥିବା ମୋଗଲ ଶାସକ ଔରଙ୍ଗଜେବଙ୍କ କବର ହଟାଇବାକୁ ନେଇ ସୋମବାର ନାଗପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଢ଼େଲାପଥର ମାଡ଼ ସହ ଅନେକ ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହିଂସାକୁ ଆୟତ କରିବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠିଚାର୍ଚ୍ଚ କରିଥିଲା। ଏଥିରେ ଅନେକ ଆହତ ହୋଇଥିଲା ବେଳେ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ତେବେ ନାଗପୁର ଅଞ୍ଚଳରେ ହିଂସା ସଂଗଠିତ ହେବା ପରେ ସୋମବାର ରାତିରୁ ପୋଲିସ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି।
ଚଳିତ ବିଧାନସଭାରେ ନାଗପୁର ହିଂସା ସମ୍ୱଦ୍ଧରେ ନିଜ ମନ୍ତବ୍ୟ ଦେଇ ଫଡନାଭିସ କହିଛନ୍ତି ଯେ “ନାଗପୁର ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ନିଜ ଧାରଣା ଜାରି ରଖିଥିଲେ। ଏହି ସମୟରେ କେହି ଗୁଜବ ପ୍ରଚାରିତ କରିଥିଲା ଯେ କେହିଜଣେ ଧାର୍ମିକ ଉପାଖ୍ୟାନରେ ନିଆଁ ଲଗାଇ ଦେଇଛି। ଆଉ ତା ପରେ ହିଂସା ଆରମ୍ଭ ହୋଇଯାଇଥିଲା। ଏହା ଏକ ସୁଚିନ୍ତିତ ଆକ୍ରମଣ। ତେବେ କାହାକୁ ବି ଆଇନ ଶୃଙ୍ଖଳା ପରିସ୍ଥିତି ନିଜ ହାତକୁ ନେବାର ଅଧିକାର ମିଳିନାହିଁ। ପୋଲିସ ଉପରେ ହୋଇଥିବା ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ। ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏହାକୁ ଭତ୍ସନା କରିବା ସହ ଏହାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି।
ଅନ୍ୟପଟେ ବିରୋଧି ମହାୟୁତି ଦଳ ଏହାକୁ କଡା ବିରୋଧ କରିବା ସହ ସରକାର ଗାଦି ସମ୍ଭାଳିବାକୁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି। ଉଦ୍ଧବ ଠାକରେ ଏହା ସମ୍ୱଦ୍ଧରେ ପଚରାଯିବା ପରେ ସେ ନିଜ ମନ୍ତବ୍ୟ ରଖି କହିଛନ୍ତି ଯେ “ମୁଁ ବର୍ତ୍ତମାନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନୁହେଁ କି ଗୃହମନ୍ତ୍ରୀ ନାହିଁ। ଆପଣ ଏ ହିଂସା ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରନ୍ତୁ। କାରଣ ଆରଏସ୍ଏସ୍ ର ମୁଖ୍ୟାଳୟ ନାଗପୁରରେ ରହିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ରହିଛି। ଯଦି ଡବସ ଇଞ୍ଜିନ ସରକାର ଫେଲ ମାରୁଛି ତେବେ ତାଙ୍କୁ ଇସ୍ତାଫା ଦେଇ ଦବାର ରହିଛି।”
ଏହା ସହ କଂଗ୍ରେସ ପ୍ରମୁଖ ରେଣୁକା ଚୈଧୁରୀ ରାଜ୍ୟସଭାରେ ଏକ ନିଲମ୍ୱନ ନୋଟିସ ଜାରି କରିଛନ୍ତି। ମହାରାଷ୍ଟ୍ର ଜିଲ୍ଲାରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାଙ୍ଗିଯିବା ଅଭିଯୋଗରେ ରେଣୁକା ଏହି ନୋଟିସ ଦେଇଥିବା ଜଣାପଡିଛି।