ନୂଆଦିଲ୍ଲୀ: ତୁର୍କୀରେ ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭ ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଇସ୍ତାନବୁଲର ମେୟର ଏକ୍ରେମ ଇମାମୋଗ୍ଲୁଙ୍କ ଗିରଫଦାରୀ ପରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ ପୋକେମନ ଚରିତ୍ର ପିକାଚୁର ଉପସ୍ଥିତି ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଏକ ବିକ୍ଷୋଭକାରୀ ପିକାଚୁର ପୋଷାକ ପିନ୍ଧି ଆନ୍ତାଲ୍ୟା ସହରର ରାସ୍ତାରେ ପୋଲିସଠାରୁ ଦୌଡ଼ି ପଳାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୂଚନା ମୁତାବକ, ଏହି ବିକ୍ଷୋଭ ଗତ ସପ୍ତାହରୁ ଆରମ୍ଭ ହୋଇଛି। କିଛିଦିନ ତଳେ ଇସ୍ତାନବୁଲର ମେୟର ଏକ୍ରେମ ଇମାମୋଗ୍ଲୁଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ଇମାମୋଗ୍ଲୁ ରାଷ୍ଟ୍ରପତି ଏର୍ଦୋଗାନଙ୍କ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ପରିଚିତ। ତାଙ୍କ ସମର୍ଥକମାନେ ଏହି ଗିରଫଦାରୀକୁ ରାଜନୈତିକ କାରଣରୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଆସନ୍ତା ୨୦୨୮ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏର୍ଦୋଗାନଙ୍କ ବିରୋଧୀଙ୍କ ଦମନ କରିବାର ଏକ ପ୍ରୟାସ ବୋଲି କୁହାଯାଉଛି। ଏହି ଘଟଣା ପରେ ଇସ୍ତାନବୁଲ, ଆଙ୍କାରା ଏବଂ ଆନ୍ତାଲ୍ୟା ସମେତ ବିଭିନ୍ନ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି।
ମାର୍ଚ୍ଚ ୨୭ ତାରିଖରେ ଆନ୍ତାଲ୍ୟାରେ ପୋଲିସ ବିକ୍ଷୋଭକାରୀଙ୍କୁ ହଠାଇବାକୁ ୱାଟର କ୍ୟାନନ ଏବଂ ପେପର ସ୍ପ୍ରେ ବ୍ୟବହାର କରିଥିଲେ। ଏହି ସମୟରେ ପିକାଚୁ ପୋଷାକ ପିନ୍ଧିଥିବା ଜଣେ ବିକ୍ଷୋଭକାରୀ ପୋଲିସଠାରୁ ଦୌଡ଼ି ପଳାଇବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଏହି ହାସ୍ୟାସ୍ପଦ ମୁହୂର୍ତ୍ତ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ଦେଖାଯାଇଛି ଏବଂ ଶେୟାର କରାଯାଇଛି।
ଏହି ଘଟଣା ଭାଇରାଲ ହେବା ପରେ ବିଶ୍ୱବ୍ୟାପୀ ମନୋରଞ୍ଜନ କାରଣ ହୋଇଛି। ଜାପାନୀ-ତୁର୍କୀୟ କମେଡିଆନ ଯୋଶି ଏନୋମୋଟୋ ଏକ୍ସରେ ଲେଖିଛନ୍ତି, "୩୦ ବର୍ଷ ପୂର୍ବେ ଜାପାନୀମାନେ ପୋକେମନ ସୃଷ୍ଟି କରିଥିଲେ। ୩୦ ବର୍ଷ ପରେ, ପିକାଚୁ ତୁର୍କୀରେ ପୋଲିସଠୁ ଖସି ପଳାଇଲା।" ଅନ୍ୟ ଜଣେ ଏକ୍ସ ବ୍ୟବହାରକାରୀ ମଜାରେ କହିଛନ୍ତି, "ମୋତେ ତୁର୍କୀ ରାଜନୀତି ବିଷୟରେ ଅଧିକ ଜଣା ନାହିଁ, କିନ୍ତୁ ମୁଁ ପିକାଚୁ ଯେଉଁ ପକ୍ଷରେ ଅଛି, ସେହି ପକ୍ଷରେ ଅଛି।"
ତୁର୍କୀର ପ୍ରମୁଖ ବିରୋଧୀ ଦଳ ରିପବ୍ଲିକାନ ପିପୁଲ୍ସ ପାର୍ଟି (ସିଏଚପି), ଯାହାର ସଦସ୍ୟ ଇମାମୋଗ୍ଲୁ ଅଟନ୍ତି, ଏହି ଘଟଣାକୁ ନେଇ ଏକ୍ସରେ ମନ୍ତବ୍ୟ ଦେଇ କହିଛି, "ଏପରିକି ପିକାଚୁ ମଧ୍ୟ ପେପର ସ୍ପ୍ରେରୁ ପ୍ରଭାବିତ ହୋଇଛି।" ଅନ୍ୟପକ୍ଷରେ, ସରକାର ଏହି ବିକ୍ଷୋଭକୁ "ସ୍ଟ୍ରିଟ ଟେରରିଜିମ" ବୋଲି ଅଭିହିତ କରି ଏହାର କଡା ନିନ୍ଦା କରିଛନ୍ତି।
ସରକାରୀ ଅଧିକାରୀଙ୍କ ଅନୁସାରେ, ଇମାମୋଗ୍ଲୁଙ୍କ ଗିରଫଦାରୀ ପରେ ପ୍ରାୟ ୨,୦୦୦ ଲୋକଙ୍କୁ ଅଟକ କରାଯାଇଛି। ବିକ୍ଷୋଭ ତୀବ୍ର ହେବା ସହିତ ପୋଲିସ ପେପର ସ୍ପ୍ରେ, ପ୍ଲାଷ୍ଟିକ ପେଲେଟ ଏବଂ ୱାଟର କ୍ୟନନ ବ୍ୟବହାର କରି ଜନତାଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ଏହି ଅପ୍ରତ୍ୟାଶିତ ଘଟଣା ଗମ୍ଭୀର ରାଜନୈତିକ ସଙ୍କଟ ମଧ୍ୟରେ ଏକ ହାଲୁକା ମୁହୂର୍ତ୍ତ ସୃଷ୍ଟି କରିଛି। ଯାହା ତୁର୍କୀର ବିକ୍ଷୋଭକୁ ବିଶ୍ୱ ମଞ୍ଚରେ ଅଧିକ ଚର୍ଚ୍ଚିତ କରିପାରିଛି।