ନୂଆଦିଲ୍ଲୀ: ପାକିସ୍ତାନ ଚଳିତ ବର୍ଷ ଦେଶରୁ ୩୦ ଲକ୍ଷ ଆଫଗାନଙ୍କୁ ବାହାର କରିବାକୁ ଯୋଜନା କରୁଛି, କାରଣ ରାଜଧାନୀ ଏବଂ ଏହାର ଆଖପାଖ ଅଂଚଳରୁ ସ୍ୱେଚ୍ଛାକୃତ ଭାବରେ ବାହାରି ଯିବା ପାଇଁ ମାର୍ଚ୍ଚ ୩୧ ତାରିଖ ଥିଲା ଶେଷ ତାରିଖ। ଏହା ଅକ୍ଟୋବର ୨୦୨୩ ରେ ପାକିସ୍ତାନରେ ଅବୈଧ ଭାବରେ ରହୁଥିବା ବିଦେଶୀ, ମୁଖ୍ୟତଃ ଆଫଗାନ ନାଗରିକଙ୍କୁ ବାହାର କରିବା ପାଇଁ ଆରମ୍ଭ ହୋଇଥିବା ଏକ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ।
ପାକିସ୍ତାନର ଏହି ଅଭିଯାନକୁ ମାନବାଧିକାର ଗୋଷ୍ଠୀ, ତାଲିବାନ ସରକାର ଏବଂ ଜାତିସଂଘ କଡ଼ା ସମାଲୋଚନା କରିଛନ୍ତି । ଆସୋସିଏଟେଡ୍ ପ୍ରେସ୍ ଦ୍ୱାରା ଦେଖାଯାଇଥିବା ସରକାରୀ କାଗଜପତ୍ର ଅନୁସାରେ,ଗିରଫ ଏବଂ ନିର୍ବାସନ ପ୍ରକ୍ରିୟା ଏପ୍ରିଲ୧ ରୁ ଆରମ୍ଭ ହେବାର ଥିଲା କିନ୍ତୁ ଇଦ୍ ଅଲ୍-ଫିତର ଛୁଟି ଯୋଗୁଁ ଏହାକୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଅନ୍ତରାଷ୍ଟ୍ରୀୟ ପ୍ରବାସନ ସଂଗଠନ ତଥ୍ୟ ଅନୁଯାୟୀ, ଗତ ୧୮ ମାସରେ ପ୍ରାୟ ୮ ଲକ୍ଷ ୪୫ ହଜାର ଆଫଗାନ ପାକିସ୍ତାନ ଛାଡିଛନ୍ତି। ପାକିସ୍ତାନ କହୁଛି ଯେ ଆହୁରି ୩୦ ଲକ୍ଷ ଆଫଗାନ ବାକି ଅଛନ୍ତି । ଏଥି ମଧ୍ୟରୁ ୧,୩୪୪,୫୮୪ ଜଣଙ୍କ ପାଖରେ ପଞ୍ଜୀକରଣ ପ୍ରମାଣପତ୍ର ଥିବା ବେଳେ ୮୦୭,୪୦୨ ଜଣଙ୍କ ପାଖରେ ଆଫଗାନିସ୍ତାନ ନାଗରିକ କାର୍ଡ ଅଛି । ଏହା ବ୍ୟତୀତ, ୧୦ ଲକ୍ଷ ଆଫଗାନ ଲୋକ ଏପରି ଅଛନ୍ତି ଯେଉଁମାନେ କୌଣସି କାଗଜପତ୍ର ନଥିବାରୁ ବେଆଇନ ଭାବରେ ଦେଶରେ ଅଛନ୍ତି।
ପାକିସ୍ତାନ କହିଛି ଯେ ଦେଶ ଆତଙ୍କବାଦୀ ଗୋଷ୍ଠୀ ଠାରୁ ବିପଦର ସମ୍ମୁଖୀନ ହେଉଛି। ବେଆଇନ ଭାବରେ ବାସ କରୁଥିବା ଲୋକମାନେ ଆତଙ୍କବାଦ ବିରୋଧୀ ଅଭିଯାନରେ ବାଧା ସୃଷ୍ଟି କରନ୍ତି, ବିଶେଷକରି ତେହେରିକ୍-ଏ-ତାଲିବାନ ପାକିସ୍ତାନ (TTP) ବିରୁଦ୍ଧରେ । ୨୦୨୧ ମସିହାରେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ, ପାକିସ୍ତାନ ସୀମା ସୁରକ୍ଷାକୁ କଡ଼ାକଡ଼ି କରିଛି।
ପାକିସ୍ତାନର ଅର୍ଥନୀତି ଏକ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଋଣ ଏବଂ ଆର୍ଥିକ ଅସ୍ଥିରତା ମଧ୍ୟରେ, ସରକାର ବିଶ୍ୱାସ କରନ୍ତି ଯେ ଅବୈଧ ପ୍ରବାସୀ ମାନଙ୍କୁ ବାହାର କରିବା ଦ୍ୱାରା ଆର୍ଥିକ ବୋଝ ହ୍ରାସ ପାଇବ। ଆଫଗାନ ଶରଣାର୍ଥୀଙ୍କ ଉପସ୍ଥିତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି।