ଟୋକିଓ,୦୧/୦୪: ମ୍ୟାଁମାରରେ ଆସିଥିବା ଭୟାବହ ଭୂକମ୍ପର କରାଳ ରୂପ ମନରୁ ଲିଭି ନ ଥିବା ବେଳେ ଜାପାନକୁ ଘାରିଛି ‘ମହାଭୂକମ୍ପ’ ଭୟ । ଖୋଦ ଜାପାନ ସରକାର ସୋମବାର ନିଜର ଏକ ସଦ୍ୟ ରିପୋର୍ଟରେ ଏହି ସତର୍କବାଣୀ କରାଇବା ପରେ ଦେଶବାସୀ ଛାନିଆ ହୋଇପଡ଼ିଛନ୍ତି ।
ରିପୋର୍ଟରେ କୁହାଯାଇଛି ଯେ ଜାପାନକୁ ‘ମେଗାକ୍ୱେକ୍’ ବା ମହାଭୂକମ୍ପ ଗ୍ରାସିପାରେ । ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଅଞ୍ଚଳରେ ଏହି ମେଗାକ୍ୱେକ୍ (ଅତି ଶକ୍ତିଶାଳୀ ଭୂମିକମ୍ପ) ତାଣ୍ଡବ ରଚିବ । ଏହାଯୋଗୁ ଭୟଙ୍କର ସୁନାମୀ ଉଠି ସବୁ ଛାରଖାର କରିପକାଇବ । ହଜାର ହଜାର କୋଠା ମାଟିରେ ମିଶିଯିବ । ଫଳରେ ପ୍ରାୟ ୩ ଲକ୍ଷ ଲୋକ ପ୍ରାଣ ହରାଇପାରନ୍ତି । ଏହି ମେଗାକ୍ୱେକ୍କୁ ‘ଟେକ୍ଟୋନିକ୍ ଟାଇମ୍ ବମ୍’ ଅଭିହିତ କରାଯାଉଛି ।
ଏହା ପୂର୍ବରୁ ମଧ୍ୟ ଗତବର୍ଷ ଜାପାନ ସରକାର ପ୍ରଥମ ଥର ପାଇଁ ‘ମେଗାକ୍ୱେକ୍’ ଆଡଭାଇଜରି ଜାରି କରିଥିଲେ । ସମ୍ଭବତଃ ୯ ତୀବ୍ରତାର ଭୂକମ୍ପ ଆସିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ୭.୧ ତୀବ୍ରତାର ଭୂକମ୍ପ ଆସିବା ପରେ ହିଁ ସରକାର ଏହି ପୂର୍ବାନୁମାନ କରିଥିଲେ । ଏହାପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲେ । କିନ୍ତୁ ଭୂକମ୍ପ ନ ହେବା ଯୋଗୁ ଦେଶବାସୀ ଆଶ୍ୱସ୍ତ ହୋଇଥିଲେ । ହେଲେ ସଦ୍ୟ ରିପୋର୍ଟ ପୁଣି ଭୟ ସଞ୍ଚାର କରିଛି ।
ଏହି କ୍ୟାବିନେଟ୍ ରିପୋର୍ଟ ମୁତାବକ, ସମ୍ଭାବ୍ୟ ମେଗାକ୍ୱେକ୍ ଯୋଗୁ ଜାପାନର ଅର୍ଥ ବ୍ୟବସ୍ଥା ୧.୮୧ ଲକ୍ଷ କୋଟି ଡଲାର ହରାଇପାରେ । ଯାହା କି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ଅଧା ହେବ । ୨୭୦.୩ ଲକ୍ଷ କୋଟି ୟେନ୍ ସହ ଏହି କ୍ଷତି ସମାନ । ପୂର୍ବରୁ ହୋଇଥିବା ଆକଳନ ଅନୁସାରେ ୨୧୪.୨ ଲକ୍ଷ କୋଟି ୟେନ୍ କ୍ଷତି ହେବା ନେଇ କୁହାଯାଇଥିଲା ।
ଏଥର ରିପୋର୍ଟରେ ମଧ୍ୟ ଜାପାନରେ ୯ ତୀବ୍ରତାର ଭୂକମ୍ପ ଆସିବା ନେଇ ପୂର୍ବାନୁମାନ କରାଯାଇଛି । ଏହାଦ୍ୱାରା ୧୨.୩ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ । ଯାହା କି ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୧୦% । ଯଦି ଶୀତଋତୁର ବିଳମ୍ବିତ ରାତ୍ରିରେ ଭୂକମ୍ପ ଅନୁଭୂତ ହୁଏ, ତେବେ ଏହାଯୋଗୁ ୨.୯୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବା ଆଶଙ୍କା ରହିଛି । ଏହି ମେଗାକ୍ୱେକ୍ ପ୍ରଭାବରେ ବିନାଶକାରୀ ସୁନାମୀ ଉଠି ହଜାର ହଜାର କୋଠାକୁ ନଷ୍ଟ କରିଦେବା ନେଇ କୁହାଯାଇଛି ।
ଭୂକମ୍ପ ଯୋଗୁ ଜାପାନର ଶିଜୁଓକା ସହରରେ ସର୍ବାଧିକ ୧ ଲକ୍ଷ ୧ ହଜାର ଲୋକ ପ୍ରାଣ ହରାଇବା ନେଇ ରିପୋର୍ଟରେ ଆକଳନ କରାଯାଇଛି । ସେହିଭଳି ମିୟାଜାକିରେ ୩୩ ହଜାର ଓ ମାଏରେ ୨୯ ହଜାର ଲୋକଙ୍କ ମୃତ୍ୟୁ ଘଟିପାରେ । ୨.୧୫ ଲକ୍ଷ ମୃତ୍ୟୁ ସୁନାମୀ ଯୋଗୁ ହେବ ବୋଲି କୁହାଯାଇଛି । ସୁନାମୀ ପୂର୍ବାନୁମାନ ଘଟଣାରେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ମାତ୍ର ୨୦% ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରିବ । ତେଣୁ ମୃତ୍ୟୁ ସଂଖ୍ୟା ଅଧିକ ରହିବ ।
ବିଶ୍ୱର ଭୂକମ୍ପ ଅଧ୍ୟୁଷିତ ଦେଶଗୁଡ଼ିକ ମଧ୍ୟରେ ଜାପାନ ରହିଛି । ଏଠାରେ ୮ରୁ ୯ ତୀବ୍ରତାର ଭୂକମ୍ପ ହେବା ନେଇ ୮୦% ଆଶଙ୍କା ରହିଆସିଛି । ‘ନାଙ୍କାଇ ଟ୍ରଫ୍’ରେ ଏଭଳି ଭୂକମ୍ପ ହେବାର ଭୟ ସବୁବେଳେ ରହିଛି । ପ୍ରଶାନ୍ତ ମହାସାଗରରେ ଦୁଇଟି ‘ଟେକ୍ଟୋନିକ୍ ପ୍ଲେଟ୍’ ଯେଉଁଠାରେ ଯୋଡ଼ି ହୋଇଛି, ତାହାକୁ ‘ନାଙ୍କାଇ ଟ୍ରଫ୍’ କୁହାଯାଏ । ଅତୀତରେ ହୋଇଥିବା ବଡ଼ ବଡ଼ ଭୂକମ୍ପର କେନ୍ଦ୍ରସ୍ଥଳ ନାଙ୍କାଇ ଟ୍ରଫ୍ ହିଁ ରହିଥିଲା । ଜାପାନର ହୋଂଶୁ ଦ୍ୱୀପାଞ୍ଚଳର ନାଙ୍କାଇଡୋର ଦକ୍ଷିଣ ଭାଗରେ ଏହା ରହିଛି । ଏକତ୍ରିତ ଟେକ୍ଟୋନିକ୍ ପ୍ରଭାବର ପରିଣାମସ୍ୱରୂପ ପ୍ରାୟ ୧୦୦ରୁ ୧୫୦ ବର୍ଷ ମଧ୍ୟରେ ଥରେ ମେଗାକ୍ୱେକ୍ ବା ମହାଭୂକମ୍ପ ଆସିବା ଆଶଙ୍କା ରହିଥାଏ ।
ଜାପାନରେ ୨୦୧୧ରେ ଭୟଙ୍କର ଭୂକମ୍ପ ପରେ ସୁନାମୀ ଆସିଥିଲା । ଏହି ଭୂକମ୍ପର ତୀବ୍ରତା ୯.୦ରୁ ୯.୧ ରହିଥିଲା । ଏଥିରେ ଜାପାନର ଉତ୍ତର-ପୂର୍ବରେ ଥିବା ଏକ ଆଣବିକ ଶକ୍ତି ପ୍ଲାଣ୍ଟର ୩ଟି ରିଆକ୍ଟର ତରଳି ଯାଇଥିଲା । ଫଳରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।