ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆଜି ଅର୍ଥାତ ଏପ୍ରିଲ ୨ ତାରିଖକୁ "ଲିବରେସନ ଡେ" ଭାବେ ଘୋଷଣା କରାଯାଇଛି। ଏହି ଦିନରେ ଟ୍ରମ୍ପ ବିଶ୍ୱର ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ (reciprocal tariffs) ଲଗାଇବାର ଯୋଜନା କରିଛନ୍ତି। ଯେଉଁ ଦେଶଗୁଡିକ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଲଗାଇଛନ୍ତି କିମ୍ବା ଅନ୍ୟାୟ ବାଣିଜ୍ୟ ନୀତି ଅବଲମ୍ବନ କରିଥିବେ ସେହି ଦେଶ ଗୁଡିକୁ ଟାର୍ଗେଟ କରି ଆମେରିକା ଏହି ନୂଆ ଶୁଳ୍କ ଜାରି କରିବାକୁ ଯାଉଛି। ଟ୍ରମ୍ପ ପ୍ରଶାସନ ଏହି ଦେଶଗୁଡ଼ିକୁ "ଡର୍ଟି ୧୫" ଭାବେ ଚିହ୍ନିତ କରିଛି। ଯାହା ଆମେରିକା ସହିତ ବାଣିଜ୍ୟ କାରବାରରେ ଅସନ୍ତୁଳନ ସୃଷ୍ଟି କରୁଥିବା ପ୍ରାୟ ୧୫% ଦେଶକୁ ସୂଚାଇଛି।
"ଡର୍ଟି ୧୫"ରେ କେଉଁମାନେ ଆସୁଛନ୍ତି ?
ଟ୍ରମ୍ପ ପ୍ରଶାସନର ଅର୍ଥ ସଚିବ ସ୍କଟ ବେସେଣ୍ଟ ଏହି "ଡର୍ଟି ୧୫" ଦେଶଗୁଡ଼ିକୁ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଲଗାଇବା ସହ ଅନ୍ୟାନ୍ୟ ବାଣିଜ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଯଦିଓ ଆଧିକାରୀକ ସ୍ତରରେ ଏକ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇନାହିଁ, ତେବେ ଆମେରିକାର ବାଣିଜ୍ୟ ବିଭାଗର ୨୦୨୪ ତଥ୍ୟ ଅନୁସାରେ ନିମ୍ନଲିଖିତ ଦେଶଗୁଡ଼ିକ ଏହି ତାଲିକାରେ ଥାଇପାରନ୍ତି:
ଚୀନ: ଆମେରିକା ସହିତ ସର୍ବାଧିକ ବାଣିଜ୍ୟ ଅସନ୍ତୁଳନ ଥିବା ଦେଶ।
ଇଉରୋପୀୟ ସଂଘ (EU): ଆମେରିକାର ଡେୟେରୀ ଉତ୍ପାଦ ଉପରେ ୫୦% ଅତ୍ୟଧିକ ଶୁଳ୍କ।
ମେକ୍ସିକୋ: ଆମେରିକାକୁ ତାଜା ଫଳ ଓ ପନିପରିବା ରପ୍ତାନିରେ ପ୍ରମୁଖ ଦେଶ।
ଭିଏତନାମ: ଆସବାବପତ୍ର ଓ ଇଲେକ୍ଟ୍ରୋନିକ୍ସ ରପ୍ତାନି।
ତାଇୱାନ, ଜାପାନ, ଦକ୍ଷିଣ କୋରିଆ: ପ୍ରଯୁକ୍ତି ଓ ଅଟୋମୋବାଇଲ କ୍ଷେତ୍ରରେ ଅଗ୍ରଣୀ।
କାନାଡା: ଶକ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି।
ଭାରତ: କୃଷି ଓ ଔଷଧ ରପ୍ତାନିରେ ଗୁରୁତ୍ୱପୂର୍ଣ୍ଣ।
ଭାରତ ଏହି ତାଲିକାରେ ନବମ ସ୍ଥାନରେ ରହିଛି, ଯାହାର ଆମେରିକା ସହିତ ବାଣିଜ୍ୟ ଅଧିକାଂଶ (trade surplus) ୪୫.୭ ବିଲିୟନ ଡଲାର ରହିଛି।
ଟ୍ରମ୍ପଙ୍କ ଉଦ୍ଦେଶ୍ୟ
ଟ୍ରମ୍ପ କହିଛନ୍ତି ଯେ, ଏହି ଶୁଳ୍କ ଆମେରିକୀୟ ଶିଳ୍ପକୁ ଅନ୍ୟାୟ ପ୍ରତିଯୋଗିତାରୁ ରକ୍ଷା କରିବ ଏବଂ ସରକାରୀ ରାଜସ୍ୱ ବୃଦ୍ଧି କରିବ। ସେ ଭାରତ ଭଳି ଦେଶମାନଙ୍କୁ "ବାଣିଜ୍ୟରେ ଅନ୍ୟାୟକାରୀ" ବୋଲି କହିଛନ୍ତି। କାରଣ ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ୧୦୦% ଶୁଳ୍କ ଲଗାଇଛି। ଟ୍ରମ୍ପଙ୍କ ମତରେ, ଏହା ଆମେରିକାରୁ ରପ୍ତାନି ହେଉଥିବା ସାମଗ୍ରୀକୁ ଭାରତୀୟ ବଜାରରେ ପ୍ରତିଯୋଗିତା କରିବାରେ ଅସମର୍ଥ କରିଛି।
ବିଶ୍ୱ ଉପରେ ପ୍ରଭାବ
ଏହି ଶୁଳ୍କ ଘୋଷଣା ପରେ ବିଶ୍ୱବ୍ୟାପୀ ଚିନ୍ତା ବୃଦ୍ଧି ପାଇଛି। ଚୀନ, କାନାଡା ଓ ଇଉରୋପୀୟ ସଂଘ ପ୍ରତିଶୋଧମୂଳକ ଶୁଳ୍କ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ପ୍ରକ୍ରିୟା ଜାରି ରୁହେ ଏହା ଆଗକୁ ଆଉ ଏକ ବାଣିଜ୍ୟ ଯୁଦ୍ଧ ସୃଷ୍ଟା କରିପାରେ ଯାହା ଆମେରିକୀୟ ଗ୍ରାହକଙ୍କ ପାଇଁ ମୂଲ୍ୟବୃଦ୍ଧି ଏବଂ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଆଣିପାରେ।
ଭାରତର ପ୍ରତିକ୍ରିୟା
ଭାରତୀୟ ଅଧିକାରୀମାନେ ଏହି ଶୁଳ୍କର ପ୍ରଭାବ କମାଇବା ପାଇଁ କିଛି କ୍ଷେତ୍ରରେ ଶୁଳ୍କ ହ୍ରାସ କରିବା ଉପରେ ଆଲୋଚନା କରୁଛନ୍ତି। ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ପାଇଁ ଆଲୋଚନା ଚାଲିଛି। ଯାହା ଉଭୟ ଦେଶର ସ୍ୱାର୍ଥକୁ ସୁରକ୍ଷା ଦେବ।
ଏହି "ଲିବରେସନ ଡେ" ଘୋଷଣା ସହିତ ଟ୍ରମ୍ପ ଆମେରିକାକୁ ବିଶ୍ୱରେ ଉତ୍ପାଦନ କ୍ଷେତ୍ରରେ ଏକ ନମ୍ୱର କରିବାର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହାର ଦୀର୍ଘକାଳୀନ ପରିଣାମ କଣ ହେବ, ତାହା ସମୟ ହିଁ କହିପାରିବ।