ନୂଆଦିଲ୍ଲୀ ୦୧/୦୪: ଚିତ୍ରକଳା ସଂଗ୍ରହ କିଛି ଲୋକଙ୍କ ପାଇଁ ଏକ ନିଶା । ବେଳେବେଳେ କିଛି ପ୍ରାଚୀନ ପେଣ୍ଟିଂ ମଧ୍ୟ କାହାର ଭାଗ୍ୟ ବଦଳାଇ ଦେଇଥାଏ । ଆମେରିକା ପେନ୍ସିଲଭାନିଆର ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ସତରେ ପରିଣତ ହୋଇଛି । କିଛି ମାସ ତଳେ ହେଇଦି ମାର୍କୋ ଭାରତୀୟ ମୁଦ୍ରାରେ ମାତ୍ର ୧୦୨୬ ଟଙ୍କା ଦେଇ ଏକ ପେଣ୍ଟିଂ କିଣିଥିଲେ । ତାହା ପ୍ରସିଦ୍ଧ ଫରାସୀ ଚିତ୍ରକର ପିୟରେ ଅଗୁସ୍ତେ ରେନୋରଙ୍କର । ପେଣ୍ଟିଂର ଦାମ୍ ବର୍ତ୍ତମାନ ୮.୫ କୋଟିରୁ ଅଧିକ ହେବ ।
ମାର୍କୋ ସାଲଭେଲ୍ ଗୁଡ୍ସ ଆଣ୍ଟିକ୍ ନାମକ ଏକ ଦୋକାନ ଚଳାନ୍ତି । ଚଳିତବର୍ଷ ଜାନୁଆରୀରେ ସେ ନିଜ ସ୍ୱାମୀଙ୍କ ସହିତ ମୋଣ୍ଟଗୋମରୀ କାଉଣ୍ଟିସ୍ଥିତ ଏକ ପୁରୁଣା ସାମଗ୍ରୀ ଦୋକାନର ନିଲାମୀରେ ସାମିଲ ହୋଇଥିଲେ । ଏହି ସମୟରେ ସେ ଏକ ପେଣ୍ଟିଂ ଦେଖିଲେ । ତାହା ତାଙ୍କୁ ନିଆରା ଲାଗିବାରୁ ତାକୁ କିଣିବାକୁ ମନସ୍ଥ କଲେ ମାର୍କୋ । ପେଣ୍ଟିଂର ଦାମ୍ ଥିଲା ମାତ୍ର ୧୦୨୬ ଟଙ୍କା । ଘରକୁ ଫେରିବା ପରେ ପେଣ୍ଟିଂକୁ ତନ୍ନତନ୍ନ କରି ଅନୁଧ୍ୟାନ କଲେ ସେ । ପେଣ୍ଟିଂ ଫ୍ରେମ୍ର ଭଲ ସ୍ଥିତି, କାଗଜର ପ୍ରକାର ଓ ତା’ ପଛପଟେ ଲାଗିଥିବା ଷ୍ଟାମ୍ପ୍କୁ ଦେଖି ତାହା ସ୍ୱତନ୍ତ୍ର ବୋଲି ଅନୁମାନ କଲେ । ପେଣ୍ଟିଂରେ ଏକ ଲିଭିଆସୁଥିବା ହସ୍ତାକ୍ଷର ମଧ୍ୟ ଥିଲା । ତାହା ଫରାସୀ ଚିତ୍ରକର ପିୟରେ ଅଗୁସ୍ତେ ରେନୋରଙ୍କର ବୋଲି ସେ ଜାଣିବାକୁ ପାଇଲେ ।
ମାର୍କୋଙ୍କ ଅନୁସାରେ, ପେଣ୍ଟିଂକୁ କେହି ଆମେରିକାକୁ ଆଣି ତାକୁ ଜଣେ ଚିତ୍ରକଳା ସଂଗ୍ରହକାରୀଙ୍କୁ ବିକ୍ରି କରିଥିଲେ । ପେଣ୍ଟିଂଟି ରେନୋରଙ୍କ ପତ୍ନୀ ଏଲାଇନଙ୍କର । ତାହା ୧୮୦୦ ମସିହାର ଶେଷ ଆଡ଼କୁ ବନାଯାଇଥିଲା । ଏଥିନେଇ ସ୍ପଷ୍ଟ ହେବାକୁ ସେ ସୋଥବୀ ନାମକ ଏକ ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ନିକଟକୁ ଯାଇଥିଲେ । ସେହି ସଂସ୍ଥାର ଗବେଷକମାନେ ମଧ୍ୟ ତାଙ୍କ ସହ ସହମତ ହେଲେ । ସେପଟେ ପ୍ରାଚୀନ ଚିତ୍ରକଳାର ସଂଗ୍ରହ କରୁଥିବା ନ୍ୟୁୟର୍କସ୍ଥିତ ଏକ ଅଣଲାଭକାରୀ ସଂସ୍ଥା ୱିଲଡେନଷ୍ଟିନ୍ ପ୍ଲାଟନର ଇନ୍ଷ୍ଟିଚ୍ୟୁଟ୍କୁ ମଧ୍ୟ ସେ ପେଣ୍ଟିଂକୁ ପଠାଇଛନ୍ତି । ସେହି ସଂସ୍ଥାର ବିଶେଷଜ୍ଞମାନେ ଏପ୍ରିଲ ୧୦ ତାରିଖରେ ଚିତ୍ରକଳାର ପ୍ରାମାଣିକତା ଯାଞ୍ଚ କରିବେ । ଯଦି ସେମାନେ ବି ମାର୍କୋଙ୍କ ସହ ସହମତ ହୁଅନ୍ତି ତେବେ ପେଣ୍ଟିଂଟି ପ୍ରାୟ ୮.୫ କୋଟିରେ ବିକ୍ରି ହେବ ।