ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଏକ ବିବାଦୀୟ ପୋଷ୍ଟ କେବଳ ଜଣେ ମହିଳା ଡାକ୍ତରଙ୍କ ଚାକିରି ନେଇ ନାହି, ବରଂ ଏହା ସୀମା ସରହଦ ସେପଟେ ବିବାଦ ଠିଆ କରାଇ ଦେଇଛି। ନ୍ୟୁୟର୍କର ଏକ ହସ୍ପିଟାଲରେ କାର୍ଯ୍ୟରତ ମହିଳା ଡାକ୍ତର , ନିଜ ପୋଷ୍ଟରେ ଗାଜାର ଆତଙ୍କବାଦୀ ସଙ୍ଗଠନ ହମାସର ସମର୍ଥନରେ ଆପତ୍ତିଜନକ ବୟାନ ଦେଇଥିଲେ, ଯାହାକୁ ନେଇ କେବଳ ସ୍ଥାନୀୟ ନୁହେଁ ,ଅନ୍ତରାଷ୍ଟ୍ରୀୟ ସ୍ତରରେ କଡ଼ା ପ୍ରତିକ୍ରିୟା ଆସିଛି। ଏହି ପୋଷ୍ଟର କାରଣରୁ ହୋଇଥିବା ବିବାଦ ଯୋଗୁଁ ତାଙ୍କର ଚାକିରି ଚାଲି ଯାଇଛି।
ଲୀଲା ଅବାସୀ ନ୍ୟୁୟର୍କର ମାଉଣ୍ଟ ସିନାଇ ହସ୍ପିଟାଲରେ ଜଣେ ମେଡିକାଲ ଆସିଷ୍ଟାଣ୍ଟ ପ୍ରଫେସର ଥିଲେ, ସେ ହମାସର ଆତଙ୍କବାଦ ଓ ହିଂସାକାଣ୍ଡକୁ ସମର୍ଥନ କରିବା ସହ ତାକୁ ମହାନ ପ୍ରତିରୋଧ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ କହିଥିଲେ। ଏଥିଯୋଗୁଁ ତାଙ୍କୁ ହସ୍ପିଟାଲ ଦ୍ୱାରା ବାହାର କରାଯାଇ ଥିଲା। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ସେ ଦୀର୍ଘ ଦିନ ଯାଏ ହମାସ ଓ ହିଜବୁଲ୍ଲାହ ଜିନ୍ଦାବାଦ ର ପୋଷ୍ଟ କରିଥିଲେ।
ହମାସ ଏକ ପାଲେଷ୍ଟାଇନ୍ ଉଗ୍ରବାଦୀ ଗ୍ରୁପ୍, ଯାହାର ଗାଜାରେ ନିୟନ୍ତ୍ରଣ ରହିଛି, ହିଜବୁଲ୍ଲାହ ଲେବାନନ ସ୍ଥିତ ଏକ ଇରାନ ସମର୍ଥିତ ଉଗ୍ରବାଦୀ ସଙ୍ଗଠନ। ଆମେରିକା , ଇସ୍ରାଏଲ ଓ ଅନ୍ୟ ଦେଶ ଗୁଡ଼ିକ ତାଙ୍କୁ ଆତଙ୍କବାଦୀ ସଙ୍ଗଠନ ଘୋଷିତ କରିଛନ୍ତି।
ବିବାଦୀୟ ପୋଷ୍ଟ –
୪୬ ବର୍ଷିୟ ଡାକ୍ତର ସୋସିଆଲ ମିଡିଆରେ ଲେଖିଥିଲେ ଯେ, ହମାସକୁ ‘ମହାନ ପ୍ରତିରୋଧ’ ଓ ‘ସ୍ୱାଧୀନତା ସଂଗ୍ରାମୀ ’ ଭାବେ ଦେଖିବା ଉଚିତ। ଅନ୍ୟପଟେ ସେ ଇସ୍ରାଏଲୀୟ ସେନାକୁ ‘ପ୍ରକୋପ’ କହିଥିଲେ ଏବଂ ଇସ୍ରାଏଲ୍ ଉପରେ ‘ଖୁବ୍ ହିଂସା’ର ଅଭିଯୋଗ ଲଗେଇ ଥିଲେ। ଏହାସହ ଅକ୍ଟୋବର ୭ , ୨୦୨୩ରେ ହୋଇଥିବା ହମଲାରେ ୧୨୦୦ ଇସ୍ରାଏଲୀୟ ନାଗରିକଙ୍କ ହତ୍ୟା ଓ ହଜାର ହଜାର ସଂଖ୍ୟାରେ ଆହତ ହେବା ସତ୍ତ୍ୱେ ସେ ଯୌନ ହିଂସାକାଣ୍ଡର ଖବରକୁ ଖାରଜ କରିଦେଇ ଥିଲେ।
ମହିଳା ଡାକ୍ତର ଜଣଙ୍କ ନିଜର ଫେସବୁକ୍ ପୋଷ୍ଟରେ ଲେଖିଥିଲେ , ‘ମୋତେ ପ୍ରକୃତ ଦୁଷ୍କର୍ମ ଭିଡିଓ ଦେଖାଅ’ । ସେ ଇସ୍ରାଏଲକୁ ୧୦/୭ରେ ‘ହମାସ ଠାରୁ ଅଧିକ ଲୋକଙ୍କୁ ମାରିବା’ ର ଦୋଷାରୋପ କରିଥିଲେ।
ନ୍ୟୁୟର୍କ ସିଟିର କାଉନ୍ସଲର ଇନନା ଭର୍ନିକୋଭ୍ ଅବାସୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟସକୁ ହଟାଇବାକୁ ବିରୋଧ କରିଥିଲେ, କାରଣ ତାଙ୍କର କହିବାର ଥିଲା ଯେ, ଏଥିରେ ନା ଆତଙ୍କବାଦୀଙ୍କ ସମର୍ଥକରେ ହ୍ରାସ ଘଟିବ ନା କି ଏହା ତାଙ୍କର ଇହୁଦୀ ରୋଗୀଙ୍କ ସୁରକ୍ଷା ବଢାଇବ। ସେ କହିଛନ୍ତି , ଆମ ପାଇଁ ସବୁଠୁ ମୌଳିକ ଆଶା ଏହା ଯେ, ଡାକ୍ତର ନିଜର କର୍ତ୍ତବ୍ୟଙ୍କୁ ନିରପେକ୍ଷ ରୂପେ ପାଳନ କରନ୍ତୁ।
ଫିଜିସିଆନ୍ସ ଏଗନେଷ୍ଟ ଆଣ୍ଟି-ସେମିଟିଜମ୍ ନାମକ ଏକ ସଙ୍ଗଠନ କହିଛି , ଏବେ କେହି ବି ଇହୁଦୀ ରୋଗୀ ଏହା ଅନୁଭବ କରିବେ ନାହିଁ ଯେ, ତାଙ୍କୁ ସୁରକ୍ଷିତ ଚିକିତ୍ସା ମିଳିବ ଏବଂ ଏହି ସଂସ୍ଥାରେ ମଧ୍ୟ ତାଙ୍କର ଚିକିତ୍ସା ଅସୁରକ୍ଷିତ ହୋଇ ପାରେ।
ଏହି ମଧ୍ୟରେ ଆମେରିକାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ଅନେକ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ହଠାତ୍ ରଦ୍ଦ ହେଉଛି, ବିଶେଷକରି ସେହି ଛାତ୍ରଛାତ୍ରୀଙ୍କ ପାଇଁ ଯିଏକି ସୋସିଆଲ ମିଡ଼ିଆରେ ହିଂସାକୁ ସମର୍ଥନ କରିଛନ୍ତି ବା ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିଲେ।