ନୂଆଦିଲ୍ଲୀ ୩୧/୦୩: ସୁନା ଓ ହୀରାକୁ ଧନର ପ୍ରତୀକ ବିବେଚନା କରାଯାଏ । କିନ୍ତୁ ଏକ ବିରଳ କାଠ ଅଛି, ଯାହା ସୁନା ଓ ହୀରାଠୁ ମଧ୍ୟ ମୂଲ୍ୟବାନ । ଏହାର ମାତ୍ର ୧୦ ଗ୍ରାମ୍ର ମୂଲ୍ୟ ୧ କିଲୋ ସୁନାର ମୂଲ୍ୟ ସହ ସମାନ । କାଇନମ୍ ନାମରେ ପରିଚିତ ଅନନ୍ୟ ପ୍ରଜାତିର ଅଗର୍ଉଡ୍କୁ ପୃଥିବୀର ସବୁଠୁ ବିରଳ ଓ ମହଙ୍ଗା କାଠ ରୂପେ ବିବେଚନା କରାଯାଏ । ଏହାକୁ ‘ଭଗବାନଙ୍କ କାଠ’ ଭାବେ ମଧ୍ୟ ସମ୍ବୋଧନ କରାଯାଏ ।
ଅଗର୍ଉଡ୍ ସାଧାରଣତଃ ଦକ୍ଷିଣପୂର୍ବ ଏସିଆ, ଭାରତ, ଚୀନ୍ ଓ ମଧ୍ୟ-ପୂର୍ବରେ ଦେଖିବାକୁ ମିଳେ । ଅତ୍ୟନ୍ତ ସୁନ୍ଦର ବାସ୍ନା ଏହାର ମୁଖ୍ୟ ବିଶେଷତ୍ୱ । ପର୍ଫ୍ୟୁମ୍ ବା ଅତର ଉଦ୍ୟୋଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଖାସ୍କରି ଉଚ୍ଚ ଚାହିଦାଯୁକ୍ତ ସୁଗନ୍ଧିତ ତୈଳ ‘ଅଉଡ୍’ର ଉତ୍ପାଦନରେ ଏହାର ଭୂମିକା ରହିଛି । ତେବେ ଅଗର୍ଉଡ୍ ପ୍ରଜାତିରେ କାଇନମ୍ ଅତ୍ୟନ୍ତ ଦୁର୍ଲଭ କିସମର କାଠ । ଅଭାବ ଓ ଅଦ୍ୱିତୀୟ ସୁଗନ୍ଧ ଏହାକୁ ଦୁର୍ଲଭ ସମ୍ପତ୍ତିର ମାନ୍ୟତା ଦେଇଛି । ସେଥିପାଇଁ ଏହାର ମୂଲ୍ୟ ବି ଆକାଶଛୁଆଁ ହୋଇଛି ।
ଅଲ୍ ଜଜୀରା ରିପୋର୍ଟ ଅନୁସାରେ, କେବଳ ୧୦ ଗ୍ରାମ୍ର କାଇନମ୍ କାଠର ମୂଲ୍ୟ ୮୫.୬୩ ଲକ୍ଷ । ଏହି କାରଣ ପାଇଁ ବିଶ୍ୱର ସବୁଠୁ ମହଙ୍ଗା ପ୍ରାକୃତିକ ଉପାଦାନ ଭାବେ ଏହା ଖ୍ୟାତି ଅର୍ଜନ କରିଛି । ଏହି ଟଙ୍କାରେ ୧ କିଲୋ ସୁନା କିଣାଯାଇ ପାରିବ । ଅଦ୍ୟାବଧି ବିକ୍ରି ହୋଇଥିବା କାଇନମ୍ କାଠ ମୂଲ୍ୟ ଶୁଣିଲେ ଆପଣ ଚକିତ ହେବେ । ୬୦୦ ବର୍ଷ ପୁରୁଣା କାଇନମ୍ର ୧୬ କିଲୋ ଓଜନର ଖଣ୍ଡେ କାଠ ୧୭୧ କୋଟିରେ ବିକ୍ରି ହୋଇଛି ।
ଅଗରଉଡ୍ ପ୍ରସ୍ତୁତିର ଜଟିଳ ଓ ଅପ୍ରତ୍ୟାଶିତ ପ୍ରକ୍ରିୟା କାଇନମ୍ର ଅସାଧାରଣ ମୂଲ୍ୟ ପଛର କାରଣ । ପ୍ରାକୃତିକ ରୂପେ ଅଗର୍ଉଡ୍ ଉତ୍ପନ୍ନ କରୁଥିବା ଆକ୍ୱିଲାରିଆ ଗଛ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ପ୍ରକାର ମୋଲ୍ଡ ଦ୍ୱାରା ସଂକ୍ରମଣ ଦେଇ ଗତି କରେ, ରୂପାନ୍ତରଣ ହୁଏ । ଏହା ଦ୍ୱାରା ଗଛ ଏକ ଗାଢ୍, ସୁଗନ୍ଧିତ ତରଳ ସ୍ରାବ କରେ, ଯାହା ଧୀରେ ଧୀରେ କାଠକୁ ସୁଗନ୍ଧିତ ଓ ମୂଲ୍ୟବାନ ପଦାର୍ଥରେ ରୂପାନ୍ତରିତ କରେ । ଏହି ପ୍ରକ୍ରିୟାରେ ଦୀର୍ଘ ଦଶନ୍ଧିର ସମୟ ଲାଗେ । ଅଗର୍ଉଡ୍ ଗଛର କେବଳ ଗୋଟିଏ ଅଂଶ ଏହି ମୂଲ୍ୟବାନ ତରଳକୁ ଏତେ ଶୁଦ୍ଧ ଭାବେ ବିକଶିତ କରେ ଏହାକୁ କାଇନମ୍ ଭାବେ ବର୍ଗୀକୃତ କରାଯାଏ ।
ମଧ୍ୟ-ପୂର୍ବରୁ ଅଗର୍ଉଡ୍ର କିଛି ଖଣ୍ଡକୁ ପାରମ୍ପରିକ ରୂପେ ଅତିଥିଙ୍କୁ ସ୍ୱାଗତ କରିବା ଓ ଦୀର୍ଘକାଳୀନ ସୁଗନ୍ଧ ପାଇଁ ଜଳାଯାଏ । କୋରିଆରେ ଔଷଧୀୟ ୱାଇନ୍ରେ ଏହି କାଠ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଜାପାନ ଓ ଚୀନ୍ରେ ଆଧ୍ୟାତ୍ମିକ ଓ ଅନ୍ୟ ଉତ୍ସବ ଆଦିରେ ଏହାର ଉପଯୋଗ ହୁଏ । ଭାରତରେ ଆସାମକୁ ଦେଶର ଅଗର୍ଉଡ୍ ରାଜଧାନୀ ଭାବେ ବିବେଚନା କରାଯାଏ । ଏଠାରେ ସ୍ଥାନୀୟ ଚାଷୀ ଏହି ଗଛ ଚାଷ କରନ୍ତି । ତେବେ, ଅଗର୍ଉଡ୍ର ଚାହିଦା ବୃଦ୍ଧି ଓ ବିରଳତା ଏହାର ସଂରକ୍ଷଣ ପ୍ରୟାସକୁ ଆହୁରି ଜଟିଳ କରିଛି ।