ନୂଆଦିଲ୍ଲୀ, ୩୧।୩: ସମୁଦ୍ରର ବହୁମୂଲ୍ୟ ସମ୍ପତ୍ତିକୁ ଅଧିକାର କରିବାକୁ ଯାଉଛି ଚୀନ । ସମୁଦ୍ର ଗର୍ଭ ମଧ୍ୟରେ ଏକ ଷ୍ଟେସନ ନିର୍ମାଣ କରିବା କାର୍ଯ୍ୟରେ ଲାଗିପଡ଼ିଛି । ଏହା ମଧ୍ୟରେ ଚୀନ ସମୁଦ୍ର ଭୂପୃଷ୍ଠରେ ପ୍ରାୟ ୬ ହଜାର ୫୬୦ ଫୁଟ୍ ଗଭୀର ଗାତ ଖୋଳିବା ଆରମ୍ଭ କରିସାରିଛି । ସମୁଦ୍ର ଭିତରେ ନିର୍ମାଣ ହେବ ଡିପ୍ ସି ସ୍ପେସ୍ ଷ୍ଟେସନ । ଯାହା ଆସନ୍ତା ୨୦୩୦ରେ ଶେଷ ହେବ ବୋଲି କୁହାଯାଉଛି । ଚୀନର ଏହି ଡିପ୍ ସି ସ୍ପେସ୍ ଷ୍ଟେସନ ସମୁଦ୍ର ପତ୍ତନରୁ ପ୍ରାୟ ୨ ହଜାର ମିଟର ତଳେ ରହିବ । ସାଉଥ୍ ଚୀନ ସି’ଠାରେ ଏହି ଷ୍ଟେସନ ପ୍ରସ୍ତୁତ କରାଯାଉଛି । ଏଥିରେ ୬ ଜଣ ବୈଜ୍ଞାନିକ ଗୋଟିଏ ମାସ ପାଇଁ ଏକାଠି ଗବେଷଣା କରିପାରିବେ । ଏହାର ଡିଜାଇନ ଏକ ଛୋଟ ବୁଡ଼ାଜାହାଜ ପରି ହେବ, ଯାହାର ଓଜନ ପ୍ରାୟ ୨୫୦ ଟନ୍, ଲମ୍ୱ ୨୨ ମିଟର, ପ୍ରସ୍ତ ୭ ମିଟର ଏବଂ ଉଚ୍ଚତା ୮ ମିଟର । ଏହାର ନାଁ ‘ତିଆଙ୍ଗୋଙ୍ଗ’ ଦିଆଯାଇଛି ।
ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ରର ଗଭୀରତାରେ ଗବେଷଣା କରିବା ଏବଂ ସମୁଦ୍ରରେ ଥିବା ପ୍ରାକୃତିକ ସମ୍ପଦଗୁଡ଼ିକୁ ଆବିଷ୍କାର କରିବା । ବର୍ତ୍ତମାନ ଚୀନ ତିଆଙ୍ଗୋଙ୍ଗ ନିର୍ମାଣ କରାଯାଉଥିବା ଗଭୀର ସମୁଦ୍ରର ଗରମ ଏବଂ ଥଣ୍ଡା ପାଣି ଉପରେ ଗବେଷଣା ଚାଲିଛି । କାରଣ ଏହି ସ୍ଥାନରେ ମିଥେନରେ ଭରପୂର ହାଇଡ୍ରୋଥାର୍ମାଲ୍ ଭେଣ୍ଟ ରହିଛି । ଏହି ଭେଣ୍ଟଗୁଡ଼ିକ ମିଥେନ୍ ହାଇଡ୍ରେଟ୍ ଅର୍ଥାତ୍ ଜ୍ୱଳନୀୟ ଗ୍ୟାସ୍ ବିପୁଳ ପରିମାଣ ରହିଛି, ଯାହା ଶକ୍ତିର ଏକ ବଡ଼ ଉତ୍ସ ହୋଇପାରେ । ଏହି ଷ୍ଟେସନ ହେବା ଯୋଗୁଁ ଚୀନ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଉପରେ ଗବେଷଣା କରିପାରିବ । କେବଳ ଏତିକି ନୁହେଁ, ଯଦି କୌଣସି ଦେଶ ଭୂମଧ୍ୟ ଭିତରେ କୌଣସି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରେ ଅର୍ଥାତ୍ ଯେପରିକି କେହି ପରମାଣୁ ପରୀକ୍ଷଣ କରିବାକୁ ଚେଷ୍ଟା କରେ, ତେବେ ତାହା ପୂର୍ବରୁ ଚିହ୍ନଟ କରାଯିବ । ସେହିପରି ସୁନାମି ଭଳି ମହାବିପଦ ବିଷୟରେ ଆଗୁଆ ସୂଚନା ମଧ୍ୟ ମିଳିପାରିବ । ତେବେ ଏହି ସି’ ସ୍ପେସ୍ ଷ୍ଟେସନ ଯୋଗୁଁ ଅନେକ ଜଳଜୀବଙ୍କ ଉପରେ ପ୍ରଭାବ ପଡ଼ିବ ଓ ଜଳଜଗତର ପରିବେଶ ଅସନ୍ତୁଳିତ ହୋଇଯିବ ବୋଲି ଅନେକ ଦେଶର ବୈଜ୍ଞାନିକ ଆଶଙ୍କା କରିଛନ୍ତି ।