ନୂଆଦିଲ୍ଲୀ: ଫେସବୁକ ଏବଂ ଇନଷ୍ଟାଗ୍ରାମ ଦୈନନ୍ଦିନ ଜୀବନରେ ଏକ ଅଂଶ ପାଲଟିଛି । ପିଲାଠୁ ବୁଢ଼ା ଏବେ ସୋସିଆଲ ମିଡିଆ ପ୍ରେମରେ ବାୟା । ଆଉ ଏହାର ଫାଇଦା ନେବାକୁ ମେଟା ବି ପ୍ରସ୍ତୁତ । ଖୁବଶୀଘ୍ର ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଖରୁ ଟଙ୍କା ଆଦାୟ କରିବାକୁ ଯୋଜନା କରୁଛି ମେଟା । ମାସିକ ଚାର୍ଜ ଦେଲେ ହିଁ ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ ୟୁଜର୍ସ । ଅବଶ୍ୟ ଏହି ନୂଆ ନିୟମ ପ୍ରଥମେ ୟୁରୋପୀୟ ଦେଶଗୁଡ଼ିକରେ ଲାଗୁ ହେବାକୁ ଯାଉଛି ।
ମାସକୁ ୧୪ ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ ୧୧୯୦ ଟଙ୍କା ଦେବେ ୟୁଜର୍ସ । ସାଧାରଣ ୟୁଜର୍ସଙ୍କ ଲାଗି ଏହି ଚାର୍ଜ ଲାଗୁ ହେବନାହିଁ । ଯେଉଁମାନେ ବିଜ୍ଞାପନ ବିନା ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଚାର୍ଜ ଦେବାକୁ ପଡ଼ିବ । ମିଳିଥିବା ରିପୋର୍ଟ ଅନୁସାରେ, ମେଟା କମ୍ବୋ ଅଫର ଆଣିପାରେ । ଉଭୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବିଜ୍ଞାପନ ବିନା ଚଲାଇବାକୁ ହେଲେ ୟୁଜରଙ୍କୁ ମାସକୁ ୧୭ ଡଲାର ବା ୧୪୪୫ ଟଙ୍କା ଦେବାକୁ ପଡ଼ିବ । କେବଳ ଡେସ୍କଟପରେ ହିଁ ଏହି ସୁବିଧା ଉପଲବ୍ଧ ହେବ ।
ୟୁରୋପୀୟ ଦେଶମାନେ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ ମେଟା ଭଳି ପ୍ଲାଟଫର୍ମଗୁଡ଼ିକୁ ବାରମ୍ବାର ଚେତାବନୀ ଦେଉଛନ୍ତି । ବିଜ୍ଞାପନରୁ ବିଲିୟନ ବିଲିୟନ ଡଲାର ଲାଭ କରୁଥିବା ମେଟା ଭଳି କମ୍ପାନି ଏବେ ସେହି ସବୁ ଦେଶରେ ଆଡ୍ ଫ୍ରି ବା ବିନା ବିଜ୍ଞାପନରେ ସୋସିଆଲ ମିଡିଆ ବ୍ୟବହାର କରିବାକୁ ଫିଚର ଆଣିବାକୁ ଯାଉଛି । ହେଲେ ଏଥିପାଇଁ ୟୁଜର୍ସଙ୍କୁ ମାସିକ ଚାର୍ଜ ଦେବାକୁ ପଡ଼ିବ ।
ୟୁରୋପୀୟ ସଂଘ ବ୍ୟତୀତ ଆମେରିକା ମଧ୍ୟ ନର୍ଦ୍ଦିଷ୍ଟ ବିଜ୍ଞାପନ ଦେଖାଇବା ବନ୍ଦ କରିବ ଦରକାର ବୋଲି ମେଟାକୁ ପରାମର୍ଶ ଦେଇଛି । ଏଭଳି ସ୍ଥିତିରେ ମେଟା ୟୁଜର୍ସଙ୍କ ବିନା ଅନୁମତିରେ ନିର୍ଦ୍ଦିଷ୍ଟ ବିଜ୍ଞାପନ ଦେଖାଇବ ନାହିଁ ବୋଲି କହିଥିବା ବେଳେ ଏଥିପାଇଁ ଫି’ ଆଦାୟ କରିବାକୁ ଯୋଜନା କରିଛି । ଏହା ପୂର୍ବରୁ ୨୦୨୩ରେ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମାସିକ ଚାର୍ଜ ସଂପର୍କରେ ଘୋଷଣା କରିଥିଲେ । ଆଉ ଏବେ ୟୁରୋପରେ ‘ସବସ୍କ୍ରିପ୍ସନ ନୋ ଆଡ୍’ (ଏସଏନଏ) ମଡେଲ୍ ଲଞ୍ଚ କରିବାକୁ ଯାଉଛି ମେଟା ।