ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଏବେ ଟାରିଫ ବା ଶୁଳ୍କ ନୀତିକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ସମଗ୍ର ବିଶ୍ବରେ ଟାରିଫ ଲଗାଇବେ ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ । ଏୟାର ଫୋର୍ସ ଓ୍ବାନରେ ସାମ୍ବାଦିକଙ୍କ ପ୍ରଶ୍ନରେ ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ସେ କହିଛନ୍ତି ଯେ, ଆଗାମୀ ଦିନରେ ବିଶ୍ବର ସବୁ ଦେଶ ଉପରେ ଟାରିଫ ଲଗାଇବେ । ଏବେ ସୁଦ୍ଧା ଯେଉଁ ଦେଶ ଆମେରିକା ଉତ୍ପାଦ ଏବଂ ସେବା ଉପରେ ଶୁଳ୍କ ଲଗାଉଥିଲେ ସେହି ସବୁ ଦେଶ ଉପରେ ଟାରିଫ ଲଗାଇବା କଥା କହିଥିଲେ ଟ୍ରମ୍ପ । କିନ୍ତୁ ଏବେ ତାଙ୍କର ଆଉ ଏକ ଘୋଷଣା ପୁଣି ଥରେ ବିଶ୍ବରେ ହଇଚଇ ସୃଷ୍ଟି କରିଛି ।
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ‘ଆମେ ସବୁ ଦେଶ ଉପରେ ଶୁଳ୍କ ଲଗାଇବୁ, ଦେଖିବା କଣ ହେଉଛି ।’ ତେବେ ପରବର୍ତ୍ତୀ ସମୟରେ ହୁଏତ ଟ୍ରମ୍ପ କିଛି ଦେଶକୁ ଆଶ୍ବସ୍ତି ଦେଇପାରନ୍ତି ବୋଲି କୁହାଯାଉଛି । ପ୍ରଥମେ ୧୦ରୁ ୧୫ ଦେଶରେ ଟ୍ରମ୍ପ ପାରଷ୍ପରିକ ଶୁଳ୍କ ଲାଗୁ କରିଥିବା କୁହାଯାଉଥିଲା । ଏଭଳି ଦାବିକୁ ଟ୍ରମ୍ପ ଖଣ୍ଡନ କରିବା ସହ କହିଛନ୍ତି, ୧୦-୧୫ ଦେଶ ନୁହେଁ ବରଂ ସବୁ ଦେଶ ଉପରେ ଟାରିଫ ଲଗାଯିବ ।
ଟ୍ରମ୍ପଙ୍କ ରେସିପ୍ରୋକଲ୍ ଟାରିଫ ବିଶ୍ବର ଅନେକ ଦେଶକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି । ଆମେରିକାର ଉତ୍ପାଦ ଏବଂ ସେବା ଉପରେ ଅତିରକ୍ତ ଶୁଳ୍କ ଲଗାଉଥିବା ଦେଶମାନଙ୍କୁ ଟ୍ରମ୍ପ ପ୍ରଶାସନ ଜବାବ ଦେବାକୁ ଏଭଳି ନିଷ୍ପତ୍ତି ନେଇଥିଲା । ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ ବେସେଣ୍ଟ ଏଭଳି ଦେଶମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଥିଲେ । ଏବଂ ସେସବୁ ଦେଶକୁ ଡାର୍ଟି ୧୫ ବୋଲି କହିଥିଲେ । ସେପଟେ ଆମେରିକା ଉପରେ ଶୁଳ୍କ ଲଗାଇଥିବା ଦେଶମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିବେ ବୋଲି ଟ୍ରମ୍ପ କହିଛନ୍ତି ।
ସେ କହିଛନ୍ତି, ଆମେ ଲଗାଇବାକୁ ଥିବା ଶୁଳ୍କ ସେସବୁ ଦେଶମାନଙ୍କ ତୁଳନାରେ ଅତ୍ୟନ୍ତ ସରଳ ହେବ । ଗତ ଦଶନ୍ଧୀରେ ଆମେରିକାର ଉତ୍ପାଦ ଏବଂ ସେବା ଉପରେ ଯେଉଁ ଦେଶ କମ୍ ଶୁ୍ଳ୍କ ଲଗାଇଥିଲେ ସେସବୁ ଦେଶ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।