ନୂଆଦିଲ୍ଲୀ,୩୧।୩ : ବିଶ୍ୱରେ ଖୁବ୍ଶୀଘ୍ର ଆଉ ଏକ ବଡ଼ ଯୁଦ୍ଧ ହେବାର ସଙ୍କେତ ମିଳୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରୁ ବୋମାବର୍ଷଣର ଧମକ ପରେ ଏବେ ମିସାଇଲ ପ୍ରସ୍ତୁତ କରିସାରିଛି ଇରାନ । ତେବେ କ୍ଷେପଣାସ୍ତ୍ର, ଆକ୍ରମଣ ସମ୍ପର୍କରେ ଇରାନ ପକ୍ଷରୁ କୌଣସି ସି ଅଧିକାରିକ ସୂଚନା ଦିଆଯାଇନାହିଁ । ନିକଟରେ ଇରାନ ଟ୍ରମ୍ଫଙ୍କ ସହ ଆଲୋଚନା କରିବାକୁ ସିଧା ସିଧା ମନା କରିଦେଇଥିଲେ । ଏହି ଘଟଣାଗୁଡ଼ିକ ଏପରି ସମୟରେ ଘଟୁଛି, ଯେତେବେଳେ ଆମେରିକା ୟେମେନ ସମର୍ଥିତ ହୁତି ବିଦ୍ରୋହୀମାନଙ୍କୁ ଟାର୍ଗେଟ କରି ବିମାନ ଆକ୍ରମଣ କରୁଛି । ଏପରି ପରିସ୍ଥିତିରେ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଚାର୍ଗେଟ୍ କରି ସାମରିକ କାର୍ଯ୍ୟାନୁଷ୍ଠାନର ବିପଦ ରହିଛି ।
ଇରାନ ଏହାର ଭୂତଳ କ୍ଷେପଣାସ୍ତ୍ର ସହରରେ ଥିବା ସମସ୍ତ ଲଞ୍ଚରଗୁଡ଼ିକୁ ପ୍ରସ୍ତୁତ କରିସାରିଛି । ତେହେରାନ ଟାଇମ୍ସ ଦେଇଥିବା ରିପୋର୍ଟ ଅନୁସାରେ, କ୍ଷେପଣାସ୍ତ୍ରଗୁଡ଼ିକୁ ଲଞ୍ଚରରେ ଲୋଡ୍ କରାଯାଇଛି ଏବଂ ଇରାନ ସମସ୍ତ ଭୂତଳ କ୍ଷେପଣାସ୍ତ୍ର ସହରରେ ନିକ୍ଷେପ କରିବାକୁ ପ୍ରସ୍ତୁତ ଅଛି । ଏହା ଆମେରିକା ସରକାର ଏବଂ ଏହାର ସହଯୋଗୀମାନଙ୍କ ଉପରେ ମହଙ୍ଗା ପଡ଼ିବ । କହିରଖୁ କି, ଇରାନୀ କର୍ତ୍ତୃପକ୍ଷ ଦ୍ୱାରା ଅନେକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଭୂତଳ ବଙ୍କର ନଜର ଆସିଛି । ଏହି ବଙ୍କରରେ ୯୦୦ ମାଇଲ୍ ଦୂରତା ବିଶିଷ୍ଟ ଖାଇବର ଶେକାନ କ୍ଷେପଣାସ୍ତ୍ର, ୮୫୦ ମାଇଲ୍ ଦୂରତା ବିଶିଷ୍ଟ ହଜ୍ କାସିମ, ୧୨୪୦ ମାଇଲ୍ ଦୂରତା ବିଶିଷ୍ଟ ଗଦ୍ରା ଏଚ୍, ୧୫୫୦ ମାଇଲ୍ ଦୂରତା ବିଶିଷ୍ଟ ସେଜିଲ ଓ ୧୦୫୦ ମାଇଲ୍ ଦୂରତା ବିଶିଷ୍ଟ ଇମାଦ କ୍ଷେପଣାସ୍ତ୍ର ରହିଛି ।
ରବିବାର ଏନବିସି ସହ ଆଲୋଚନାରେ ଟ୍ରମ୍ଫ କହିଛନ୍ତି ଯେ, ଯଦି ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇରାନ ସହମତି ନ ଦିଏ, ତେବେ ଇରାନ ଉପରେ ବୋମାମାଡ଼ କରାଯିବ । ଏଥିସହ ଦ୍ୱିତୀୟ ଶୁଳ୍କ ଲାଗୁ କରିବା ବିଷୟରେ ମଧ୍ୟ କହିଛନ୍ତି । ଇରାନର ରାଷ୍ଟ୍ରପତି ମାସୁଦ ପେଜଶକିୟାନ କହିଛନ୍ତି ଯେ, ଇସଲାମିକ ଗଣରାଜ୍ୟ ଏହାର ଦ୍ରୁତ ବିସ୍ତାରିତ ପରମାଣୁ କାର୍ଯ୍ୟକ୍ରମ ଉପରେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ଚିଠିର ଜବାବରେ ଆମେରିକା ସହିତ ସିଧାସଳଖ ଆଲୋଚନାରୁ ପ୍ରତ୍ୟାହାର କରିଛି । ଟ୍ରମ୍ଫ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନିଙ୍କୁ ଚିଠି ପଠାଇ ତେହେରାନର ଦ୍ରୁତ ପ୍ରସାରିତ ପରମାଣୁ କାର୍ଯ୍ୟକ୍ରମ ଉପରେ ଚିନ୍ତା ପ୍ରକାଶ କରିଥିଲେ ।