ଭୁବନେଶ୍ୱର ୧୪/୦୨: ଆଉ ମନ ଇଚ୍ଛା ଖୋଲିପାରିବନି ଘରୋଇ ହଷ୍ଟେଲ । ହଷ୍ଟେଲ ଖୋଲିବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ । ଯେଉଁଠି ହଷ୍ଟେଲ ଅଛି ସେମାନେ ବି ପଞ୍ଜୀକରଣ କରିବେ । ସରକାରଙ୍କ ପାଖେ ସମସ୍ତ ତଥ୍ୟ ରହିବ । କେତେ ହଷ୍ଟେଲ ରହିଛି ? କେତେ ପିଲା ରହୁଛନ୍ତି ତାର ହିସାବ ରଖିବେ ସରକାର । ଏନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଯାଉଛନ୍ତି ସରକାର । ଏଥିଲାଗି ଡ୍ରାଫ୍ଟ ବିଲ୍ ମଧ୍ୟ ପ୍ରସ୍ତୁତ ହୋଇଛି ।
ଆସୁଥିବା ନୂଆ ନିୟମ ଅନୁଯାୟୀ ସମସ୍ତ ହଷ୍ଟେଲରେ ମେସ୍ର ସୁବିଧା ରହିବ । ହଷ୍ଟେଲଟି ସମ୍ପୂର୍ଣ୍ଣ ଭାବେ ଶିକ୍ଷା ବାତାନୁକୂଳ ହେବ । ଆବଶ୍ୟକ ଲାଇଟ୍, ଫ୍ୟାନ୍, ପାନୀୟ ଜଳ ସୁବିଧା ରହିବ । ପର୍ଯ୍ୟାପ୍ତ ମାତ୍ରାରେ ଶୌଚାଳୟ ରହିବ । ପ୍ରତିଦିନ ପିଲାଙ୍କ ରୁମ୍କୁ ସଫେଇ କରାଯିବ । ଏଥିଲାଗି କର୍ମଚାରୀଙ୍କୁ ନିୟୋଜିତ କରିବେ ମାଲିକ । ପ୍ରାଥମିକ ଚିକିତ୍ସା ସୁବିଧା ରହିବ । ସମସ୍ତ ରୁମ୍ରେ ପ୍ରାଥମିକ ଚିକିତ୍ସା ବାକ୍ସ ରଖାଯିବା ବାଧ୍ୟତାମୂଳକ । ଭିନ୍ନକ୍ଷମ ପିଲାଙ୍କ ପାଇଁ ର୍ୟାମ୍ପ ବ୍ୟବସ୍ଥା ହେବ । ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ଅଗ୍ନି ପ୍ରତିରୋଧ ପାଇଁ ବିଭିନ୍ନ ସ୍ଥାନରେ ଅଗ୍ନି ନିର୍ବାପକ ଯନ୍ତ୍ରକୁ ସ୍ଥାପନ କରାଯିବ ।
ଏଥିସହ ସମସ୍ତ ରୁମ୍ ସହ ବିଭିନ୍ନ ଅଞ୍ଚଳରେ ସ୍ମୋକ୍ ଡିକେଟର୍ (ଧୂଆଁ ଚିହ୍ନଟ ଯନ୍ତ୍ର) ଲାଗିବ । ସ୍ଥାନୀୟ ଅଗ୍ନିଶମ ବାହିନୀ ଯାଞ୍ଚ କରି ପ୍ରମାଣପତ୍ର ପ୍ରଦାନ କରିବେ । ସମସ୍ତ ହଷ୍ଟେଲରେ ଜରୁରୀକାଳୀନ ପ୍ରସ୍ଥାନ ସହ ଜରୁରୀକାଳୀନ ବିଦ୍ୟୁତ୍ ବ୍ୟବସ୍ଥା ରହିବ । ୨୪ ଘଣ୍ଟିଆ ସିସିଟିଭିର ବ୍ୟବସ୍ଥା ରହିବ । ଗେଟ୍ ସହ ଏହା ପାଖରେ ସିସି ଟିଭି ରହିବ । କର୍ତ୍ତୃପକ୍ଷ ସୁରକ୍ଷା କର୍ମୀ ନିୟୋଜିତ କରିବେ । ଏଥିସହ ହଷ୍ଟେଲକୁ ଆସୁଥିବା ଲୋକଙ୍କ ତଥ୍ୟକୁ ରଖାଯିବ । ସମସ୍ତ ହଷ୍ଟେଲରେ ପ୍ରତି ପିଲାଙ୍କୁ ବେଡ୍ ସହ ମ୍ୟାଟ୍ରେସ୍ (ଗଦି) ସହ ପଢ଼ିବା ପାଇଁ ଟେବୁଲ ଚେୟାର, ଟେବୁଲ ଲାଇଟ୍, ସାନିଟେସନ୍ ସୁବିଧା ଯୋଗାଇ ଦେବା ବାଧ୍ୟତାମୂଳକ ହେବ ।
ସମସ୍ତ ହଷ୍ଟେଲ୍ରେ ବାୟୁ ଚଳାଚଳ ବ୍ୟବସ୍ଥା ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ଭାବେ ହଷ୍ଟେଲ ବିଲ୍ଡିଂ ତଥା ବ୍ଲକ୍ ରହିବ । ଛାତ୍ରଙ୍କ ପାଇଁ ପୁରୁଷ ଓ ଛାତ୍ରୀଙ୍କ ପାଇଁ ମହିଳା ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ । ସମସ୍ତ ହଷ୍ଟେଲରେ ୱାର୍ଡେନ୍ ନିୟୋଜିତ ବାଧ୍ୟତାମୂଳକ ହେବ । ହଷ୍ଟେଲ ପକ୍ଷରୁ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଆଚରଣ ସଂହିତା ଜାରି କରିବା ସହ ଶୃଙ୍ଖଳା ଜାରି କରିବେ । ଯିବା ଆସିବା ସମୟର ସମୟ ଜାରି ହେବ ।
ଏହି ଆଇନକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଏକ କମିଟି ଗଠନ ହେବ । ଏଥିରେ ଜିଲ୍ଲା ଅଧ୍ୟକ୍ଷ ରହିବେ । ଏଥିସହ ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, କୌଣସି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏହି କମିଟିରେ ସଦସ୍ୟ ରହିବେ । ନିୟମରେ ଖିଲାପ କଲେ ପ୍ରଥମଥର ପାଇଁ ୨୫ ହଜାର ଟଙ୍କା ଜରିମାନା, ଦ୍ୱିତୀୟ ଥର ପାଇଁ ୧ ଲକ୍ଷ ଟଙ୍କା ଏବଂ ତୃତୀୟ ଥର ଧରା ପଡ଼ିଲେ ତାଲା ଝୁଲିବ