ଲିସବନ୍,୮/୦୪: ଦ୍ବିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ପର୍ତ୍ତୁଗାଲରେ ପହଞ୍ଚିଛନ୍ତି । ଫିଗୋ ମାଡୁରୋରେ ଭାରତୀୟ ରାଷ୍ଟ୍ରଦୂତ ପୁନିତ କୁଣ୍ଡଲ ଓ ପର୍ତ୍ତୁଗାଲ ରାଷ୍ଟ୍ରଦୂତ ଜୋଆଓ ରିବେଲୋ ଆଲମେଡ଼ିଆ ତାଙ୍କୁ ସ୍ବାଗତ କରିଥିଲେ । ଭାରତ-ପର୍ତ୍ତୁଗାଲ କୂଟନୈତିକ ସମ୍ପର୍କରେ ୫୦ବର୍ଷ ପୂର୍ତ୍ତି ଅବସରରେ ଲିସ୍ବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଛନ୍ତି ।
ଲିସବନ୍ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ''ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବହୁ ପୁରୁଣା । ପର୍ତ୍ତୁଗାଲ ୟୁରୋପିୟନ ୟୁନିୟନ ଓ ଲୁସୋଫୋନ ଦେଶ ସହିତ ସମ୍ପର୍କ ବଢ଼ାଇବା ଦିଗରେ ଭାରତର ଏକ ମହତ୍ତ୍ବପୂର୍ଣ୍ଣ ସହଯୋଗୀ ରହିଛି । ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶ ହେବ । 'ବିକଶିତ ଭାରତ' ବନାଇବାକୁ ପଦକ୍ଷେପ ନିଆଯାଉଛି । ଯାହା ଏକ ସମୃଦ୍ଧ, ସମାବେଶୀ ଏବଂ ବିକଶିତ ସମାଜ ହେବ । ଯାହାର ମାନବ-କେନ୍ଦ୍ରୀତ ଦୃଷ୍ଟିକୋଣ ହେବ ।''
ଦୀର୍ଘ ୨୭ ବର୍ଷ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ପର୍ତ୍ତୁଗାଲ ଗସ୍ତ । ଭାରତ-ପର୍ତ୍ତୁଗାଲ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତକୁ ସେଠାରେ ସ୍ବାଗତ କରାଯାଇଛି । ପର୍ତ୍ତୁଗାଲ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆ ଗସ୍ତରେ ଯିବେ ବୋଲି ବିଦେଶ ମନ୍ତ୍ରଣାଳୟ ସୂତରୁ ଜଣାପଡ଼ିଛି । ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ୧୯୯୮ରେ ରାଷ୍ଟ୍ରପତି କେ ଆର ନାରାୟାଣନ ପର୍ତ୍ତୁଗାଲ ଗସ୍ତ କରିଥିଲେ ।