ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଓଡ଼ିଶାକୁ ନମ୍ବର ୱାନ୍‌ ପାଇଁ ଆମର ବ୍ଲୁ-ପ୍ରିଣ୍ଟ ଅଛି: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଗୁରୁବାର ଥିଲା ଭୋଟ ପ୍ରଚାରର ଶେଷ ଦିନ । ବିଜୁ ଜନତା ଦଳର କମାଣ୍ଡ ସେଣ୍ଟର ନବୀନ ନିବାସରେ ଖୁବ୍‌ ଗହଳଚହଳ । ଏକାସାଙ୍ଗରେ ବିଭିନ୍ନ ପ୍ରକୋଷ୍ଠରେ ଭିନ୍ନ ଭିନ୍ନ କାର୍ଯ୍ୟକଳାପ ଚାଲିଥିଲା । ଗୋଟିଏପଟେ କାର୍ତ୍ତିକ ପାଣ୍ଡିଆନଙ୍କ ଟିଭି ସାକ୍ଷାତକାର ତ ଆଉଗୋଟେ ପଟେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଜାତୀୟ ଚ୍ୟାନେଲର ସାକ୍ଷାତକାର  ପ୍ରସ୍ତୁତି । ନବୀନ ନିବାସର କର୍ମକର୍ତ୍ତାମାନଙ୍କର ଫୁର୍‌ସତ୍‌ ନଥାଏ ଏସବୁକୁ ସଞ୍ଚାଳନ କରିବା ପାଇଁ । ପ୍ରଚାରରେ ଶେଷ ସ୍ପର୍ଶ ଦେବାପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ନମ୍ବରୱାନ୍‌ ତାରକା ପ୍ରଚାରକ ପାଣ୍ଡିଆନଙ୍କ ପାଇଁ କାର୍ଯ୍ୟକ୍ରମ ସବୁ ଆଗୁଆ ସ୍ଥିର ହୋଇ ରହିଥାଏ । ମୁଖ୍ୟମନ୍ତ୍ରୀଙ୍କ ଯିବାର ଥାଏ ସମ୍‌ ହସ୍ପିଟାଲକୁ । ଗତକାଲି ପୁରୀ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାର ଗୁରୁତରମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯିବା ଜରୁରି ଥିଲା । ସେଠୁ ଫେରି ସେ ଯିବା କଥା ବାଲେଶ୍ୱର ଜିଲ୍ଲା ଏବଂ ପାଣ୍ଡିଆନ ଗସ୍ତ କରିବା କଥା ଭଦ୍ରକ ପ୍ରଚାର ସଭାକୁ । କାରକେଡ୍‌, ୨ଟା ହେଲିକପ୍ଟର ପ୍ରସ୍ତୁତ ।

ଏତେସବୁ ତାକ୍‌ତରକ୍‌ ଭିତରେ ‘ପ୍ରମେୟ’ ପାଇଁ ପାଣ୍ଡିଆନଙ୍କର ଏକ ସ୍ୱତନ୍ତ୍ର ସାକ୍ଷାତକାର ସ୍ଥିର ହୋଇଥାଏ । ଏ ସାକ୍ଷାତକାରର ଗୁରୁତ୍ୱ ଏଇଆ ଯେ, ପ୍ରଚାରର ଶେଷ ଦିନରେ ପାଣ୍ଡିଆନ ଯାହା କହିବେ ତାହା ବିଜୁ ଜନତା ଦଳର ଚୂଡ଼ାନ୍ତ ବାର୍ତ୍ତା ହେବ ଭୋଟରମାନଙ୍କ ପାଇଁ । ରାଜ୍ୟକୁ ଏକନମ୍ବର ସ୍ଥାନରେ ପହଞ୍ଚାଇବାର କୌଶଳ ଖୋଲି କହିବେ । 

- ତାହା ହିଁ କହିଲେ ‘ପ୍ରମେୟ’କୁ ପାଣ୍ଡିଆନ । ଷଷ୍ଠ ପାଳିରେ ପୁଣିଥରେ ସ୍ୱିପ୍‌ କରିବା ଦାବି ପଛର ଭିତ୍ତି କ’ଣ, କେଉଁସବୁ କ୍ଷେତ୍ରରେ ଓଡ଼ିଶା ନମ୍ବର-୧ ସ୍ଥାନ ହାସଲ କଲାଣି, ଆଉ କେଉଁ ସବୁ କ୍ଷେତ୍ର ପାଇଁ ପ୍ରକ୍ରିୟା ଜାରି ରହିଛି ଇତ୍ୟାଦି । ତା’ ସହିତ ପାଣ୍ଡିଆନ ଉନ୍ମୋଚନ କଲେ ଓଡ଼ିଶାର ଅର୍ଥନୈତିକ ପ୍ରଗତି ପାଇଁ ବ୍ଲୁ-ପ୍ରିଣ୍ଟ । 

ବେଶ୍‌ ଖୋଲା ଓ ସ୍ପଷ୍ଟ ଥିଲା ପାଣ୍ଡିଆନଙ୍କ ଆଗାମୀ ଯୋଜନା... ।

ଗୋପାଳକୃଷ୍ଣ ମହାପାତ୍ର, ସମ୍ପାଦକ

ଧୀରେନ୍ଦ୍ର ମିଶ୍ର, ବାର୍ତ୍ତା ସମ୍ପାଦକ


କେତେ ଆସନରେ ଜିତିବ ବିଜେଡି? ଆପଣଙ୍କର ଚୂଡ଼ାନ୍ତ ଆକଳନ କ’ଣ କହୁଛି?

 ତିନି-ଚତୁର୍ଥାଂଶ ଆସନରେ ବିଜେଡି ନିଶ୍ଚୟ ବିଜୟୀ ହେବ । ଅତି କମ୍‌ରେ ୧୧୨ ବିଧାନସଭା ଆସନ ତ ନିଶ୍ଚୟ ଜିତିବୁ । ଲୋକସଭାରେ ବି ଗତଥର ଅପେକ୍ଷା ଅଧିକ ଆସନ ଦଖଲ କରିବୁ ।

ଏମିତି ବି ଡର ଅଛି କି, ବିଜେଡିକୁ ଆଶାନୁରୂପ ଫଳ ମିଳିବନି ?

 ବିଲକୁଲ ନୁହେଁ । ମୋର ଆତ୍ମବିଶ୍ୱାସ ଅଛି, ଦଳର ବି ନିଶ୍ଚିତ ଅଛି, ବିଜେଡି ସ୍ୱିପ୍‌ କରୁଛି । ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ଲୋକେ ଆମ ସହିତ ଅଛନ୍ତି । ମୁଁ ବିନମ୍ରତାର ସହ କହୁଛି, ବିଜେଡି ବିପୁଳ ବିଜୟ ହାସଲ କରିବ ଆଉ ନବୀନ ଷଷ୍ଠ ପାଳି ମୁଖ୍ୟମନ୍ତ୍ରୀ ହୋଇ କରିବେ ନୂଆ ରେକର୍ଡ ।

ଏ ଆତ୍ମବିଶ୍ୱାସର ଆଧାର କ’ଣ? 

 ନବୀନଙ୍କ ପ୍ରତି ଲୋକଙ୍କ ଭଲପାଇବା ବଢ଼ିଛି । ସାରା ରାଜ୍ୟ ଗସ୍ତବେଳେ ଏହା ହୃଦୟଙ୍ଗମ କରିଛୁ । ଏହାଛଡ଼ା ଲୋକଙ୍କ ବିଶ୍ୱାସ ଅଛି, ଆମେ ଯାହା କହୁ ତାହା କରୁ । ଗତ ୨୪ ବର୍ଷ ଧରି ଲୋକେ ନବୀନ ବାବୁ ଓ ତାଙ୍କ ଉତ୍ସର୍ଗୀକୃତ କାମକୁ ଦେଖିଛନ୍ତି । ବିଜେଡି ଫମ୍ପା ପ୍ରତିଶ୍ରୁତି ଦିଏ ନାହିଁ । ଯାହା କରିଛୁ, ତାହା ବି ଲୋକ ଦେଖୁଛନ୍ତି । ଓଡ଼ିଶାକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦୂରଦୃଷ୍ଟି ଓ ନିର୍ଦ୍ଦିଷ୍ଟ ଯୋଜନା ଅଛି, ସେକଥା ବି ଓଡ଼ିଶାବାସୀ ଜାଣିଛନ୍ତି । 

ବିଜେପିର ଦାବି ୭୫ ବିଧାନସଭା, ୧୭ ଲୋକସଭା ସିଟ୍‌ ଦଖଲ କରିବ....? ତୃଣମୂଳସ୍ତରରେ ମୋଦି ହାୱା ଜଳଜଳ ବୋଲି ଦଳ ଦାବି କରୁଛି । 

 ନିଜ କର୍ମୀଙ୍କ ମନୋବଳ ବଢ଼ାଇବାକୁ ବିଜେପି ନେତାମାନେ ଏକଥା ଡିଣ୍ଡିମ ମାରୁଛନ୍ତି । ବାସ୍ତବତା ସଂପୂର୍ଣ୍ଣ ଭିନ୍ନ । ପଞ୍ଚାୟତ ନିର୍ବାଚନ ଓ ଉପନିର୍ବାଚନ ଫଳାଫଳ ସ୍ପଷ୍ଟ ପ୍ରମାଣିତ କରିଛି ବିଜେପିର ସ୍ଥିତି କ’ଣ ।

ନିର୍ବାଚନରେ ବିଜେପି ରତ୍ନଭଣ୍ଡାରକୁ ବଡ଼ ପ୍ରସଙ୍ଗ କରିଛି । ଏହା ଭୋଟରଙ୍କୁ କେତେ ଛୁଇଁବ?

    ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ । ଯେଉଁଥି ପାଇଁ ଏଭଳି ଏକ ଅପ୍ରସଙ୍ଗକୁ ପ୍ରସଙ୍ଗ କରିଛନ୍ତି । ଦରଦାମ କମିବ କହିଥିଲେ, କମିଲା ନାହିଁ । ନିଯୁକ୍ତି ସୃଷ୍ଟି କରିବେ କହିଲେ, ହେଲା ନାହିଁ । ଓଡ଼ିଶାରେ ଜାତୀୟ ରାଜପଥ ଅବସ୍ଥା ବହୁତ ଖରାପ । କୋଇଲା ରୟାଲଟି ବଢ଼ିଲାନି । ଓଡ଼ିଶା ପାଇଁ ସେମାନେ ଗତ ୧୦ ବର୍ଷ ଭିତରେ କିଛି କରିନାହାନ୍ତି । କାହା ବଳରେ ଭୋଟ ମାଗିବେ? ତେଣୁ ଧର୍ମ, ଭଗବାନଙ୍କ କଥା କହି ଭୋଟ ଭିଡ଼ିବାକୁ ଉଦ୍ୟମ କରୁଛନ୍ତି ।

ଏଥର ଭୋଟ ପ୍ରଚାରରେ ପ୍ରବଳ ତିକ୍ତତା ଦେଖିବାକୁ ମିଳିଥିଲା । କାହିଁକି...?

 ବିଜେପି ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଛି । ଓଡ଼ିଶାରେ କ୍ରମାଗତ ଭାବେ ଦଳ ପରାଜୟକୁ ସାମନା କରିଆସୁଛି । ପଞ୍ଚାୟତ ନିର୍ବାଚନରେ ୩୦ ଜିଲ୍ଲା ପରିଷଦ ହାରିଲା । ପ୍ରତି ଉପନିର୍ବାଚନରେ ୩୦ରୁ ୪୦ ହଜାର ଭୋଟ ବ୍ୟବଧାନରେ ପରାଜୟ ବରଣ କରିଛି । ମନୋବଳ ଭାଙ୍ଗିଯାଇଛି । ତାଙ୍କ ରଣନୀତି କାଟୁ କରୁନି । ଯେଉଁଥି ପାଇଁ ତିକ୍ତ କଥା କହୁଛନ୍ତି ।

ବିଜେପି କହୁଛି ଓଡ଼ିଶାକୁ ନମ୍ବର ୱାନ୍‌ କରିବ । ବିଜେଡିର ବି ଏକା ପ୍ରତିଶ୍ରୁତି । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଯୋଜନା ଅଛି ନା କେବଳ ଭୋଟ ପ୍ରତିଶ୍ରୁତି ?

ସେମିତି ଖାଲି କହିଦେଲେ ହେବନି । ବିଜେପି ଇସ୍ତାହାରରେ ସେଭଳି କିଛି ଯୋଜନା ଦିଶୁନି । ବିଜେଡି କିନ୍ତୁ ଏଥିପାଇଁ ଦୀର୍ଘମିଆଦି ଯୋଜନା ଏବଂ କାର୍ଯ୍ୟାନ୍ୱୟନ ରୂପରେଖ (ବ୍ଲୁ ପ୍ରିଣ୍ଟ) ତିଆରି କରି ସାରିଛି । 

  ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ଦେଶରେ ଶୀର୍ଷରେ । ବିନିର୍ମାଣ ଓ ନିବେଶରେ ଆମେ ଦ୍ୱିତୀୟ ସ୍ଥାନରେ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନମ୍ବର ୱାନ୍‌ । କ୍ରୀଡ଼ାରେ ଆମେ ବହୁ ଆଗରେ । ଆଦିବାସୀଙ୍କ ପରିଚୟ ବଞ୍ଚାଇବାକୁ ଆମେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛୁ । ଯାହା ଦେଶରେ ଅଭିନବ । ଖାଦ୍ୟ ସୁରକ୍ଷାରେ ବି ଆମେ ଆଗରେ । 

 ବହୁ ଆର୍ଥିକ ସୂଚକାଙ୍କରେ ଆମେ ଆଗରେ ଅଛୁ । ସାମାଜିକ-ଆର୍ଥିକ ସୂଚକାଙ୍କରେ ଓଡ଼ିଶା ଆଗରେ । ରାଜସ୍ୱ ବଳକା ସ୍ଥିତି (ରେଭିନ୍ୟୁ ସରପ୍ଳସ୍‌) ରେ ଆମେ ମଧ୍ୟ ୧ ନମ୍ବର । ଯଦି ଆପଣ ୨୦ଟି ପ୍ରମୁଖ କ୍ଷେତ୍ରକୁ ଦେଖିବେ ଓଡ଼ିଶା ଆଜି ୫ଟିରେ ନମ୍ବର ୱାନ୍‌ ।

ଯୁବବର୍ଗଙ୍କ ପାଇଁ କ’ଣ କରିଛନ୍ତି । ଆଗକୁ ଆଉ କ’ଣ ଯୋଜନା ଅଛି?

  ନୂଆ ଓଡ଼ିଶା ଗଠନ କରିବାକୁ ହେଲେ ଯୁବପିଢ଼ିକୁ ଆଗ ଚାକିରି ଦରକାର । ଚାକିରି ସୃଷ୍ଟି ପାଇଁ ନିବେଶ ଦରକାର । ପୁଞ୍ଜି ନିବେଶରେ ଆମେ ଦେଶର ଦୁଇ ନମ୍ବର । ଓଡ଼ିଶାକୁ ନମ୍ବର ୱାନ୍‌ କରିବାକୁ ହେଲେ ଯୁବପିଢ଼ିଙ୍କ ମାଧ୍ୟମରେ ହିଁ କରିହେବ । ତେଣୁ ଯୁବବର୍ଗ ପାଇଁ ଅନୁକୂଳ ପରିବେଶ ଆବଶ୍ୟକ । ସେଗୁଡ଼ିକ ହେଲା ଦକ୍ଷତା, ନିବେଶ, ବୈଷୟିକ ଜ୍ଞାନକୌଶଳ, ସୂଚନା ଓ ପ୍ରଯୁକ୍ତି ସଂସ୍ଥା । ଏସବୁ ଏବେ ଓଡ଼ିଶାକୁ ଆସୁଛନ୍ତି । ଏହାକୁ ଆଧାର କରି ବିଜେଡିର ଲକ୍ଷ୍ୟ, ଓଡ଼ିଶାକୁ କରିବ ନମ୍ବର ୱାନ୍‌ । 

 କିନ୍ତୁ ବିଜେପି ଇସ୍ତାହାର ସମ୍ପୂର୍ଣ୍ଣ ଫମ୍ପା । ଏକ ଜାତୀୟ ଦଳ ଏମିତି ଶସ୍ତା ଇସ୍ତାହାର କରିଛନ୍ତି କେବଳ ଭୋଟ ଭିଡ଼ିବାକୁ । ଯାହା ମନକୁ ଆସିଲା ତାକୁ ଇସ୍ତାହାରରେ ଯୋଡ଼ିଛନ୍ତି । ଯୁବପିଢ଼ି ପାଇଁ କିଛି ନାହିଁ । ଏମିତି ଇସ୍ତାହାର ଓଡ଼ିଶାକୁ ୨୫ ବର୍ଷ ପଛକୁ ଟାଣିନେବ ।

ଓଡ଼ିଶାର ସ୍ୱାର୍ଥ ଓ ହକ୍‌ ପାଇଁ ବିଜେଡି ଏବେ ବିଜେପି ଓ କଂଗ୍ରେସ ସହ ଲଢ଼ୁଛି । ଫଳ ବାହାରିବା ପରେ କାହାକୁ ସମର୍ଥନ ଦେବୁ ସେ ବିଷୟ ଚିନ୍ତା କରିବୁ ।

ଜାତୀୟସ୍ତରରେ ଏବେ ସବୁଠୁ ବଡ଼ ସମସ୍ୟା ବେରୋଜଗାରୀ । ଏହାକୁ ଦୂର କରିବା ଦିଗରେ ବିଜେଡି ଇସ୍ତାହାରରେ  କ’ଣ ଅଛି ?

 ଆମେ ଏହା ଉପରେ ଅଧିକ ଗୁରୁତ୍ୱ ଦେଉଛୁ । ବିନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ ଆଣି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ବିଶ୍ୱରେ ଉଭା ନୂଆ ଅର୍ଥନୀତି ଧାରାକୁ ଓଡ଼ିଶାକୁ କେମିତି ଆଣିହେବ ସେ ଦିଗକୁ ଧ୍ୟାନ ଦେଇ ଯୋଜନା କରିଛୁ । ଖଣିକ୍ଷେତ୍ର ଉପରୁ ଚାପ ହଟାଇ ଅଣ- ଖଣିକ୍ଷେତ୍ରକୁ କିଭଳି ବିକାଶ କରିହେବ ତା’କୁ ନେଇ ଯୋଜନା କରୁଛୁ । ସେବା କ୍ଷେତ୍ର (ସର୍ଭିସ ସେକ୍ଟର), ବିନିର୍ମାଣ ନିବେଶ ଟାଣିବା ଉପରେ ଆମେ ଅଧିକ ଗୁରୁତ୍ୱ ଦେଉଛୁ ଯାହା ବିପୁଳ ନିଯୁକ୍ତି ସୃଷ୍ଟି କରିବ ।

 ଆମ ଇସ୍ତାହାରର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହେଲା ସହରୀକରଣ । ରାଜ୍ୟର ଛୋଟ ଛୋଟ ସହରଗୁଡ଼ିକୁ ବିକଶିତ କରାଯିବ । ଏହାଫଳରେ ସେବାକ୍ଷେତ୍ରର ଅଭିବୃଦ୍ଧି ହେବ । ଏଥିରୁ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ।

 ଆମେ ମଧ୍ୟବିତ୍ତଙ୍କ ବିକାଶକୁ ମଧ୍ୟ ଗୁରୁତ୍ୱ ଦେଇଛୁ । ମଧ୍ୟବିତ୍ତଙ୍କୁ ଇସ୍ତାହାରରେ ଅଗ୍ରାଧିକାର ଦେବାରେ ବିଜେଡି ଦେଶରେ ପ୍ରଥମ । ଅନ୍ୟ କୌଣସି ଦଳ ଏ ଗୋଷ୍ଠୀଙ୍କ ବିକାଶକୁ ଧ୍ୟାନରେ ରଖି ନାହାନ୍ତି । ମଧ୍ୟବିତ୍ତଙ୍କୁ ଗୃହଋଣରେ ସୁଧ ରିହାତି, ବିଏସ୍‌କେୱାଇ ସୁବିଧା । ଉଚ୍ଚଶିକ୍ଷା ପାଇଁ ପିଲାଙ୍କୁ ଛାତ୍ରବୃତ୍ତି ସହ ପରିବହନ ସୁବିଧା ମିଳିବ । ସାରା ବିଶ୍ୱର ବିକାଶ ଧାରାକୁ ଦେଖିଲେ, ଏହି ଦୁଇବର୍ଗର ବିକାଶକୁ ଭିତ୍ତି କରି ଆଗକୁ ବଢ଼ିଛନ୍ତି । ବିଜ୍ଞାନ ସମ୍ମତ ଓ ବହୁଳ ଭାବେ ପ୍ରମାଣିତ ଏ ଧାରାକୁ ଆମେ ଫୋକସ୍‌ କରି ଓଡ଼ିଶାକୁ କରିବୁ ୧ ନମ୍ବର ।

ବିନିର୍ମାଣ କ୍ଷେତ୍ରରେ ଅଧିକ ନିବେଶ କେମିତି ଆସିବ?

    ନିବେଶକଙ୍କୁ ଆକର୍ଷିତ କରିବାକୁ ଓଡ଼ିଶା ପାଖରେ ବିପୁଳ ସୁଯୋଗ ରହିଛି । ରାଜସ୍ୱ ବଳକା ସ୍ଥିତି ନଥିଲେ ନିବେଶକ ଆସିବେନି । ଆମର ଏ ସ୍ଥିତି ବହୁତ ଭଲ । ରାଜସ୍ୱ ବଳକା ସ୍ଥିତି ନଥିଲେ କମ୍ପାନିକୁ ପ୍ରୋତ୍ସାହନ ଓ ରିହାତି ଦେଇ ହେବନି । ଆମେ ଖାଲି ରିହାତି ଦେବୁ ବୋଲି କହିଦେଲେ ପୁଞ୍ଜିପତି ଏହାକୁ ବିଶ୍ୱାସ କରିବେନି । ଓଡ଼ିଶାର ବଜେଟ ପରିଚାଳନା ଏମିତି ଯେ ଆମେ ବେଶ ଭଲ ରାଜସ୍ୱ ବଳକା ସ୍ଥିତିରେ ଅଛୁ । ନିବେଶକ ଆମକୁ ବିଶ୍ୱାସକୁ ନେବେ । ଓଡ଼ିଶାକୁ ଆସିବେ ।

  ଡବଲ ଇଞ୍ଜିନ ଚାଲିଥିବା ଉତ୍ତରପ୍ରଦେଶ କିମ୍ବା ମଧ୍ୟପ୍ରଦେଶ ଏକଥା କହିଲେ କୌଣସି ନିବେଶକ ବିଶ୍ୱାସ କରିବେନି । ସେମାନଙ୍କ ପାଖରେ ରିହାତି ଦେବାକୁ ଟଙ୍କା ନାହିଁ । ଯେଉଁଥିପାଇଁ ଓଡ଼ିଶା ଆଜି ନିବେଶ ଟାଣିବାରେ ନମ୍ବର ଦୁଇରେ ଅଛି । ଏହାଛଡ଼ା ବେକାରୀ ହାରରେ ଆମେ ଦେଶରେ ତଳେ ଅଛୁ । ଉଚ୍ଚଶିକ୍ଷାର ରୂପାନ୍ତରଣ ହୋଇଛି । ଏଭଳି ଅନୁକୂଳ ପରିବେଶ ହିଁ ନିବେଶକଙ୍କୁ ଟାଣିବାରେ ସହାୟକ ହେବ । ଭିଏତ୍‌ନାମ ଓ ସିଙ୍ଗାପୁର ଏ ମଡେଲକୁ ଅନୁକରଣ କରି ଆଗକୁ ବଢ଼ିଛନ୍ତି ।

ବିଜେପି ପାଖରେ କୌଣସି ପ୍ରସଙ୍ଗ  ନଥିବାରୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରିଛନ୍ତି । ଦରଦାମ କମିବ କହିଥିଲେ, କମିଲା ନାହିଁ । ନିଯୁକ୍ତି ସୃଷ୍ଟି କରିବେ କହିଲେ, ହେଲା ନାହିଁ । ଓଡ଼ିଶାରେ ଜାତୀୟ ରାଜପଥ ଅବସ୍ଥା ବହୁତ ଖରାପ । କୋଇଲା ରୟାଲଟି ବଢ଼ିଲାନି । ଓଡ଼ିଶା ପାଇଁ ସେମାନେ ଗତ ୧୦ ବର୍ଷ ଭିତରେ କିଛି କରିନାହାନ୍ତି । ତେଣୁ ଧର୍ମ, ଭଗବାନଙ୍କ କଥା କହି ଭୋଟ ଭିଡ଼ିବାକୁ ଉଦ୍ୟମ କରୁଛନ୍ତି ।

ସୀମିତ ସମ୍ବଳ ଉତ୍ସ ଜରିଆରେ ବିକାଶମୂଳକ କାମ ପାଇଁ ଅତିରିକ୍ତ ପାଣ୍ଠି କେଉଁଠୁ ପାଇବେ ?

 ଓଡ଼ିଶାର ବିକାଶ ଅନ୍ୟ ରାଜ୍ୟଠୁ ବେଶ୍‌ ଦ୍ରୁତଗତିରେ ଚାଲିଛି । ତେଣୁ ରାଜସ୍ୱ ବୃଦ୍ଧି ସେହି ହାରରେ ବଢ଼ିବ ବୋଲି ଆଶା କରୁଛୁ । ପୁଞ୍ଜି ବ୍ୟୟ (କ୍ୟାପିଟାଲ ଏକ୍ସପେଣ୍ଡିଚର) ଯେତିକି ଅଧିକ ହେବ, ଅଭିବୃଦ୍ଧି ସେଇ ହାରରେ ଆଗେଇବ । ପୁଞ୍ଜି ବ୍ୟୟରେ ଓଡ଼ିଶା ଆଜି ଢେର ଆଗରେ । ମୋଟ ବଜେଟ ବ୍ୟୟ ବରାଦର ୨୫ ପ୍ରତିଶତ ଭିତ୍ତିଭୂମି ଓ ସ୍ଥାୟୀ ସମ୍ପତ୍ତି ସୃଷ୍ଟିରେ ଖର୍ଚ୍ଚ କରାଯାଉଛି । ଏହା ରାଜ୍ୟର ମୋଟ ଘରୋଉ ଉତ୍ପାଦର ୬.୫ ପ୍ରତିଶତ । ଏଭଳି ଉଚ୍ଚ ପୁଞ୍ଜି ବ୍ୟୟ ହାର ଅନ୍ୟ କୌଣସି ରାଜ୍ୟରେ ନାହିଁ । 

  ଓଡ଼ିଶାର ଏଭଳି ବଜେଟ ପରିଚାଳନା ଯୋଗୁଁ ରାଜ୍ୟର ମୁଣ୍ଡପିଛା ଋଣଭାର କମି କମି ଦେଶରେ ସର୍ବନିମ୍ନ (୨୦ ହଜାର ଟଙ୍କା) । ମୁଖ୍ୟମନ୍ତ୍ରୀ ଭାବେ ନବୀନ ଦାୟିତ୍ୱ ନେବାବେଳେ ଏହା ଥିଲା ଦେଶରେ ସର୍ବାଧିକ ।

ଘରୋଇ ଉତ୍ପାଦ (ଜିଏସ୍‌ଡିପି) ତୁଳନାରେ ରାଜ୍ୟର ଋଣ ବୋଝ ଧାର୍ଯ୍ୟ ମାନଦଣ୍ଡ (୨୫%) ଠାରୁ ବହୁତ ତଳେ ଅଛି । ଓଡ଼ିଶାର ଋଣବୋଝ ସାରା ଦେଶରେ ସବୁଠାରୁ କମ୍‌ ୧୩.୩ ପ୍ରତିଶତ (ଜିଏସ୍‌ଡିପିର) । ବିକାଶମୂଳକ ଖର୍ଚ୍ଚ ପାଇଁ ଋଣ ଉଠାଣର ସୁବିଧା ଥିଲେ ମଧ୍ୟ କାହିଁକି ଉପଯୋଗ କରାଯାଉନି?

 ଆମେ ଏ ସଂପର୍କରେ ଅବଗତ ଅଛୁ । ଏହି ସୁବିଧାର ପୂର୍ଣ୍ଣ ବିନିଯୋଗ କରି ଆଗକୁ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିବୁ । ଏ ନେଇ ଆମେ ଯୋଜନାବଦ୍ଧ ଭାବେ ବାଟ ଚାଲୁଛୁ । ଓଡ଼ିଶାକୁ ଏହି ମାର୍ଗରେ ଆମେ ନମ୍ବର ୱାନ୍‌ କରିବୁ । ଯେତିକି ଦେଶ ଦ୍ରୁତ ବିକାଶ କରିଛନ୍ତି, ଏହି ବାଟରେ ଯାଇଛନ୍ତି । ବିଜେପି କିନ୍ତୁ ବିକାଶର ଯେଉଁ ସ୍ୱପ୍ନ ଦେଖାଉଛି ତାହା ସମ୍ପୂର୍ଣ୍ଣ ଅବାସ୍ତବ । ହଠାତ୍‌ ତଳୁ ଶିଖରକୁ ଛୁଇଁ ହୁଏନି । ଅର୍ଥନୀତିରେ ସ୍ୱତନ୍ତ୍ର ମାର୍ଗରେ ଯିବାକୁ ପଡ଼େ । ବିଜେପି ପାଖରେ କିନ୍ତୁ ସେ ଦୂରଦୃଷ୍ଟି ନାହିଁ ।

ସହରୀକରଣ ପାଇଁ ଗାଁ ମରିଯାଉଛି । ଗାଁ ଅର୍ଥନୀତିକୁ ସୁଦୃଢ଼ କରିବାକୁ ବିଜେଡିର ଯୋଜନା କ’ଣ? ଗାଁରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଯୋଜନା ଅଛି କି?

 କୃଷି ବିକାଶ ଉପରେ ଆମେ ଗୁରୁତ୍ୱ ଦେଉଛୁ । ଜଳସେଚନ ପର୍ଯ୍ୟାପ୍ତ କରାଯିବ । ବୈଜ୍ଞାନିକ ପ୍ରଣାଳୀରେ ଚାଷ ଜରିଆରେ ଉତ୍ପାଦନ ବଢ଼ାଇବାକୁ ଗୁରୁତ୍ୱ ଦିଆଯିବ । ଫସଲ ବିବିଧୀକରଣ, ମତ୍ସ୍ୟ ଓ ପଶୁପାଳନକୁ ଉତ୍ସାହିତ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବିଜେଡି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ବିଜେଡି ସଂକଳ୍ପବଦ୍ଧ ।

 ଆମ ଇସ୍ତାହାର ଅନ୍ୟ ଦଳଠୁ ସଂପୂର୍ଣ୍ଣ ଭିନ୍ନ ଓ ଦୂରଦୃଷ୍ଟିସଂପନ୍ନ । ଏହାକୁ କାର୍ଯ୍ୟକାରୀ କରିବାକୁ ଆମର ଅଛି ନିଷ୍ଠା ଓ ଆନ୍ତରିକତା । ୨୦୩୪ ସୁଦ୍ଧା ଓଡ଼ିଶାକୁ  ୧ ନମ୍ବର ରାଜ୍ୟ କରିବୁ ।

ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟସ୍ତରଠୁ ତଳେ ରହିଛି...?

    ଆସନ୍ତା ୨/୩ ବର୍ଷ ମଧ୍ୟରେ ଆମେ ଜାତୀୟସ୍ତରକୁ ଟପିଯିବୁ । ସେଥିପାଇଁ ନିର୍ଦ୍ଦିଷ୍ଟ ଯୋଜନା ତିଆରି ହୋଇଛି । ରାଜସ୍ୱ ଆୟକୁ ହ୍ରାସ କରି ପୁଞ୍ଜିବ୍ୟୟ ବଢ଼ାଇ ଦ୍ରୁତ ଅଭିବୃଦ୍ଧି ହେବ । ଏହା ମୁଣ୍ଡପିଛା ଆୟକୁ ଆଗକୁ ଟାଣିନେବ । ସରକାର ନାଗରିକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଖର୍ଚ୍ଚ ସମ୍ପୂର୍ଣ୍ଣ ମୁଣ୍ଡାଉଛନ୍ତି । ତେଣୁ ଏହା ଅଭିବୃଦ୍ଧି ସହ ଆୟକୁ ଆଗକୁ ଠେଲିବ ।

ବିଭିନ୍ନ ଜନକଲ୍ୟାଣକାରୀ ଓ ମାଗଣା ଉପହାର ରାଜ୍ୟ ବଜେଟ ଉପରେ କେତେ ବୋଝ ହେବ?

    ଆମେ କିଛି ମାଗଣା ଉପହାର ଦେଉନୁ । ସବୁ ଯୋଜନା ଜନକଲ୍ୟାଣକାରୀ । ସବୁ ଜନମଙ୍ଗଳ ଯୋଜନାରେ ବାର୍ଷିକ ଅତି ବେଶୀରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛୁ । ମଧ୍ୟପ୍ରଦେଶ କେବଳ ଗୋଟିଏ ମାଗଣା ଉପହାର ଯୋଜନାରେ ମାସକୁ ୩ ହଜାର କୋଟି ଖର୍ଚ୍ଚ କରୁଛି । ବିଜେପି କହୁଛି ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ମାଗଣା ଭାଉଚର ଦେବ । ଏହା ସମ୍ପୂର୍ଣ୍ଣ ଅବାସ୍ତବ ଓ ବିଜେପିର ଜୁମ୍‌ଲା । କେବଳ ଓଡ଼ିଶାରେ ୨ କୋଟି ମହିଳାଙ୍କ ପାଇଁ ବର୍ଷକୁ ୧ ଲକ୍ଷ କୋଟି ଖର୍ଚ୍ଚ କରିବାକୁ ହେବ । ସାରା ଦେଶରେ ଏହା ୩୦ ଲକ୍ଷ କୋଟି ଡେଇଁଯିବ । ଦେଶର ବଜେଟ୍‌ ମଧ୍ୟ ଏତିକି ନୁହେଁ । ଟଙ୍କା ଆଣିବେ କୁଆଡୁ? ଦେବେ କେମିତି ?

ରାଜନୀତିରେ ଆପଣଙ୍କ ଭବିଷ୍ୟତ କ’ଣ? ଆପଣ ତ ଭୋଟ ମଇଦାନକୁ ପ୍ରାର୍ଥୀ ଭାବେ ଓହ୍ଲାଇନାହାନ୍ତି । ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ପଦର ଇଛା ଅଛି କି?

 ସେମିତି କିଛି ଯୋଜନା ନାହିଁ । ରାଜନୀତିକୁ ଆସିବି ବୋଲି କେବେ ଭାବିନଥିଲି । ଏହା ଆକସ୍ମିକ । ଆଇଏଏସ୍‌ ହେବି, ଲୋକଙ୍କ ପାଇଁ କାମ କରିବି । ଏ ସ୍ୱପ୍ନ ମୋର ଥିଲା । ପ୍ରାୟ ବର୍ଷକ ତଳେ ମୁଁ ଚିନ୍ତା କଲି ରାଜନୀତିରେ ପାଦ ଦେବି । ଏଥିପାଇଁ ମୁଁ କିଛି ଯୋଜନା ବି କରିନଥିଲି । ମୋ ଭବିଷ୍ୟତକୁ ମହାପ୍ରଭୁ ଓ ନବୀନ ବାବୁଙ୍କ ଉପରେ ଛାଡ଼ି ଦେଇଛି । ମୁଁ ମୁଖ୍ୟମନ୍ତ୍ରୀ ହେବି ବୋଲି ବିଜେପି ପ୍ରଚାର କରୁଛି । ଏହା କେବଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବାକୁ ବିଜେପିର କୌଶଳ । ମୋର ସେମିତି କିଛି ଯୋଜନା ନାହିଁ ।

    ଗତ ୩ ପାଳି ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବିଜେପି ପାଉନି । ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ । ତେଣୁ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ମୋତେ ଟାଣି ଅପପ୍ରଚାର କରୁଛି ।

ପାଣ୍ଡିଆନ ଜଣେ ଶକ୍ତିଶାଳୀ ଆଇଏଏସ୍‌ ଅଫିସର, ପାଣ୍ଡିଆନ ଜଣେ ରାଜନେତା । ଫରକ କ’ଣ ?

 ମୁଁ ଶକ୍ତିଶାଳୀ ଅଫିସର ନଥିଲି । ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ବି ଶକ୍ତିଶାଳୀ ନୁହଁନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ବିଭାଗର କାମ ତଦାରଖ କରେ । ମୋତେ ହିଁ ସେ କାମ କରିବାକୁ ପଡ଼ୁଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗର ସମାଧାନ କରୁଥିଲି । ଏବେ ବି ସେଇ କାମ କରୁଛି । ରାଜନୀତିକୁ ଆସିବା ବେଶି ଦିନ ହୋଇନି । ଯଦି ଜଣେ ସେବା ମନୋଭାବର ହୋଇଥିବେ, ତାଙ୍କୁ ଆଇଏଏସ୍‌ କିମ୍ବା ରାଜନୀତି କାମରେ ବିଶେଷ ଫରକ ପଡ଼ିବନି ।

 ପ୍ରଶାସନିକ ଦାୟିତ୍ୱରେ ଥିଲା ବେଳେ ମୁଁ ଜଣେ ଆକ୍ଟିଭିଷ୍ଟ ଭାବେ ନିଷ୍ଠାର ସହ ଦାୟିତ୍ୱ  ତୁଲାଉଥିଲି । ବ୍ୟାଙ୍କ ଜରିଆରେ ମଜୁରି ଦେବାକୁ କେହି ଯେତେବେଳେ ଚିନ୍ତା କରିନଥିଲେ, ମୁଁ ନିଜଆଡ଼ୁ ୧ ଲକ୍ଷ ୨୦ ହଜାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ମଜୁରି ଦେଇଥିଲି । ମୋର ଉଦ୍ଦେଶ୍ୟ ଥିଲା ସର୍ବନିମ୍ନ ମଜୁରି ସିଧାସଳଖ ବ୍ୟାଙ୍କ ଜରିଆରେ ପହଞ୍ଚିବ, ତାହା ଲୋକଙ୍କ ଜୀବନଧାରଣର ମାନରେ କିଛି ଉନ୍ନତି ଆଣିବ । ସେହିଭଳି ମୟୂରଭଞ୍ଜରେ ଭିନ୍ନକ୍ଷମଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ କ୍ୟାମ୍ପ କରି, ଆନୁଷଙ୍ଗିକ ସରକାରୀ ଅଫିସକୁ ଗୋଟିଏ ସ୍ଥାନରେ ଏକାଠି କରି ବର୍ଷକ ମଧ୍ୟରେ ୩୦ ହଜାର ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଥିଲି । ସେଯାଏ ମୋଟ ୭ ଶହ ସାର୍ଟିଫିକେଟ ମଳିଥିଲା । ସେଥିପାଇଁ ମୋତେ ‘ଆକ୍ଟିଭିଷ୍ଟ’ ଭାବେ ହେଲେନ କେଲର ପୁରସ୍କାର ମିଳିଥିଲା । ମୁଁ କହିବି, ମୋ ଭିତରେ କେଉଁଠି ‘ଆକ୍ଟିଭିଷ୍ଟ’ ଲୁଚିକି ରହିଛି ।

ବିରୋଧୀ ଦଳ ଆପଣଙ୍କୁ ବାହାର ଲୋକ ଭାବେ ଚିତ୍ରଣ କରିବା ସହ ‘ତାମିଲ’ ବୋଲି ପ୍ରଚାର କରୁଛି । ଏହା ଭୋଟରଙ୍କୁ ପ୍ରଭାବିତ କରୁଛି କି?

ମୋ ହିସାବରେ ଆଦୌ ନୁହେଁ । ଦଳରେ ଏହା ଚର୍ଚ୍ଚା ହେଉନି । ମୁଁ ବି ଲୋକଙ୍କ ସହ ମିଶୁଛି । ଲୋକଙ୍କ ଭଲ ପାଇବା, ସ୍ନେହ ଜାଣିପାରୁଛି । ମୋ ପରିଚୟ ହେଉଛି ନବୀନ ବାବୁଙ୍କ ପାଇଁ କାମ କରିବା । ସରକାରୀ ଅଧିକାରୀ ଥିଲା ବେଳେ କରୁଥିଲି । ଏବେ ବି କରୁଛି । କୋଭିଡ ପରିଚାଳନା ବେଳେ ପୂରା ୩୦ ଜିଲ୍ଲା ବୁଲିଛି । ଯେଉଁ ସମୟରେ କେହି ଘରୁ ବାହାରୁ ନଥିଲେ । ସବୁ ଜାଗାରେ ହସ୍‌ପିଟାଲ ଖୋଲିଲୁ । ବହୁ ଜୀବନ ବଞ୍ଚାଇଲୁ । ଏହା ଲୋକଙ୍କ ହୃଦୟକୁ ଛୁଇଁଲା ।

୫-ଟି ସ୍କୁଲ କାର୍ଯ୍ୟକ୍ରମରେ ପ୍ରତିଟି ହାଇସ୍କୁଲ ସହ କଥା ହୋଇଛି । ମୁଁ ସରକାରୀ ସ୍କୁଲରୁ ପାଠପଢ଼ି ଆସିଛି । ସରକାରୀ ସ୍କୁଲରେ ପିଲା କେତେ କଷ୍ଟରେ ପାଠ ପଢ଼ନ୍ତି ମୁଁ ଜାଣିଛି । ହାଇସ୍କୁଲ ରୂପାନ୍ତରଣ କାମ ହାତକୁ ନେଲୁ । ମୋର ପରିଚୟ ସୃଷ୍ଟି ହେଲା ଯେ, ମୁଁ ଲୋକଙ୍କ ପାଇଁ କାମ କରୁଛି । ମୁଁ ମୋର କର୍ମଭୂମିକୁ ପ୍ରାଥମିକତା ଦେଇଛି ।

ରାଜନୀତିରେ ଲୋକଙ୍କ ପାଇଁ ଅଧିକ କିଛି କରିବାର ସୁଯୋଗ ଅଛି ଭାବୁଛନ୍ତି ?

 ହଁ...ରାଜନୀତିରେ ଅପେକ୍ଷାକୃତ ସ୍ୱାଧୀନତା ଅଧିକ ଅଛି । ନବୀନ ବାବୁଙ୍କୁ ସାହାଯ୍ୟ କରିବାକୁ ମୁଁ ରାଜନୀତିକୁ ଆସିଛି । ସବୁବେଳେ ଗୋଟିଏ ରଙ୍ଗ, ଗୋଟିଏ ଡିଜାଇନର ପୋଷାକ ପିନ୍ଧନ୍ତି । ଏହା ପଛରେ କିଛି ରହସ୍ୟ ନା ଅନ୍ଧବିଶ୍ୱାସ ଅଛି କି?

 ଅନ୍ଧବିଶ୍ୱାସ ତ ଆଦୌ ନୁହେଁ । ଏଭଳି ପୋଷାକ ମୋତେ ଆରାମ ଲାଗେ । ପୋଷାକର ରଙ୍ଗ ବାଛିବାରେ ସମୟ କାହିଁକି ନଷ୍ଟ କରିବେ? ଆପଣ ବାରାକ ଓବାମା, ମାର୍କ ଜୁକରବର୍ଗଙ୍କୁ ଦେଖନ୍ତୁ । ସମାନ ରଙ୍ଗ, ସମାନ ଡିଜାଇନ୍‌ । ଭଳିକି ଭଳି ପୋଷାକ ବଦଳାନ୍ତିନି । ପୋଷାକ ବାଛିବାରେ ସମୟ ଅପଚୟ କରିବା ଠିକ୍‌ ନୁହେଁ । ମୋତେ ଜୋତା ବି ପିନ୍ଧିବାକୁ ଭଲ ଲାଗେନି । ଚପଲ ପିନେ୍ଧ ।

ନିର୍ବାଚନ ପରେ କେନ୍ଦ୍ର ସରକାର ଗଠନରେ ବିଜେଡିର ଭୂମିକା କ’ଣ ରହିବ? ଆବଶ୍ୟକ ପଡ଼ିଲେ ପୁଣି ଏନଡିଏକୁ ସମର୍ଥନ ଦେବେ? ଏବେ ତ ସଂପର୍କ ତିକ୍ତ ହୋଇଛି ।

   ଓଡ଼ିଶାର ସ୍ୱାର୍ଥ ଓ ହକ୍‌ ପାଇଁ ବିଜେଡି ସବୁବେଳେ ଲଢ଼ିବ । ଏବେ ତ ନିର୍ବାଚନ ଲଢୁଛୁ । ଆମର ବିଜେପି ସହ ଲଢ଼େଇ ହେଉଛି । କଂଗ୍ରେସ ସହ ମଧ୍ୟ ଲଢ଼େଇ ଚାଲିଛି । ଫଳ ବାହାରିବା ପରେ କାହାକୁ ସମର୍ଥନ ଦେବୁ ସେ ବିଷୟ ଚିନ୍ତା କରିବୁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.