ନୂଆଦିଲ୍ଲୀ: ଶନିବାର ରାତିରେ ଦିଲ୍ଲୀ ରେଳ ଷ୍ଟେସନ୍ରେ ଘଟିଥିବା ଦଳଚକଟା ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦଳଚକଟା କାହିଁକି ହେଲା ସେନେଇ ବହୁ କାରଣ ସାମ୍ନାକୁ ଆସିଥିବା ବେଳେ ସେମଧ୍ୟରୁ ଗୋଟିଏ ବଡ଼ କାରଣ ସଂପର୍କରେ ପୋଲିସ ସୂଚନା ଦେଇଛି । ଟ୍ରେନ୍ର ସମାନ ନାଁକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥିବା ଜଣାପଡ଼ିଛି । ପୋଲିସର ସୂଚନା ଅନୁସାରେ, ଦୁଇଟି ଟ୍ରେନ୍ର ନାଁ ‘ପ୍ରୟାଗରାଜ’ରୁ ଆରମ୍ଭ ହୋଇଥିବାରୁ ଯାତ୍ରୀମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ଦୁଇଟି ଟ୍ରେନ୍ ମଧ୍ୟରୁ ଗୋଟିଏ ପ୍ଲାଟଫର୍ମ ୧୪ ଏବଂ ଅନ୍ୟଟି ୧୬ରୁ ଛାଡ଼ିବାର ଥିଲା । ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ପ୍ରୟାଗରାଜ ଏକ୍ସପ୍ରେସ ପ୍ଲାଟଫର୍ମ ୧୪ରେ ଛିଡ଼ା ହୋଇଥିଲା । ସେହିଭଳି ପ୍ରୟାଗରାଜ ସ୍ପେଶାଲ୍ ପ୍ଲାଟଫର୍ମ ୧୬ରେ ଆସିବାର ଥିଲା । ପ୍ରୟାଗରାଜ ସ୍ପେଶାଲ ପ୍ଲାଟଫର୍ମ ୧୬ରେ ପହଞ୍ଚିବା ପାଇଁ ଘୋଷଣା ହେବା ମାତ୍ରେ, ପ୍ରୟାଗରାଜ ଏକ୍ସପ୍ରେସର ଯାତ୍ରୀମାନେ ଯେଉଁମାନେ ପ୍ଲାଟଫର୍ମ ୧୪ରେ ସେମାନଙ୍କ ଟ୍ରେନ ପାଖରେ ପହଞ୍ଚି ପାରିନଥିଲେ ସେମାନେ ପ୍ଲାଟଫର୍ମ ୧୬ରେ ପଶିଯାଇଥିଲେ । ଯେଉଁଥିପାଇଁ ଏତେ ବଡ଼ ଅଘଟଣା ଘଟିଗଲା ବୋଲି ପୋଲିସ କହିଛି।
ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି । ଏମାନଙ୍କ ମଧ୍ୟରୁ ୧୧ ଜଣ ମହିଳା ଥିବା ବେଳେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ପ୍ଲାଟଫର୍ମରେ ଲୋକଙ୍କ ଭିଡ଼ କାରଣରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ରେଳ ଷ୍ଟେସନରେ ପ୍ରତି ଘଣ୍ଟାକୁ ୧୫୦୦ ଜେନେରାଲ ଟିକେଟ୍ କଟାଯାଉଥିବା ରେଳ ବିଭାଗ ସୂଚନା ଦେଇଛି । ତେବେ ସନ୍ଧ୍ୟାରୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କର ଏକ ବିରାଟ ଭିଡ଼ ଜମିବା ଆରମ୍ଭ ହୋଇଥିଲା, ତଥାପି ପ୍ରଶାସନ ସମୟ ମଧ୍ୟରେ ବ୍ୟବସ୍ଥା ଏବଂ ଭିଡ଼ ପରିଚାଳନା ପ୍ରତି ଯତ୍ନ ନେଇ ନଥିଲା ଅଭିଯୋଗ ହୋଇଛି ।
ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ପଛରେ ଦାୟୀ କିଏ ?
ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଲୋକଙ୍କୁ ଆଧୁନିକ ସୁବିଧା ଉପଲବ୍ଧ କରାଯିବାର ଦାବି କରାଯାଇଥିଲା । କିନ୍ତୁ, ମହାକୁମ୍ଭରେ ରେଲୱେ ଷ୍ଟେସନରେ ଲୋକଙ୍କ ଭିଡ଼ ବଢ଼ିବା ପରେ ସବୁ ସୁରକ୍ଷା ବ୍ୟବସ୍ଥା ଫେଲ୍ ମାରିଥିଲା । ମହାକୁମ୍ଭ ପାଇଁ ଅଧିକରୁ ଅଧିକ ଟ୍ରେନ୍ ଚଳାଚଳ ସୁବିଧା କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ, ତାହା କାର୍ଯ୍ୟକାରୀ ହୋଇନଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ସଠିକ୍ ବ୍ୟବସ୍ଥା କରାଯାଇନଥିଲା ।