ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ଦୁଇଦିନିଆ ମରିସସ୍ ଗସ୍ତରେ ଅଛନ୍ତି। ପିଏମ ଏହି ଦ୍ୱୀପଦେଶରେ ପହଞ୍ଚିବା ପରେ ପୋର୍ଟ ଲୁଇସ୍ ଯାଇ ସେଠାରେ ମରିସସ୍ ର ରାଷ୍ଟ୍ରପତି ଧରମବୀର ଗୋଖୁଲ ଓ ତାଙ୍କ ପତ୍ନୀ ଭ୍ରିନ୍ଦା ଗୋଖୁଲଙ୍କୁ ଭେଟିଛନ୍ତି। ଏହି ଅବସରରେ ପିଏମ ମୋଦି ରାଷ୍ଟ୍ରପତି ଗୋଖୁଲଙ୍କୁ ମହାକୁମ୍ଭର ପବିତ୍ର ସଙ୍ଗମ ଜଳ ଓ ବିହାରର ସୁପରଫୁଡ୍ ମଖାନା ସହ ଏକ ଗଣେଷ ମୂର୍ତ୍ତୀ ଭେଟି ଦେଇଛନ୍ତି। ଏହା ସହ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏକ ବାରଣାସୀ ଶାଢ଼ି ମଧ୍ୟ ଉପହାରରେ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଶାଢି ବନାରସରେ ପେରସ୍ତୁତ ହୋଇଥିବା ବେଳେ ଏହାକୁ ଏକ ସଦେଲି ବାକ୍ସରେ ଦିଆଯାଇଥିଲା। ତେବେ ଉକ୍ତ ସାଦେଲି ବାକ୍ସଟି ଗୁଜୁରାଟରେ ବନାଯାଇଥିବା ଜଣାପଡିଛି। ଏହାସହ ମରିସସ୍ ରାଷ୍ଟ୍ରପତି ଗୋଖୁଲଙ୍କୁ ମହାକୁମ୍ଭ ଜଳକୁ ଏକ କଂସା ଓ ପିତ୍ତଳ କଳସରେ ଦେଇଛନ୍ତି । ଏହା ଭାରତୀୟ ସଂସ୍କୃତି ଓ ଧାର୍ମିକତାର ପ୍ରତୀକ ଅଟେ। ଏହି ପବିତ୍ର ଜଳରୁ ମହାକୁମ୍ଭ ପରି ବିଶାଳ ଧାର୍ମିକ ଆୟୋଜନରୁ ଅଣାଯାଇଛି, ଯାହା ଭାରତୀୟ ହିନ୍ଦୁ ପରମ୍ପରାରେ ବିଶେଷ ଗୁରୁତ୍ୱ ବହନ କରୁଛି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍ ରାଷ୍ଟ୍ରପତିଙ୍କୁ ବିହାରର ପ୍ରସିଦ୍ଧ ସୁପରଫୁଡ୍ ମଖାନା ମଧ୍ୟ ଭେଟି ଦେଇଛନ୍ତି। ମଖାନା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିବା ବେଳେ ଏହା ସୁପରଫୁଡ କାଟାଗୋରିରେ ଆସୁଛି। ଏହାକୁ ବିଶେଷ କରି ଭାରତର ବିହାର ରାଜ୍ୟରେ ଏହାକୁ ଉତ୍ପାଦନ କରାଯାଇଥାଏ।
ମରିସସ୍ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଶିଳ୍ପ କଳାର ଉତ୍କୃଷ୍ଟତାର ପ୍ରତୀକ ରୂପେ ଏକ ବାରାଣସୀ ଶାଢ଼ି ଭେଟି ଦେଇଛନ୍ତି। ଏହି ଶାଢି ବାରାଣସୀ ଶିଳ୍ପକଳାର କାରୁକାର୍ଯ୍ୟକୁ ଦର୍ଶାଉଛି। ଶାଢ଼ିର ରୟାଲ ବ୍ଲୁ ରଙ୍ଗ ସାଙ୍ଗକୁ ରୁପା ଜରିର ଧଡି କାମ ଏହାକୁ ଅଧିକ ଆକର୍ଷଣୀୟ କରିଛି।
ଏହାପରେ ପିଏମ ମୋଦି ଓ ରାଷ୍ଟ୍ରପତି ଗୋଖଉଲଙ୍କ ମଧ୍ୟରେ ଭାରତ ଓ ମରିସସ୍ କୁ ନେଇ ବିଭିନ୍ନ ଦ୍ୱାପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା। ଦୁଇଦେଶ ନିଜର ଐତିହାସିକ ସମ୍ୱନ୍ଧକୁ ମନେପକାଇବା ସହ ଉଭୟ ଦେଶ ପରସ୍ପର ସହଯୋଗରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଦୁଇନେତା ମରିସସ୍ ରେ ଥିବା ଆୟୁର୍ବେଦ ବଗିଚାକୁ ବୁଲିଯାଇଥିଲେ।
ପିଏମ୍ ମୋଦି ଦାର୍ଘ ଏକ ଦଶନ୍ଧି ପରେ ମରିସସ୍ ଯାତ୍ରା କରିଛନ୍ତି। ପ୍ରଥମ ଥର ପାଇଁ ସେ ୨୦୧୫ ମସିହାରେ ମରସସ୍ ଗସ୍ତ କରିଥିଲେ। ସେ ମରିସସ୍ ବିମାନବନ୍ଦରରେ ଅବତରଣ କରିବା ପରେ ମରିସସ୍ ର ପ୍ରଧାନମନ୍ତ୍ରୀ ରାମଗୁଲାମଙ୍କ ସମେତ ଅନେକ ନେତା ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଅତିଥି ଭାବେ ମରିସସ୍ ରାଷ୍ଟ୍ରୀୟ ଦିବସରେ ଯୋଗ ଦେବେ। ସମାରୋହରେ ଭାରତୀୟ ନୌସେନାର ଏକ ଜାହାଜ ସହ ଭାରତୀୟ ପ୍ରତିରକ୍ଷା ଦଳର ଏକ ୟୁନିଟ୍ ସାମିଲ ହେବ। ଏହି ଗସ୍ତରେ ସେ ମରିସସ୍ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।