ପାଟଣା, ୨୫/୦୮: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳିପଶି ଗ୍ରାମର ତଣ୍ଡିଆ ସାହିରେ ଅଘଟଣ । ବିଦ୍ୟୁତ୍ ଆଘାତରୁ ଝିଆରୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବଡ଼ବାପାଙ୍କ ଜୀବନ । ମୃତକ ହେଲେ ଦୁର୍ଯ୍ୟୋଧନ ବେହେରା । ଏହି ଦୁର୍ଘଟଣାରେ ଝିଆରୀ ଅଞ୍ଜଳି ବେହେରା ଓ କକା ଦୁଃଶାସନ ବେହେରା ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ସୋମବାର ସକାଳୁ ଝିଆରୀ ଅଞ୍ଜଳି ବେହେରା ଲୁଗା ଶୁଖାଉଥିଲେ । ଏହି ସମୟରେ ସେ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସିଥିଲେ । ଏହା ଦେଖି ବଡ଼ବାପା ଏବଂ କକା ଅଞ୍ଜଳିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ବିଦ୍ୟୁତ୍ ଆଘାତରେ ବଡ଼ବାପା ଦୁର୍ଯ୍ୟୋଧନ ବେହେରା ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଝିଆରୀ ଅଞ୍ଜଳି ବେହେରା ଓ କକା ଦୁଃଶାସନ ବେହେରା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।