ନୂଆଦିଲ୍ଲୀ,୨୨।୪: ସୁପ୍ରିମକୋର୍ଟ ନୁହେଁ ସଂସଦ ହିଁ ଲୋକତନ୍ତ୍ରର ସୁପ୍ରିମ। ତା ଉପରେ କେହି ବି ନୁହେଁ। ସମ୍ବିଧାନ କିପରି ହେବ ଓ କ’ଣ ସଂଶୋଧନ କରାଯିବ ତାହା ନିଷ୍ପତ୍ତି ନେବାର ଅଧିକାର କେବଳ ସାଂସଦମାନଙ୍କର ରହିଛି। ପୁଣିଥରେ ସୁପ୍ରିମକୋର୍ଟଙ୍କ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର।
ଥମୁନି ନ୍ୟାୟପାଳିକା ବନାମ କାର୍ଯ୍ୟପାଳିକା ବିବାଦ। ଲଗାତାର ଜାରି ରହିଛି ବୟାନବାଜି। ସାମ୍ବିଧାନିକ ପଦରେ ଥାଇ ମଧ୍ୟ ଉପରାଷ୍ଟ୍ରପତି ଜଗଦୀପ ଧନଖର ସୁପ୍ରିମକୋର୍ଟକୁ ନେଇ ଦେଇଛନ୍ତି ଆଉ ଏକ ଟିପ୍ପଣୀ। ସେ କହିଛନ୍ତି ସଂସଦ ହିଁ ଲୋକତନ୍ତ୍ରର ସୁପ୍ରିମ। ତାଠାରୁ ଆଉ କେହି ଉପରେ ନୁହେଁ। ସମ୍ବିଧାନ କିପରି ହେବ ଓ କ’ଣ ସଂଶୋଧନ କରାଯିବ ତାହା ନିଷ୍ପତ୍ତି ନେବାର ଅଧିକାର କେବଳ ସାଂସଦମାନଙ୍କର ରହିଛି। ସମ୍ବିଧାନିକ ପଦାଧିକାରୀଙ୍କ ଦ୍ବାରା କୁହାଯାଇଥିବା ପ୍ରତ୍ୟେକଟି ଶବ୍ଦ ସର୍ବୋଚ୍ଚ ରାଷ୍ଟ୍ରୀୟ ହିତ ସହ ଜଡିତ। କାରଣ ସେମାନେ ଜନତାଙ୍କ ପ୍ରତିନିଧିତ୍ବ କରିଥାନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ଏଭଳି କହିଛନ୍ତି ଧନଖର। ତେବେ ଧନକର ପ୍ରଥମ ଥର ଏଭଳି କହି ନାହାନ୍ତି। ପୂର୍ବରୁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି। ନିକଟରେ ସେ କହିଥିଲେ, ସୁପର୍ ପାର୍ଲାମେଣ୍ଟ ଭଳି କାମ କରୁଛନ୍ତି ସୁପ୍ରିମକୋର୍ଟ। ବ୍ୟାବସ୍ଥାପିକା ଓ କାର୍ଯ୍ୟପାଳିକାର ଅଧିକାର ଉପରେ ନ୍ୟାୟୟପାଳିକା ହସ୍ତକ୍ଷେପ କରୁଛନ୍ତି। ସର୍ବୋଚ୍ଚ ନ୍ୟାୟଳୟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । କାରଣ ଭାରତର ରାଷ୍ଟ୍ରପତିଙ୍କ ପଦବୀ ବହୁତ ଉଚ୍ଚ। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟ ଗଣତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ମିସାଇଲ୍ ପାଲଟି ଯାଇଛି।
କେବଳ ଧନଖର ନୁହଁନ୍ତି ଝାଡ଼ଖଣ୍ଡର ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିଲେ ବଡ଼ ବୟାନ। ସେ କହିଥିଲେ, ଯଦି ସୁପ୍ରିମକୋର୍ଟ ଆଇନ ତିଆରି କରିବେ, ତେବେ ସଂସଦ ଭବନକୁ ବନ୍ଦ କରିଦେବା ଦରକାର। ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତିଙ୍କ ସମ୍ପର୍କରେ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ନେଇ ଅବମାନନା ମାମଲା ରୁଜୁ ପାଇଁ ଦାବି ହୋଇଛି। ସୁପ୍ରିମକୋର୍ଟର ଜଣେ ଓକିଲ ଅନ୍ ରେକର୍ଡରେ ଆଟର୍ଣ୍ଣି ଜେନେରାଲଙ୍କୁ ଏକ ଚିଠି ଲେଖି ଅବମାନନା ମାମଲା ଦାୟର କରିବାକୁ ଅନୁମତି ମାଗିଛନ୍ତି। ସେପଟେ ଏହି ବିବାଦକୁ ନେଇ ଗତକାଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଆର ଗଭଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ପଶ୍ଚିମବଙ୍ଗ ମୁର୍ସିଦାବାଦ ହିଂସାକାଣ୍ଡକୁ ନେଇ ଶୁଣାଣି ବେଳେ ଜଷ୍ଟିସ୍ ଗଭଇ ପରୋକ୍ଷରେ ଦୁବେଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଆମ ଉପରେ ସଂସଦୀୟ କାର୍ଯ୍ୟରେ ହସ୍ତକ୍ଷେପ କରିବାର ଅଭିଯୋଗ ରହିଛି। ତେଣୁ ଆମେ କିଭଳି ରାୟ ଦେବୁ ?