ମୁମ୍ବାଇ, ୨୨/୪ : ମୁମ୍ବାଇର ମାନଖୁର୍ଦର ମଣ୍ଡଳା ଅଞ୍ଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଖୁଶୀ ଖାନ(୧୦)ଏବଂ ଫରାହ ଖାନ(୨୫) । ମୁମ୍ବାଇ ଅଗ୍ନିଶମ ବିଭାଗର ସୂଚନା ଅନୁସାରେ ଏହି ଘଟଣା ପ୍ରାୟ ୮ଟା୨୦ରେ ହୋଇଥିଲା ।
ଘଟଣାର ସୂଚନା ପାଇ ମୁମ୍ବାଇ ଅଗ୍ନିଶମ ବିଭାଗର ଗାଡ଼ି, ଆମ୍ବୁଲାନ୍ସ ଏବଂ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ନିଆଁ ମାନଖୁର୍ଦ ମଣ୍ଡଳ ଅଞ୍ଚଳର ଜନତା ନଗରରେ ଏକ ଛୋଟ ଘରେ ସିଲିଣ୍ଡର ବିସ୍ଫୋରଣ କାରଣରୁ ଲାଗିଥିଲା । ଏହି ଘଟଣା ପ୍ରାୟ ୮ଟା୨୦ରେ ହୋଇଥିବାବେଳେ ଅଗ୍ନିକାଣ୍ଡ ଏତେ ବ୍ୟାପକ ଥିଲା ଯେ ୧୧ଟା ବେଳେ ଏହା ଉପରେ କାବୁ କରାଯାଇଥିଲା ।
ଅଗ୍ନିଶମ କଣ୍ଟେ୍ରାଲ ରୁମରୁ ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ପ୍ରାୟ ୬ଜଣ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବିଏମସି ଦ୍ବାରା ପରିଚାଳିତ ଗୋବଣ୍ଡିର ଶତାଦ୍ଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହାନଗର ପାଳିକା ଏବଂ ମୁମ୍ବାଇ ପୋଲିସ ଘଟଣାର କାରଣ ଜାଣିବା ଲାଗି ଯାଞ୍ଚ କରୁଛନ୍ତି ।