ଶ୍ରୀନଗର,୨୨/୦୪: ମଙ୍ଗଳବାର ଜମ୍ମୁ କାଶ୍ମୀରର ପହଲଗ୍ରାମରେ ପର୍ଯ୍ୟଟକଙ୍କ ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଥରାଇ ଦେଇଛି। ଘଟଣାରେ ୨୬ ଜଣ ପ୍ରାଣ ହରାଇଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣକୁ ଅତି ପାଖରୁ ଦେଖିଥିବା ତଥା ଏହି ଆକ୍ରମଣରେ ନିଜ ସ୍ବାମୀଙ୍କୁ ହରାଇଥିବା କର୍ଣ୍ଣାଟକର ଜଣେ ମହିଳାଙ୍କ ଛାତିଥରା ବୟାନ ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକ ଶିବମୋଗାର ଜଣେ ବ୍ୟକ୍ତି ତାଙ୍କ ପରିବାର ସହିତ ପହଲଗ୍ରାମ ବୁଲିବାକୁ ଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ପୀଡ଼ିତ ମଞ୍ଜୁନାଥ, ତାଙ୍କ ପତ୍ନୀ ପଲ୍ଲବୀ ଏବଂ ସେମାନଙ୍କ ଛୋଟ ପୁଅ ସହିତ ପହଲଗ୍ରାମ ବୁଲିବାକୁ ଯାଇଥିଲେ।
ପଲ୍ଲବୀ ଆକ୍ରମଣର ଭୟଙ୍କର ମୁହୂର୍ତ୍ତଗୁଡ଼ିକ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି "ଆମେ ତିନି ଜଣ - ମୁଁ, ମୋ ସ୍ୱାମୀ ଏବଂ ଆମ ପୁଅ - କାଶ୍ମୀର ଯାଇଥିଲୁ। ପ୍ରାୟ ଅପରାହ୍ନ ୧.୩୦ ସମୟରେ ଏହି ଆକ୍ରମଣ ଘଟିଥିଲା। ଆମେ ପହଲଗାମରେ ଥିଲୁ। ହଠାତ୍ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଆକ୍ରମଣରେ ମୋ ଆଖି ସାମ୍ନାରେ ମୋ ସ୍ବାମୀ ପ୍ରାଣ ହରାଇଥିଲେ।" ପଲ୍ଲବୀ ଆହୁରି କହିଛନ୍ତି ଯେ ଆକ୍ରମଣ ପରେ ସ୍ଥାନୀୟ ନାଗରିକମାନେ ଆମକୁ ସାହାଯ୍ୟ କରିବାକୁ ତୁରନ୍ତ ଆଗେଇ ଆସିଥିଲେ। "ତିନି ଜଣ ସ୍ଥାନୀୟ ଲୋକ ମୋତେ ଉଦ୍ଧାର କରିଥିଲେ।"
ତାଙ୍କ କହିବା ଅନୁଯାୟୀ, ଆକ୍ରମଣକାରୀମାନେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଥିବା ପରି ମନେ ହେଉଥିଲା। "ତିନିରୁ ଚାରି ଜଣ ଲୋକ ଆମ ଉପରେ ଆକ୍ରମଣ କରିଥିଲେ। ମୁଁ ସେମାନଙ୍କୁ କହିଥିଲି,' ମୋତେ ମଧ୍ୟ ମାରିଦିଅ, ତୁମେ ମୋ ସ୍ୱାମୀଙ୍କୁ ମାରିସାରିଛ। ସେମାନଙ୍କ ମଧ୍ୟରୁ ଜଣେ କହିଲା, 'ମୁଁ ତୁମକୁ ମାରିବି ନାହିଁ। ଏ କଥା ଯାଇ ମୋଦିଙ୍କୁ କୁହ।'" ପଲ୍ଲବି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଶୀଘ୍ର ଶିବମୋଗାକୁ ଫେରାଇ ଅଣାଯାଉ।"
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଏକ୍ସ ରେ ଏକ ପୋଷ୍ଟରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି "ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ କନ୍ନଡ଼ମାନେ ମଧ୍ୟ ଅଛନ୍ତି। ଖବର ପାଇବା ପରେ, ମୁଁ ଏକ ଜରୁରୀକାଳୀନ ବୈଠକ ଡାକି ମୁଖ୍ୟ ସଚିବ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ପରିସ୍ଥିତି ସମୀକ୍ଷା କରିଛି। ମୁଁ ଦିଲ୍ଲୀର ରେସିଡେଣ୍ଟ କମିଶନରଙ୍କ ସହ ମଧ୍ୟ କଥା ହୋଇଛି।"