ନୂଆଦିଲ୍ଲୀ,୨୨/୦୪: ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଜମହଲ ଚାରିପାଖରେ ଥିବା କାଚ ଶିଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଜମହଲକୁ ପ୍ରଭାବିତ କରୁଥିବା କାଚ ଶିଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ (ଏନ୍ଇଇଆର୍ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍ଇଇଆର୍ଆଇ କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଗବେଷଣା ପ୍ରତିଷ୍ଠାନ। ଏହାର ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା ଏବଂ ବିକାଶରେ ଯୋଗଦାନ ଦେବା।
ସୁପ୍ରିମକୋର୍ଟର ବିଚାରପତି ଅଭୟ ଏସ୍ ଓକା ଏବଂ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏନ୍ଇଇଆର୍ଆଇକୁ ମୂଲ୍ୟାୟନ ସମାପ୍ତିର ସମୟସୀମା ଉଲ୍ଲେଖ କରି ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସମେତ ସମସ୍ତ ସରକାରୀ ସଂସ୍ଥା ଏନ୍ଇଇଆର୍ଆଇକୁ ଏହି କାର୍ଯ୍ୟରେ ସହାୟତା କରିବା ଉଚିତ।
ବିଚାରପତି ଅଭୟ ଏସ୍ ଓକା ଏବଂ ବିଚାରପତି ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ ଆମେ ଜାଣିବାକୁ ଚାହୁଁଛୁ ଯେ ଏହି ଶିଳ୍ପଗୁଡ଼ିକ ଦ୍ୱାରା କେତେ ପ୍ରଦୂଷଣ ହେଉଛି। ଯଦି ଆମେ ଅନୁଭବ କରିବୁ ଯେ ଏହି ଶିଳ୍ପଗୁଡ଼ିକ ପ୍ରଦୂଷଣ ବ୍ୟାପୁଛି, ତେବେ ଆମେ ଏହି ୟୁନିଟଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେବାକୁ ଦ୍ୱିଧାବୋଧ କରିବୁ ନାହିଁ। ପ୍ରଦୂଷଣର ପରିମାଣ ସମ୍ପର୍କରେ କିଛି ତଦନ୍ତ କରାଯିବା ଆବଶ୍ୟକ।
ରାଜ୍ୟ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠରେ ଚିହ୍ନଟ ହୋଇଥିବା ଶିଳ୍ପଗୁଡ଼ିକର ତଦନ୍ତ ପାଇଁ ଏକ ଦଳ ଗଠନ କରିବାକୁ କୋର୍ଟ ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳ ଶିଳ୍ପ ଦ୍ୱାରା ହେଉଥିବା ପ୍ରଦୂଷଣର ସ୍ତରର ତଦନ୍ତ କରିବ ଏବଂ କୋର୍ଟରେ ଏହାର ରିପୋର୍ଟ ଦାଖଲ କରିବ। ଖଣ୍ଡପୀଠ କହିଛନ୍ତି, 'ଶିଳ୍ପଗୁଡ଼ିକର ଅଧ୍ୟୟନ ଶେଷ ହେବା ପରେ, ବୋର୍ଡ ଏହାର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବ, ଯାହା ଦ୍ଵାରା ଏ ସମ୍ପର୍କରେ ଉପଯୁକ୍ତ ନିର୍ଦ୍ଦେଶ ଜାରି କରାଯାଇପାରିବ।'