ନୂଆଦିଲ୍ଲୀ,୨୨।୪: ହମଦର୍ଦର ସର୍ବତ ‘ରୁହ୍ ଅଫଜା’ ଉପରେ ରାମଦେବଙ୍କ ‘ଶରବତ ଜିହାଦ’ ବୟାନ ପରେ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଭର୍ତ୍ସନା। କୋର୍ଟ ରାମଦେବଙ୍କୁ ସୋସିଆଲ ମିଡିଆରୁ ଭିଡିଓ ହଟାଇବାକୁ ନିର୍ଦେଶ ଦେଇଛନ୍ତି। ପତଞ୍ଜଳିର ସହ ସଂସ୍ଥାପକ ରାମଦେବଙ୍କ ଏକ ଭିଡିଓକୁ କିଛି ଦିନ ପୂର୍ବେ ଫେସବୁକ୍ରେ ସେୟାର କରିଥିଲେ। ଏହି ଭିଡିଓରେ ପତଞ୍ଜଳିର ଗୋଲାପୀ ସର୍ବତର ପ୍ରଚାର କରାଯାଇଥିଲା। ରାମଦେବ ଭିଡିଓରେ କହିଥିଲେ,ଗୋଟିଏ କମ୍ପାନୀ, ଯାହାକି ସର୍ବତ ବିକ୍ରି କରେ କିନ୍ତୁ ସେହି ସର୍ବତରୁ ଯେଉଁ ଟଙ୍କା ମିଳେ ସେଥିରୁ ମଦ୍ରାସା ଓ ମସଜିଦ୍ ତିଆରି ହୁଏ। ଠିକ୍ ଅଛି ଏହା ହେଉଛି ତାଙ୍କର ଧର୍ମ। କିନ୍ତୁ ଆପଣ ଯଦି ଏହି ସର୍ବତ ପିଥବେ ତେବେ ମସଜିଦ୍ ଓ ମଦ୍ରାସା ତିଆରି ହେବ। ହେଲେ ପତଞ୍ଜଳିର ଗୋଲାପି ସର୍ବତ ପିଇଲେ ଗୁରୁକୁଳ ତିଆରି ହେବ। ଆଚାର୍ଯ୍ୟକୁଲମ୍, ପତଞ୍ଜଳି ବିଶ୍ବବିଦ୍ୟାଳୟ ଓ ଶିକ୍ଷା ବୋର୍ଡ ଆଗକୁ ବଢିବ। ଯେଉଁଭଳି ଲକ୍ ଜିହାଦ, ଭୋଟ ଜିହାଦ ଚାଲିଛି ସେଭଳି ଶରବତ ଜିହାଦ ମଧ୍ୟ ଚଳାଉଛନ୍ତି। ଲୋକଙ୍କୁ ଏଭଳି ଜିହାଦଠାରୁ ନିଜକୁ ବଞ୍ଚିବାକୁ ହେବ।
ଭିଡିଓରେ ରାମଦେବ ହମଦର୍ଦର ‘ରୁହ୍ ଅଫଜା’ର ନାଁ ନେଇନଥିଲେ, କିନ୍ତୁ ତାଙ୍କର ‘ଶରବତ୍ ଜିହାଦ’ ଟିପ୍ପଣୀକୁ ରୁହ ଅଫଜା ସହ ଯୋଡି ଦିଆଯାଇଛି। ବିବାଦ ବଢିବା ପରେ ରାମଦେବ ନିଜର ସଫେଇରେ କହିଛନ୍ତି, ସେ କୌଣସି ବ୍ରାଣ୍ଡ କିମ୍ବା ସମୁଦାୟର ନାଁ ନେଇ ନାହାନ୍ତି। ତେବେ ‘ହମଦର୍ଦ ଫାଉଣ୍ଡେସନ୍’ ରାମଦେବଙ୍କ ‘ଶରବତ ଜିହାଦ’ ଟିପ୍ପଣୀ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରିଛି ଓ ରାମଦେବଙ୍କୁ କଡ଼ା ଭର୍ତ୍ସନା କରିଛି। ଜଷ୍ଟିସ୍ ଅମିତ ବଁସଲ ଆବେଦନର ଶୁଣାରି କରି ମୌଖିକ ଭାବରେ କହିଛନ୍ତି, ଏଭଳି ଟିପ୍ପଣୀ ଉଚିତ୍ ନୁହେଁ।
ହାଇକୋର୍ଟ ରାମଦେବଙ୍କ ଟିପ୍ପଣୀକୁ କୋର୍ଟଙ୍କ ଚେତନାକୁ ପ୍ରଭାବିତ କରିଛି ବୋଲି କହିଛନ୍ତି। ଏହା ସହ ହାଇକୋର୍ଟ ‘ହମଦର୍ଦ ଶରବତ ବିରୋଧରେ ଚାଲିଥିବା ସବୁ ବିଜ୍ଞାପନକୁ ହଟାଇବାର ନିର୍ଦେଶ ଦେଇଛନ୍ତି। ଯାହା ଉପରେ ରାମଦେବଙ୍କ ଓକିଲ ହାଇକୋର୍ଟଙ୍କୁ ଭରସା ଦେଇଛନ୍ତି ଯେ, ‘ଶରବତ୍ ଜିହାଦ’ ସମ୍ପର୍କିତ ଭିଡିଓ ଓ ସୋସିଆଲ ମିଡିଆ ପୋଷ୍ଟ ତୁରନ୍ତ ହଟାଇ ଦେବେ। କୋର୍ଟ ରାମଦେବଙ୍କ ଓକିଲ ରାଜୀବ ନାୟରଙ୍କ ବୟାନ ରେକର୍ଡ କରିଛି ଓ ରାମଦେବଙ୍କୁ ୫ ଦିନ ଭିତରେ ଏକ ସତ୍ୟପାଟ ଦାଖଲ କରିବାକୁ କହିଛି। ଯେଉଁଥିରେ ସେ ଶପଥ ନେବେ ଭବିଷ୍ୟତରେ ଏଭଳି ପ୍ରତିଯୋଗିତା ପାଇଁ କୌଣସି ପ୍ରଡକ୍ଟ ବିଷୟରେ ଏଭଳି ବୟାନ ଦେବେ ନାହିଁ।