ମୁମ୍ବାଇ,୨୨/୪ : ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଲୋକପ୍ରିୟ ସିରିୟଲ ତାରକ ମେହଟାଙ୍କ ଉଲ୍ଟା ଚଶମାରେ ଅଭିନୟ କରିଥିବା ଅଭିନେତା କଲେ ଆତ୍ମହତ୍ୟା । ଅଭିନେତା ଲଳିତ ମନଚନ୍ଦାଙ୍କ ମୃତଦେହ ତାଙ୍କୁ ଘରୁ ଉଦ୍ଧାର ହୋଇଛି । ଉତ୍ତରପ୍ରଦେଶର ମେରଠରେ ତାଙ୍କ ଘରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ।
ଅଭିନେତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଆତ୍ମହତ୍ୟା ବୋଲି କୁହାଯାଉଛି । ଯାହାକୁ ତଦନ୍ତକାରୀ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଅଭିନେତା ପ୍ରାୟ ୬ମାସ ପୂର୍ବରୁ ମୁମ୍ବାଇ ଛାଡ଼ି ଦେଇଥିଲେ । ଯାହା ପରେ ସେ ନିଜ ଘର ମେରଠକୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ମେରଠରେ ନିଜ ଭାଇ ସଞ୍ଜୟ ମନଚନ୍ଦାଙ୍କ ଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । କେତେକ ଖବରରେ ଏହା କୁହାଯାଉଛି କି ତାଙ୍କୁ କାମ ମିଳୁନଥିଲା ଏବଂ ସେ ଆର୍ଥିକ ସଙ୍କଟ ଭିତରେ ଗତି କରୁଥିଲେ । ସେହିଭଳି ତାଙ୍କ ନିକଟ ସମ୍ପର୍କୀୟଙ୍କ କହିବା ଅନୁସାରେ ସେ ବହୁ ଚିନ୍ତିତ ରହିବାକୁ ଲାଗିଥିଲେ । ଫଳରେ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏହି ଖବର ପ୍ରଚାରିତ ହେବା ମାତ୍ରକେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।