ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅଲିମ୍ପିକ୍ସ ଉପରେ ରକ୍ତମୁଖା ଆଇଏସ୍‌ଆଇଏସ୍‌ର ନଜର, ସୁରକ୍ଷା କବଚରେ ପ୍ୟାରିସ୍‌

ପ୍ୟାରିସ, ୨୪/୦୭ : ମଝିରେ ଆଉ ମାତ୍ର ଦୁଇ ଦିନ। ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବକୁ ନେଇ ପ୍ରସ୍ତୁତି ଶେଷ ହୋଇଛି। ସମୟ ଯେତିକି ପାଖେଇ ଆସୁଛି, ପ୍ୟାରିସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଗତ ଗୁରୁବାର ଠାରୁ କେନ୍ଦ୍ରୀୟ ସହରକୁ ଏକ ପ୍ରକାର ଲକ୍‌ଡାଉନ କରି ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ତଥାପି ରକ୍ତମୁଖା ଆଇଏସ୍‌ଆଇଏସ୍‌କୁ ନେଇ ଆୟୋଜକ ଫ୍ରାନ୍ସ ଚିନ୍ତିତ ରହିଛି । କାରଣ ୨୦୧୫ ଓ ୨୦୧୬ର ଆକ୍ରମଣକୁ ପ୍ୟାରିସବାସୀ ଏବେବି ଭୁଲି ନାହାନ୍ତି । ଅଲିମ୍ପିକ୍ସ ଉପରେ ଆକ୍ରମଣ କରିବା ନେଇ ଆଇଏସ୍‌ଆଇଏସ୍‌ ଯୋଜନା ରଖିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । 

ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ଗେରାଲ୍ଡ ଡାର୍ମାନିନ କହିଛନ୍ତି, ‘ଏ ପର୍ଯ୍ୟନ୍ତ ଆଇଏସ୍‌ଆଇଏସ୍‌ ପକ୍ଷରୁ ସେମିତି କୌଣସି ବିଶ୍ୱସନୀୟ ଧମକ ଆମକୁ ମିଳି ନାହିଁ । ତଥାପି ଆମେ ପ୍ରସ୍ତୁତ ରହିଛୁ ।’ କ୍ରୀଡ଼ା ପାଇଁ ୧୦ରୁ ୧୫ ମିଲିୟନ ଦର୍ଶକ ପ୍ୟାରିସରେ ସମାଗମ ହେବାର ଆଶା କରାଯାଉଛି ।  ଆତଙ୍କବାଦୀ ବିଶେଷଜ୍ଞ ପ୍ରଫେସର ପିଟର ନେଉମାନ କହିଛନ୍ତି, ‘ ଗତ ୮ ମାସରେ ୟୁରୋପରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ହେବା ଅଭିଯୋଗରେ ୬୦ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ତରୁଣଙ୍କ ସଂଖ୍ୟା ଦୁଇ ତୃତୀୟାଂଶ । ଯାହା ହିଁ ଚିନ୍ତାର କାରଣ ପାଲଟିଛି । ଏହି ସବୁ ପିଲାମାନଙ୍କ ବୟସ ୧୯ ନୁହେଁ ବରଂ ୧୩, ୧୪ ଓ ୧୫ ମଧ୍ୟରେ ସୀମିତ । ଯେଉଁମାନେ ଅନ୍‌ଲାଇନରେ ଉଗ୍ରପନ୍ଥୀ କାର୍ଯ୍ୟର ପ୍ରଚାର କରିବା ଏବଂ ଜନଗହଳିରେ ଦ୍ରୁତ ଗାଡ଼ି ଚଳାଇ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଭଳି ଘଟଣାରେ ଲିପ୍ତ ରହୁଛନ୍ତି ।’ 

ଗତ ଏପ୍ରିଲ ମାସରେ ଫ୍ରାନ୍ସର ଏକ ସହରରୁ ଜଣେ ୧୬ ବର୍ଷୀୟ ବାଳକକୁ ପୁଲିସ ଗିରଫ କରିଥିଲା। ପିଲାଟି ସୋସିଆଲ ମିଡିଆ ଟେଲିଗ୍ରାମରେ ଲେଖିଥିଲା, ‘ଅଲିମ୍ପିକ୍ସ ସମୟରେ ଆଇଏସ୍‌ଆଇଏସ୍‌ ପାଇଁ ସହୀଦ ହେବାକୁ ଚାହୁଁଛି ।’ ସେମିତି ଗତମାସରେ ଜଣେ ୧୫ ବର୍ଷୀୟ ବାଳକ ପ୍ରୋ-ଆଇଏସ୍‌ଆଇଏସ୍‌ ସଂପର୍କିତ ବାର୍ତ୍ତା ‘ଟିକ୍‌ଟକ୍‌’ରେ ପୋଷ୍ଟ କରି ଗିରଫ ହୋଇଥିଲା । ୟୁରୋପରେ ‘ଟିକ୍‌ଟକ୍‌’ ଏକ ହଜାରରୁ ଊର୍ଦ୍ଧ୍ୱ ଆତଙ୍କାବାଦୀ ସଂପର୍କିତ ପୋଷ୍ଟକୁ ଡିଲିଟ୍‌ କରିଦେଇଛି । ତରୁଣମାନେ ଉଗ୍ରପନ୍ଥୀ କାର୍ଯ୍ୟରେ ସାମିଲ ହେବା ଆୟୋଜକଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ପାଲଟିଛି । ତେଣୁ ଏହି ଅନୁମାନରେ କ୍ରୀଡ଼ାରେ ସ୍ୱେଚ୍ଛାସେବୀ ହେବାକୁ ଦରଖାସ୍ତ ପକାଇଥିବା ୧୦୦୦ରୁ ଊଦ୍ଧ୍ୱର୍ ଆବେଦକଙ୍କ ପତ୍ରକୁ ଖାରଜ କରି ଦିଆଯାଇଛି । ସେମାନଙ୍କ ମଧ୍ୟରେ ୨୫୦ ଜଣ ଉଗ୍ରପନ୍ଥୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣା ପଡ଼ିଥିଲା । 

ଅଲିମ୍ପିକ୍ସ ଉଦ୍‌ଘାଟନୀ ଠାରୁ ଉଦଯାପନୀ ଉତ୍ସବ ପର୍ଯ୍ୟନ୍ତ ପ୍ରତିଦିନ ୩୫ ହଜାର ସୁରକ୍ଷାକର୍ମୀ ସୁରକ୍ଷାରେ ନିୟୋଜିତ ରହିବେ । କେବଳ ଉଦ୍‌ଘାଟନୀ ଦିବସରେ ଏହି ସଂଖ୍ୟାକୁ ଆଉ ୧୦ ହଜାର ବୃଦ୍ଧି କରାଯିବ । ଅର୍ଥାତ ୪୫ ହଜାର ସୁରକ୍ଷାକର୍ମୀ ଉଦ୍‌ଘାଟନୀ ସ୍ଥଳ ଠାରୁ ପୂରା ପ୍ୟାରିସ ସହରକୁ ଜଗିବେ । ଜଳ, ସ୍ଥଳ ଓ ଆକାଶ ଉପରେ ସତର୍କ ନଜର ରଖାଯିବ । ଉତ୍ସବ ଆରମ୍ଭ ହେବା ପୂର୍ବରୁ ଶେଷ ହେବା ଯାଏ ଆକାଶ ପଥ ଉପରେ କଟକଣା ଲାଗିବ । ଡ୍ରୋନ ଏବଂ ଅନ୍ୟାନ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ପେନ, ଇଂଲଣ୍ଡ, ଜର୍ମାନୀ ଓ ୟୁଏଇରୁ ୧୭୫୦ ଜଣ ସୁରକ୍ଷାକର୍ମୀ ସୁରକ୍ଷା ଦାୟିତ୍ୱରେ ରହିବେ । ୬୦୦୦ରୁ ୭୦୦୦ କ୍ରୀଡ଼ାବିତ ୧୦୦ରୁ ଊଦ୍ଧ୍ୱର୍ ଡଙ୍ଗାରେ ଉଦ୍‌ଘାଟନୀରେ ସାମିଲ ହେବେ । ଇସଲାମ ଚରମପନ୍ଥୀଙ୍କ ଠାରୁ ମୁଖ୍ୟତଃ ସୁରକ୍ଷା ଭୟ ରହିଥିବା ସୁରକ୍ଷା ପରାମର୍ଶଦାତା ଆଲେକଜାଣ୍ଡର ରଡ୍‌ କହିଛନ୍ତି । ତେଣୁ ସେହିସବୁ ଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଶରଣାର୍ଥୀଙ୍କ ଉପରେ ଫ୍ରାନ୍ସ ପୁଲିସ କଡ଼ା ନଜର ରଖିଛି ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମିଳିଥିଲା ଆକ୍ରମଣ ଧମକ 

ଗତ ମେ’ ମାସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ଆମେରିକାରେ ଆକ୍ରମଣ କରିବା ନେଇ ଧମକ ଦେଇଥିଲା । ଏପ୍ରିଲ ମାସରେ ପୁଲିସକୁ ଧମକ ସଂପର୍କିତ ଏକ ଲିଙ୍କ୍‌ ମିଳିଥିଲା ବୋଲି ନାସାଉ କାଉଣ୍ଟି ପୁଲିସ କମିଶନର ପାଟ୍ରିକ୍‌ ରାୟଡର ସୂଚନା ଦେଇଥିଲେ । ଆକ୍ରମଣ ସଂପର୍କରେ ଏକ ଗ୍ରାଫିକ୍ସ ପୋଷ୍ଟର ସୋସିଆଲ ମିଡିଆରେ ଜାରି କରିଥିଲେ ଆତଙ୍କବାଦୀ । ଯେଉଁଥିରେ ଲେଖା ଯାଇଥିଲା ‘ତୁମେ ମ୍ୟାଚ୍‌କୁ ଅପେକ୍ଷା କରି ରହିଛ, ଆମେ ତୁମମାନଙ୍କୁ ଅପେକ୍ଷା କରିଛୁ ।’ ଦ୍ୱିତୀୟ ଧାଡ଼ି ସେମାନେ ରକ୍ତ ଛିଟାରେ (ଗ୍ରାଫିକ୍ସ) ଲେଖିଥିଲେ । ଅର୍ଥାତ ଏହା ସୂଚାଉଥିଲା ଯେ ସେମାନେ ଭୟଙ୍କର ରକ୍ତପାତ କରିବା ଅପେକ୍ଷାରେ ରହିଛନ୍ତି । ପୋଷ୍ଟରର ଉପର ଭାଗରେ ନାସାଉ ଷ୍ଟାଡିୟମ ଏବଂ ଭାରତ-ପାକିସ୍ତାନ ମ୍ୟାଚ୍‌ର ତାରିଖ (୯-୦୬-୨୦୨୪) ଲେଖାଯାଇଥିଲା । କିନ୍ତୁ ଏହି ମ୍ୟାଚ୍‌ ଏବଂ ଟୁର୍ଣ୍ଣାମେଣ୍ଟ ବେଶ ସୁରକ୍ଷିତ ଭାବେ ଆୟୋଜିତ ହୋଇଥିଲା।

ଫ୍ରାନ୍ସ କାହିଁକି ଚିନ୍ତିତ ?

୨୦୧୫ ନଭେମ୍ବର ୧୩ ପ୍ୟାରିସ ଆକ୍ରମଣ 

ପ୍ରାଚୁର୍ଯ୍ୟରେ ଭରା ପ୍ୟାରିସ ନଗରୀ । ୨୦୧୫ ନଭେମ୍ବର ୧୩ ତାରିଖରେ ପୂରା ନଗରୀ ଚଳଚଞ୍ଚଳ ରହିଥିଲା । ସନ୍ଧ୍ୟାରେ ଫୁଟବଲ ଷ୍ଟାଡିୟମ ଠାରୁ ନାଇଟ୍‌ ପବ୍‌ ପର୍ଯ୍ୟନ୍ତ ସବୁଠି ଲୋକେ ମନୋରଞ୍ଜନରେ ମସଗୁଲ ଥିଲେ । ଏତିକିବେଳେ ରକ୍ତମୁଖା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ କରିଥିଲେ ଆକ୍ରମଣ । ବିଭିନ୍ନ ବାର, ରେସ୍ତୋଁରା ଉପରକୁ ପ୍ରଥମେ ଆଖିବୁଜା ଗୁଳି ଚଳାଇବା ସହ ଗ୍ରେନେଡ ଫିଙ୍ଗିଥିଲେ । ଷ୍ଟାଡିୟମ ଡି’ ଫ୍ରାନ୍ସରେ ଚାଲିଥାଏ ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ଫୁଟବଲ ମ୍ୟାଚ୍‌ । ରାଷ୍ଟ୍ରପତି ଫ୍ରାନକୋଇସ ହୋଲାଣ୍ଡ୍‌ ମଧ୍ୟ ବସି ମ୍ୟାଚ୍‌ ଦେଖୁଥିଲେ । ଷ୍ଟାଡିୟମ ବାହାରେ ଆତଙ୍କବାଦୀ ଘଟାଇଥିଲେ ୩ ଆତ୍ମଘାତୀ ବିସ୍ଫୋରଣ । ୪୦ ମିନିଟ ମଧ୍ୟରେ ସାରା ସହର ଭୟରେ କମ୍ପି ଉଠିଥିଲା । ଆଇଏସ୍‌ଆଇଏସ୍‌ ଏହି ଆକ୍ରମଣ ଘଟାଇଥିବା ଦାବି କରିଥିଲା । ଆକ୍ରମଣରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୧୬ ଜଣ ଆହତ ହୋଇଥିଲେ । ଏ ଘଟଣା ଏବେବି ମନେ ପକାଇ ପ୍ୟାରିସବାସୀ ଭୟଭୀତ ହୁଅନ୍ତି ।

୨୦୧୬ ଜୁଲାଇ ୧୪ ନାଇସ ଆକ୍ରମଣ

ସେ ଦିନ ଥିଲା ଫ୍ରାନ୍ସର ଜାତୀୟ ଦିବସ । ନାଇସ ସହରର ଉପକୂଳ ପଥରେ (ପ୍ରୋମେନାଡ ଡେସ ଆଙ୍ଗ୍ଲାଇସ) ଏକ ମାଲବାହୀ ଟ୍ରକ୍‌ ଭିଡ଼ ଉପରକୁ ଚଢ଼ି ଯାଇ ମୃତ୍ୟୁର ତାଣ୍ଡବ ରଚିଥିଲା  । ଏଥିରେ ୮୬ ଜଣଙ୍କ ମୃତ୍ୟୁ ଘଟିଥିଲା । ୪୩୪ ଜଣ ଗୁରୁତର ଆହତ ହୋଇଥିଲେ । ଗାଡ଼ି ଚଳାଉଥିଲା ମହମ୍ମଦ ଲାହୌଆଇଜ ବୌହଲେଲ । ସେ ତୁର୍କୀର ମୂଳ ଅଧିବାସୀ କିନ୍ତୁ ଫ୍ରାନ୍ସରେ ରହୁଥିଲା । ଶେଷରେ ସେ ପୁଲିସ ଗୁଳିରେ ପ୍ରାଣ ହରାଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.